/odishatv-khabar/media/post_attachments/uploadimage/library/16_9/16_9_0/ss_1638849410.jpg)
Lockdown
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଡେଲ୍ଟା ଭାରିଏଣ୍ଟ୍ଠୁ ଏହା ୩ ଗୁଣା ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଗତ ପ୍ରାୟ ୪ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କୋଭିଡ୍ର ପୂର୍ବ ଲହର ଭଳି ପୁଣି ଥରେ ମହାରାଷ୍ଟ୍ରରେ ବ୍ୟାପିବାରେ ଲାଗିଛି ଓମିକ୍ରନ୍।
ମହାରାଷ୍ଟ୍ରରେ ଗତକାଲି ପୁଣି ୨ ଜଣ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ୨ ଜଣଙ୍କୁ ମିଶାଇ ମହାରାଷ୍ଟ୍ରରେ ୧୦ ଜଣ ଓମିକ୍ରନ୍ରେ ସଂକ୍ରମିତ ହୋଇ ସାରିଲେଣି। ଯେଉଁଭଳି ଭାବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଏଥିରେ ବ୍ରେକ୍ ଲଗାଇବା ପାଇଁ ଲକ୍ଡାଉନ୍ ଏକମାତ୍ରା ରାସ୍ତା କି ? ନା ବୁଷ୍ଟର୍ ଡୋଜ୍ ଟିକା ଉପରେ ସରକାର ଚିନ୍ତା କରିବା ଆବଶ୍ୟକ ? ଜାଣନ୍ତୁ, ଏସବୁକୁ ନେଇ ଏକ୍ସପର୍ଟମାନେ କ’ଣ କହୁଛନ୍ତି....
ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, Infection Disease Specialist ଡଃ ଚନ୍ଦ୍ରକାନ୍ତ ଲହରିୟା କହିଛନ୍ତି, ଯେକୌଣସି ଭାରିଏଣ୍ଟ୍ ବିରୋଧରେ ଭ୍ୟାକ୍ସିନ୍ ସୁରକ୍ଷା କବଚ ଭାବେ କାମ କରିଥାଏ । ଟିକା ନେଇ ଥିବା ବ୍ୟକ୍ତି ଟିକା ନେଇନଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ସୁରକ୍ଷିତ। ତେବେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବା ପାଇଁ ଟିକାର ୨ଟି ଡୋଜ୍ ନେବା ଜରୁରୀ। ଯେଉଁମାନେ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି, ସେମାନେ ଟିକାର ଦ୍ୱିତୀୟ ଡୋଜ୍ ନିଶ୍ଚିତ ଭାବେ ନିଅନ୍ତୁ। ଦେଶରେ ୧୫% ବୟସ୍କ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟିକା ନେଇ ନାହାନ୍ତି। ଲୋକମାନେ ଯେଭଳି ଟିକା ନେବେ, ସେଥିପାଇଁ ସଚେତନତା ଜରୁରୀ। ବୁଷ୍ଟର୍ ଡୋଜ୍କୁ ନେଇ ଡଃ ଚନ୍ଦ୍ରକାନ୍ତ କହିଛନ୍ତି, ସର୍ବପ୍ରଥମେ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଟିକା ଦେବା ଜରୁରୀ। ବୁଷ୍ଟର୍ ଡୋଜ୍କୁ ନେଇ ବୈଜ୍ଞାନିକ ଓ ଟେକ୍ନିକାଲ୍ ଏକ୍ସପର୍ଟଙ୍କ ସହ ଆଲୋଚନା ଜାରି ରହିଛି।
ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ର ଆବଶ୍ୟକତା ରହିଛି କି ?
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍, ଡେଲ୍ଟା ଭାରିଏଣ୍ଟ୍ ଠାରୁ ମଧ୍ୟ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଏକ୍ସପର୍ଟଙ୍କ କହିବା ଅନୁସାରେ, ଓମିକ୍ରନ୍ ବିରୋଧରେ ଟିକା କାମ କରୁଛି। ହେଲେ ଏବେ ଶୀତ ଦିନ ଯୋଗୁ ଥଣ୍ଡା, ଜ୍ୱର, ପାର୍ଟି, ମାର୍କେଟ୍ରେ ଲୋକଙ୍କ ଗହଳି ଯୋଗୁ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକଟ କରାଯାଉଛି। ଏନେଇ ଭାଇରୋଲୋଜିଷ୍ଟ୍ ଡଃ ଦୀପକ ଆଚାର୍ଯ୍ୟ କହିଛନ୍ତି, ‘ଓମିକ୍ରନ୍ ରୋକିବା ପାଇଁ ଲକ୍ଡାଉନ୍ ଏକମାତ୍ର ବିକଳ୍ପ ନୁହେଁ। ଏହାଠୁ ଅଧିକ ଜରୁରୀ ହେଉଛି, ସତର୍କତା। ତେଣୁ ଏଥିପାଇଁ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ। ଆବଶ୍ୟକ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ଜଣେ ନିଜ ସୁରକ୍ଷା କଥା ନିଜେ ଚିନ୍ତା କରିବେ ଓ ଏଥିପାଇଁ ସତର୍କ ରହିବେ, ତା’ହେଲେ ଲକ୍ଡାଉନ୍ର ଆବଶ୍ୟକତା ପଡ଼ିବ ନାହିଁ।
କୋଭିଡ୍ ଟାକ୍ସ ଫୋର୍ସ ସଦସ୍ୟ ଡଃ ରାହୁଲ ପଣ୍ଡିତ କହିଛନ୍ତି, ‘କରୋନାର ନୂଆ ଭାରିଏଣ୍ଟ୍କୁ ନେଇ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ଭୟଭୀତ ନହୋଇ କେମିତି ସଂକ୍ରମଣ ରୋକା ଯାଇ ପାରିବ ସେସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ। ସଂକ୍ରମଣକୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧନ୍ତୁ। ଯଦି ବାହାରକୁ କୌଣସି କାମରେ ଯାଉଛନ୍ତି, ତା’ହେଲେ ଡବଲ୍ ମାସ୍କ ପିନ୍ଧି ପାରିବେ। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନାହାନ୍ତି, ସେମାନେ ତୁରନ୍ତ ଟିକା ନିଅନ୍ତୁ।
ଡଃ ରାହୁଲ ଆହୁରି କହିଛନ୍ତି, ‘ଯଦି ଆପଣ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା’ହେଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଯଦି ଆପଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ତା’ହେଲେ ନିଜକୁ ସଂଗରୋଧ କରନ୍ତୁ। ଯଦି ସମସ୍ତେ ଠିକ୍ ଭାବେ କୋଭିଡ୍ ଗାଇଡ୍ଲାଇନ୍ସକୁ ପାଳନ କରିବେ ତା’ହେଲେ ଲକ୍ଡାଉନ୍ କି କୌଣସି ପ୍ରତିବନ୍ଧକର ଆବଶ୍ୟକତା ପଡ଼ିବ ନାହିଁ।