• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନିର୍ବାଚନ ଲଢିବେନି ଦେଶର ଅର୍ଥମନ୍ତ୍ରୀ । କାରଣ ନିର୍ବାଚନ ଲଢିବାକୁ ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଟଙ୍କା ନଥିବା ଯୋଗୁଁ ସେ ବିଜେପିର ଟିକେଟ୍ ନେବାକୁ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଏକଥା, ନିଜେ ନିର୍ମଳା ସୀତାରମଣ କହିଛନ୍ତି । ଆନ୍ଧ୍ରପ୍ରଦେଶ ନଚେତ୍ ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତାବ ଦେଇଥିବା ବେଳେ ଟଙ୍କା ନଥିବା ଯୋଗୁଁ ସେ ପ୍ରତିଦ୍ବନ୍ଦିତା କରିବାକୁ ମନା କରିଦେଇଥିବା ଜଣାଇଛନ୍ତି । 

ବୁଧବାର ଏକ ଜାତୀୟ ଗଣମାଧ୍ୟମ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ''ନିର୍ବାଚନ ଲଢିବାକୁ ମୋତେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ମୁଁ ତାକୁ ମନା କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ନଚେତ୍‌ ତାମିଲନାଡୁର ନିର୍ବାଚନ ଲଢିବାକୁ ମୋତେ ପ୍ରସ୍ତାବ ଦେଇଥିଲେ । ଟିକେଟ ଅଫର୍‌ ମିଳିବା ପରେ ମୁଁ ୭ରୁ ୧୦ ଦିନ ଚିନ୍ତା କରିଥିଲି । ଏହାପରେ ନିର୍ବାଚନ ଲଢିବାକୁ ମନା କରିଦେଇଥିଲି । କାରଣ ଲୋକସଭା ନିର୍ବାଚନ ଲଢିବାକୁ ଯେତିକି ଟଙ୍କା ଦରକାର ତାହା ମୋ ପାଖରେ ନାହିଁ ।''

ଅଧିକ ପଢ଼ନ୍ତୁ: ନିର୍ବାଚନ ମୈଦାନରେ BJP-BJD ଯୋଦ୍ଧା, କେଉଁଠି ହେବ ହାଇଭୋଲଟେଜ୍ ଟକ୍କର ? ଜାଣନ୍ତୁ..

ଆହୁରି ମଧ୍ୟ ସେ କହିଛନ୍ତି ଯେ, “ଆନ୍ଧ୍ରପ୍ରଦେଶ ହେଉ କି ତାମିଲନାଡୁ ମୋର ଗୋଟିଏ ସମସ୍ୟା ରହିଛି, ସେଠାରେ ବିଜୟୀ ହେବାକୁ ଅନେକ ପ୍ରକାର ପ୍ରତିବନ୍ଧକ ରହିଛି । ସେମାନେ ଅନେକ କାରଣ ଖୋଜିବେ । ଆପଣ କେଉଁ ସମ୍ପ୍ରଦାୟର ? ଆପଣଙ୍କର ଧର୍ମ କ'ଣ ? ଆପଣ କେଉଁଠାରୁ ଆସିଛନ୍ତି ? ଏମିତି ଅନେକ ସମସ୍ୟା ଓ କାରଣ । ମୁଁ ଏସବୁ କରିପାରିବି ନାହିଁ । ତେଣୁ ନିର୍ବାଚନ ଲଢିବାକୁ ମନା କରିଦେଇଛି । ସେମାନେ ମୋ କଥାକୁ ଗ୍ରହଣ କରିଥିବାରୁ ମୁଁ କୃତଜ୍ଞ । ତେଣୁ ମୁଁ ନିର୍ବାଚନ ଲଢୁନାହିଁ । ”

ଲୋକସଭା ନିର୍ବାଚନ ଲଢିବାକୁ ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ଟଙ୍କା ନାହିଁ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ''ମୋ ଦରମା ମୋ ଆୟ । ମୋ ସଞ୍ଚୟ ମୋର ଟଙ୍କା । ଭାରତର ଟଙ୍କା ମୋର ନୁହେଁ ।'' ତେବେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅନେକ ରାଜ୍ୟସଭା ସାଂସଦଙ୍କୁ ଟିକେଟ ମଧ୍ୟ ଦେଇଛି ।