• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମାଓ ବିରୋଧୀ ଅପରେସନରେ ବଡ଼ ସଫଳତା । ନିର୍ବାଚନ ପୂର୍ବରୁ ସଫା ହୋଇଗଲେ ୨୯ ମାଓବାଦୀ । ଟଳିପଡ଼ିଲେ ଟପ୍ ମାଓନେତା । ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ମାଓ କ୍ୟାମ୍ପ । ଗତକାଲି କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଂଗଲରେ ବିଏସଏଫ୍ ଏବଂ ଡିଆରଜି ଯବାନ ମିଳିତ ଅପରେସନ୍ କରି ଏହି ସଫଳତା ପାଇଛନ୍ତି।

୬ ଥର ଗ୍ୟାଲେଣ୍ଟ୍ରି ପଦକ ଜିତିଥିବା ଇନ୍ସପେକ୍ଟର ଲକ୍ଷ୍ମଣ କେୱଟ, କାଙ୍କେରରେ ମାଓବାଦୀଙ୍କ ବିରୁଦ୍ଧରେ ହୋଇଥିବା ବଡ଼ ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅପରେସନରେ ୨୯ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଅପରେସନରେ ୨୦୦ ବିଏସ୍ଏଫ୍ ଏବଂ DRG କର୍ମଚାରୀ ନିୟୋଜିତ ଥିଲେ । ମାଓ ଶିବିରର ୩୦୦ ମିଟର ଭିତରକୁ ଯାଇ ଏହି ଅପରେସନକୁ ସଫଳ କରିଥିଲେ ଯବାନ।

ଲକ୍ଷ୍ମଣ କେୱଟ। ମାଓବାଦୀଙ୍କ ପାଇଁ ‘ଯମରାଜ’। ଇନ୍ସପେକ୍ଟର ଲକ୍ଷ୍ମଣ କେୱଟ ‘ଏନକାଉଣ୍ଟର ମାଷ୍ଟରମାଇଣ୍ଡ’ ଭାବରେ ସୁରକ୍ଷା ବାହିନୀଙ୍କ ମଧ୍ୟରେ ବେଶ୍‌ ପ୍ରସିଦ୍ଧ । କାଙ୍କେର ଅପରେସନ୍‌ ପୂର୍ବରୁ ଲକ୍ଷ୍ମଣ ୪୪ ନକ୍ସଲଙ୍କୁ ଏନକାଉଣ୍ଟର କରିସାରିଛନ୍ତି। ବୁଧବାର କାଙ୍କେର ଏସପି କଲ୍ୟାଣ ଏଲେସେଲା କହିଛନ୍ତି ଯେ ଇନ୍ସପେକ୍ଟର ଲକ୍ଷ୍ମଣ କେୱଟ ହିଁ ଏହି ଏନକାଉଣ୍ଟରର ମାଷ୍ଟରମାଇଣ୍ଡ।

ଦେଶର ତୃତୀୟ ବୃହତ ଏନକାଉଣ୍ଟର ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଏହାର ମାଷ୍ଟରମାଇଣ୍ଡ ଲକ୍ଷ୍ମଣ କେୱଟ । ଗୁଇନ୍ଦା ସୂଚନା, ଧୈର୍ଯ୍ୟ ଏବଂ ଜବରଦସ୍ତ ଗୁଳିମାଡ଼ କିପରି ସୁରକ୍ଷା ବାହିନୀକୁ ବିଜୟ ଭେଟି ଦେଇଥିଲା ସେନେଇ କହିଛନ୍ତି କେୱଟ । ସେ ଆହୁରି କହିଛନ୍ତି, କୋଟାରୀ ନଦୀର ଅପର ପାର୍ଶ୍ୱରେ ଥିବା ପାହାଡକୁ ମାଓବାଦୀ ଅଞ୍ଚଳ ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କ ବିନା ଅନୁମତିରେ ଯିବାକୁ କେହି ସାହସ କରନ୍ତି ନାହିଁ । ସେମାନଙ୍କ ଉପସ୍ଥିତି ବିଷୟରେ ଜାଣିବା ପରେ ଆମେ ଏକ ଅପରେସନ୍ ଆରମ୍ଭ କରିବାକୁ ଯୋଜନା କରିଥିଲୁ। ଆମେ ସେମାନଙ୍କର ମୁଖ୍ୟ ଅଞ୍ଚଳକୁ ଯିବାକୁ ସ୍ଥିର କଲୁ। ଯେଉଁଠାରେ ମାଓ ନେତାମାନେ ଏକତ୍ରିତ ଥିଲେ ।

ଏହି ଅଞ୍ଚଳରେ ଏକ ବଡ଼ ଅପରେସନ ପାଇଁ ଲକ୍ଷ୍ମଣ ୨୦୦ ବିଏସ୍‌ଏଫ ଓ DRG ଯବାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେୱଟ୍‌ କହିଛନ୍ତି ଯେ, ଯେତେବେଳେ ଆମେ ସକାଳେ ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲୁ, ସେତେବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଥିଲେ । ଏହା ମାଓବାଦୀମାନଙ୍କୁ ସଚେତନ କରାଇ ଦେଇଥିଲା । ତେଣୁ ଆମେ ପରବର୍ତ୍ତୀ କିଛି ଘଣ୍ଟା ପାଇଁ ଶାନ୍ତ ରହିଲୁ । ମାଓବାଦୀ ଅଞ୍ଚଳକୁ ରାସ୍ତା ଅତ୍ୟନ୍ତ ଗରମ ଏବଂ ଆର୍ଦ୍ର ଥିଲା। ଆମେ ଧୀରେ ଧୀରେ ଆଗକୁ ବଢ଼ିଥିଲୁ। ଆମେ ଏତେ ସତର୍କତାର ସହ ଆଗକୁ ବଢ଼ୁଥିଲୁ ଯେ ମାଓବାଦୀମାନେ କିଛି ଜାଣିପାରିନଥିଲେ ଯେ ସେମାନଙ୍କ ଉପରେ ଏତେ ବଡ଼ ଆକ୍ରମଣ ହୋଇପାରେ ।

କେୱଟ କହିଛନ୍ତି ଯେ ସୁରକ୍ଷା ବାହିନୀ ମାଓବାଦୀ ଶିବିରର ୩୦୦ ମିଟର ଭିତରକୁ ପହଞ୍ଚି ଯାଇଥିଲେ । କିନ୍ତୁ ମାଓବାଦୀମାନେ ଜଙ୍ଗଲକୁ ଏତେ ଭଲ ଭାବରେ ଜାଣିଛନ୍ତି ଯେ ସେମାନେ ଏକ ପିନ୍ ଖସିବାର ମଧ୍ୟ ଅନୁଭବ କରିପାରନ୍ତି । ଏହାପରେ ପ୍ରଥମେ ମାଓବାଦୀମାନେ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ଆମେ ମଧ୍ୟ ଜୋରଦାର ମାଓ ଶିବିର ଉପରେ ଆକ୍ରମଣ କରିଥିଲୁ ବୋଲି କହିଛନ୍ତି ଲକ୍ଷ୍ମଣ। ଏହି ଆକ୍ରମଣରେ ୨୯ ମାଓବାଦୀ ନିହତ ହୋଇଥିଲେ।

ଅନେକ ଏନକାଉଣ୍ଟରରେ ଅଂଶଗ୍ରହଣ କରିଥିବା କେୱଟ କହିଛନ୍ତି ଯେ ଗୁଳି ଚଳାଇବା ପରେ ଆହତ ଯବାନମାନଙ୍କ ଚିତ୍ର ତାଙ୍କ ଆଖି ସାମ୍ନାରେ ଝଲସି ଉଠୁଥିଲା, କିନ୍ତୁ ସେ ଟାର୍ଗେଟ ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ସେ କହିଛନ୍ତି ଯେ ମୁଁ ପ୍ରାର୍ଥନା କରୁଥିଲେ ଯେ ମୋର ପ୍ରତ୍ୟେକ ଗୁଳି ମାଓବାଦୀଙ୍କ ଦେହରେ ବାଜିବା ଦରକାର । ତେବେ ଏହାପରେ ଯେତେବେଳେ କେୱଟଙ୍କୁ ପଚରାଗଲା ଯେ ସେ ନିଜେ ଜୀବନ ମଧ୍ୟରେ କେତେ ମାଓବାଦୀଙ୍କୁ ମାରିଛନ୍ତି, ସେ କହିଥିଲେ ଯେ ମୁଁ ଆଉ ମାଓବାଦୀଙ୍କ ମୃତଦେହ ଗଣନା କରୁ ନାହିଁ। ବଞ୍ଚିଥିବା ପର୍ଯ୍ୟନ୍ତ ମାଓ ଦମନ ଅଭିଯାନରେ ନିଜକୁ ସମର୍ପିତ କରିବେ ବୋଲି ଲକ୍ଷ୍ମଣ କହିଛନ୍ତି ।