• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଡିଜିଟାଲ କ୍ଷେତ୍ରରେ ଆଗକୁ ବଢ଼ୁଛି ଭାରତ । ବିଶ୍ୱରେ ଡିଜିଟାଲ୍‌ ପେମେଣ୍ଟ କ୍ଷେତ୍ରରେ ଭାରତ ସବା ଆଗରେ ରହିଛି । ଡିଜିଟାଲରେ ଅଧିକ କାରବାର କରୁଥିବା ଅନ୍ୟ ୪ଟି ଦେଶକୁ ପଛରେ ପକାଇ ଭାରତ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । ଗତବର୍ଷ ଅର୍ଥାତ୍‌ ୨୦୨୨ ମସିହାରେ ଭାରତ ଅନ୍ୟ ୪ଟି ଦେଶକୁ ଅତିକ୍ରମ କରି ୮୯.୫ ନିୟୁତ ଡିଜିଟାଲ କାରବାର କରିଥିବା ରେକର୍ଡ କରାଯାଇଛି । ଯାହାକି ଅନ୍ୟ ଦେଶ ଗୁଡ଼ିକୁ ପଛରେ ପକାଇଦେଇଛି ।

ରିପୋର୍ଟରୁ ଜଣାପଡିଛି ଯେ, ବିଶ୍ୱବ୍ୟାପୀ ରିଅଲ ଟାଇମ ପେମେଣ୍ଟର ୪୬ ପ୍ରତିଶତ ଭାରତର ଅବଦାନ ରହିଛି । ଏହି ରିପୋର୍ଟ MyGovIndiaରୁ ପ୍ରକାଶ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ୨୯.୨ ନିୟୁତ କାରବାର ସହିତ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ସବୁଠୁ ବଡ଼ କଥା ହେଉଛି ଡିଜିଟାଲ ସେବାରେ ପଛରେ ପଡ଼ିଯାଇଛି ଚାଇନା । ୧୭.୬ ନିୟୁତ କାରବାର ସହିତ ଚାଇନା ତୃତୀୟ ସ୍ଥାନ ହାସଲ କରିଛି ।

ସେହିପରି ଥାଇଲାଣ୍ଡ ୧୬.୫ ନିୟୁତ ଡିଜିଟାଲ କାରବାର ସହିତ ଚତୁର୍ଥ ସ୍ଥାନ ହାସଲ କରିଥିବାବେଳେ ଦକ୍ଷିଣ କୋରିଆ ୮ ମିଲିୟନର କାରବାର କରିଥିବା MyGovIndia ପକ୍ଷରୁ ପ୍ରକାଶ ପାଇଛି ।

ଏଠାରେ କହି ରଖୁଛୁ, MyGovIndia ହେଉଛି ଭାରତ ସରକାରଙ୍କ ଏକ ପ୍ଲାଟଫର୍ମ । ଯାହା ନାଗରିକମାନଙ୍କ ପାଇଁ ତୃଣମୂଳ ସ୍ତରରେ କାମ କରିଥାଏ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ପେମେଣ୍ଟକୁ ନେଇ ଅନେକ କିଛି ସମ୍ବୋଧନ କରିଛନ୍ତି । ଡିଜିଟାଲ ପେମେଣ୍ଟ ଦ୍ୱାରା ଦେଶର ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନର ପ୍ରଭାବ ଉପରେ କହିଛନ୍ତି । ଦେଶର ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆସୁଥିବା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ବିଶେଷଜ୍ଞ ମାନେ ମଧ୍ୟ ମତ ରଖିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛି । ଯାହା ଦେଶର ଦେୟ ଇକୋସିଷ୍ଟମକୁ ଶକ୍ତିଶାଳୀ କରିଛି ।