• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦେଶରେ ଯାନବାହନ ସ୍କ୍ରାପ୍ ନୀତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟରେ ଇନଭେଷ୍ଟର ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ଅଧିକ ମାତ୍ରାରେ ଯୁବବର୍ଗ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଯାନବାହନ ସ୍କ୍ରାପ ପଲିସି ମାଧ୍ୟମରେ ବିକାଶର ଏକ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍କ୍ରାପ ପଲିସି ମାଧ୍ୟମରେ ଚାଲିବାକୁ ଅଯୋଗ୍ୟ ଗାଡି ଏବଂ ପ୍ରଦୂଷିତ ବାହନ ଗୁଡିକ ସବୁ ରାସ୍ତାରୁ ହଟିବ । ପରିବେଶ ଅନୁକୁଳ ବାତାବରଣରେ ଏହି ଯାନବାହନ ଗୁଡିକର ସ୍କ୍ରାପିଂ କରାଯିବ । ନୂଆ ସ୍କ୍ରାପିଂ ପଲିସି ହେବ ୱେଷ୍ଟରୁ ୱେଲଥ୍ । ସହର ଗୁଡିକରୁ ପ୍ରଦୂଷଣ କମ କରିବା ସହ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ପଲିସି ଦ୍ୱାରା ଯାନବାହନ ଉତ୍ପାଦନ ଶିଳ୍ପର ବିକାଶ ସହ ୧୦ ହଜାର କୋଟିର ପୁଂଜି ନିବେଶ ହେବ । ହଜାର ହଜାର ଲୋକଙ୍କୁ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ କରିବା ସହ ଆତ୍ମନିର୍ଭର ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୋପାନ ହେବ ବୋଲି କହିଛନ୍ତି । ଜାତୀୟ ଅଟୋମୋବାଇଲ୍ ସ୍କ୍ରାପ୍ ପଲିସି ଭାବେ ଜଣାଶୁଣା ଏହି ଯୋଜନା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବଜେଟ୍‌ରେ ଘୋଷଣା କରିଥିଲେ । ପଲିସି ନିୟମ ଅନୁସାରେ ୧୫ବର୍ଷରୁ ଅଧିକ ଅବଧିର ସମସ୍ତ ଚାରି ଚକିଆ ସରକାରୀ ଗାଡ଼ି ସ୍କ୍ରାପ୍ ହେବା ବାଧ୍ୟତାମୂଳକ ।

ସେହିପରି ଘରୋଇ ଗାଡ଼ି ପାଇଁ ୨୦ବର୍ଷ ଓ ବାଣିଜ୍ୟିକ ଯାନ ପାଇଁ ୧୫ ବର୍ଷ ପରେ ଫିଟନେସ୍‌ ସାର୍ଟିଫିକେଟ୍ ନମିଳିଲେ ଆପେ ଆପେ ଏହାର ପଞ୍ଜିକରଣ ରଦ୍ଦ ହୋଇଯିବ । ଗାଡ଼ି ଗୁଡ଼ିକର ଫିଟ୍‌ନେସ ଯାଞ୍ଚ କେବଳ ସରକାରୀ ଅନୁମୋଦିତ କେନ୍ଦ୍ରରେ କରାଯିବ । ଏସବୁର ଟେଷ୍ଟ ରିପୋର୍ଟ ଅନଲାଇନ୍‌ରେ ଜାରି ହେବ । ଗାଡ଼ି ଯେଉଁଠୁ କିଣା ଯାଇଥାଉ ନା କାହିଁକି ସ୍କ୍ରାପ୍ ଦେଶର କୌଣସି ବି ସ୍ଥାନରେ ହୋଇ ପାରିବ । ପୁରୁଣା ଗାଡ଼ି ସ୍କ୍ରାପ୍ ସାର୍ଟିଫିକେଟ୍ ଦେଖାଇଲେ, ନୂଆ ଗାଡ଼ି କିଣିବା ବେଳେ ଗାଡ଼ି ମୂଲ୍ୟରେ ୫ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ସେହିପରି ଘରୋଇ ଗାଡ଼ି କ୍ଷେତ୍ରରେ ରୋଡ୍‌ ଟ୍ୟାକ୍ସରେ ପାଖାପାଖି ୨୫ ପ୍ରତିଶତ ଓ ବାଣିଜ୍ୟିକ ଗାଡ଼ି କ୍ଷେତ୍ରରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସରେ ରିହାତି ମିଳିବ।

ନୂଆ ସ୍କ୍ରାପ୍ ପଲିସି ଆସିଲେ, ୧୦ ହଜାର କୋଟିରୁ ଅଧିକ ନିବେଶ ଆସିବା ସହ ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏନେଇ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନୂଆ ସ୍କ୍ରାପିଂ ପଲିସି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଥିଲେ ।