• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୁନ୍ଦେଲଖଣ୍ଡର ରହସମୟୀ ଦୁର୍ଗ । ଦୂରରେ ଦିଶେ, ପାଖକୁ ଗଲେ ଉଭାନ୍ ହୋଇଯାଏ । ବୁନ୍ଦେଲଖଣ୍ଡର ଗରକୁନ୍ଦର ଦୁର୍ଗର ନିର୍ମାଣ ଓ କାରିଗରୀ କ୍ଷେତ୍ରରେ ଅନନ୍ୟ । ଏହି ଦୁର୍ଗର ଅନେକ ବିଶେଷତ୍ୱ ରହିଛି । ଗରକୁନ୍ଦର ଦୁର୍ଗ ୧୨ କିଲୋମିଟର ଦୂରରୁ ଦୃଶ୍ୟମାନ ହେଉଥିବା ବେଳେ ୧୦୦ ମିଟର ପାଖରେ ଅଦୃଶ୍ୟ ହୋଇଯାଏ । ଆଠ ମହଲା ବିଶିଷ୍ଟ ଏହି ଦୁର୍ଗ କେବଳ ଅନନ୍ୟ ବାସ୍ତୁକଳା ପାଇଁ ଆକର୍ଷଣୀୟ ନୁହେଁ ବରଂ ଏହି କୋଠାର ନିର୍ମାଣ ଶୈଳୀ ଖୁବ ଉଚ୍ଚକୋଟୀର ।

ଗରକୁନ୍ଦର ଓ ଖଙ୍ଗାର ବଂଶ

ଦ୍ୱାଦଶ ଶତାବ୍ଦୀରେ ପରମାର ରାଜବଂଶର ଗଡପତି ଶିବଙ୍କୁ ପରାସ୍ତ କରି ଏହି ଦୁର୍ଗକୁ କବଜା କରିନେଇଥିଲେ ପୃଥବୀରାଜ ଚୌହାନଙ୍କ ମୁଖ୍ୟ ସାମନ୍ତ ଖେତ ସିଂ ଖଙ୍ଗାର । ଆଉ ଗଡ଼ ଅକ୍ତିଆର କରିବା ପରେ ଖଙ୍ଗାର ରାଜବଂଶର ମୂଳଦୁଆ ପଡ଼ିଥିଲା । ଗରକୁନ୍ଦର ଦୁର୍ଗ ଏକ ହେକ୍ଟରରୁ ଅଧିକ ଜମିରେ ନିର୍ମିତ ହୋଇଛି । ଏହି ଦୁର୍ଗ ଚନ୍ଦେଲ ସମୟରେ ଚନ୍ଦେଲଙ୍କର ମୁଖ୍ୟ ସାମରିକ ଆଡ୍ଡା ଥିଲା । ଯଶୋ ଭର୍ମା ଚନ୍ଦେଲ (୯୧୨-୪୦ ଖ୍ରୀଷ୍ଟାବ୍ଦ) ଦକ୍ଷିଣ ପଶ୍ଚିମ ବୁନ୍ଦେଲଖଣ୍ଡକୁ ନିଜ ଅଧୀନରେ ନେଇ ନିଜ ସୁରକ୍ଷା ପାଇଁ ଦୁର୍ଗ ନିର୍ମାଣ କରିଥିଲେ।

ମରୀଚିକା ସଦୃଶ୍ୟ ଗରକୁନ୍ଦର ଦୁର୍ଗ

ଗରକୁନ୍ଦର ଦୁର୍ଗ ଯେଉଁ ପାହାଡ଼ ଉପରେ ନିର୍ମିତ ହୋଇଛି, ସେଠାରେ ଅନେକ ଛୋଟ ଛୋଟ ପାହାଡ ରହିଛି । ଏହି ଦୁର୍ଗର ବିଶେଷତ୍ୱ ହେଉଛି ବହୁ ଦୂରରେ ଥିଲେ ମଧ୍ୟ ଏହା ମଧ୍ୟ ସ୍ପଷ୍ଟ ଦେଖାଯାଏ, କିନ୍ତୁ ଦୁର୍ଗ ନିକଟକୁ ଆସିବା ମାତ୍ରେ ଆଖିରୁ ଅଦୃଶ୍ୟ ହୋଇଯାଏ । ଯେଉଁ ପାହାଡ଼ରେ ଦୂରରୁ ଦୁର୍ଗ ଦେଖାଯାଏ, ନିକଟରେ ପହଞ୍ଚିବା ପରେ ତାହା ଅନ୍ୟ ପାହାଡ଼ରେ ଥିବାପରି ଲାଗେ । ଏଠାରେ ଥିବା ଛୋଟ ଛୋଟ ପାହାଡରୁ ଦେଖିଲେ ଏକ ସୈନିକଙ୍କ ଗଡ଼ ଦେଖିବାକୁ ମିଳେ। ଗରକୁନ୍ଦର ଦୁର୍ଗର ମିଛ ମରୀଚିକା ଶତ୍ରୁମାନଙ୍କୁ ସବୁବେଳେ ଅଡ଼ୁଆରେ ପକାଉଥିଲା । ଗରକୁନ୍ଦର ନିଜର ସାମରିକ ବଳ ଓ ବିଶାଳ ସେନା ଶକ୍ତି ଯୋଗୁଁ ମୁସଲିମ୍ ଆକ୍ରମଣକାରୀ ଠାରୁ ସୁରକ୍ଷିତ ରହିଥିଲା ।

ଭିନ୍ନ ସ୍ଥାପତ୍ୟ ଶୈଳୀ

ନାଲି-ବାଦାମୀ ପଥର ସହିତ ନିର୍ମିତ ଏହି ଦୁର୍ଗରେ ସମ୍ମୋହନ ଶକ୍ତି ଥିଲା ପରି ଅନୁଭବ ହୁଏ । ଦୁର୍ଗର ଅତି ନିକଟକୁ ଆସିବା ମାତ୍ରେ ଏକ ଦୁର୍ଗ ପ୍ରବେଶ ଦ୍ୱାର ପଡିଥାଏ । ସ୍ଥାନୀୟ ଭାଷାରେ ଦ୍ୱାରଟିକୁ ଦେଓଡି ବୋଲି କୁହାଯାଏ । ଶତ୍ରୃ ମାନଙ୍କ ଉପରେ ନଜର ରଖିବା ପାଇଁ ସୈନିକମାନଙ୍କ ପାଇଁ ଏହା ଉପରେ ଏକ ବାଲକୋନି ରହିଛି, ଯେଉଁଠାରୁ ସୈନିକମାନେ ଆଖପାଖ ସବୁସ୍ଥାନ ଉପରେ ନଜର ରଖୁଥିଲେ । ଆଉ କିଛି ଦୂର ଯିବା ପରେ ଦୁର୍ଗର ମୁଖ୍ୟ ଫାଟକ ଦେଖାଯାଇଥାଏ ଏବଂ ପ୍ରବେଶ ଦ୍ୱାର ସମ୍ମୁଖରେ ଏକ ବିସ୍ତୃତ ସ୍ଥାନ ରହିଛି । ସେଠାରେ କିଛି ବର୍ଷ ପୂର୍ବେ ଅଷ୍ଟଧାତୁରେ ନିର୍ମିତ ତୋପ ଗୁଡିକ ରଖାଯାଉଥିଲା । ପୂରା ଦୁର୍ଗ ଏକ ଭୁଲଭୁଲେଇୟା ଭଳି ଦେଖାଯାଇଥାଏ । ରାଜମହଲ ବାହାରେ ଘୋଡାଶାଳ ଅଛି, ଯେଉଁଠାରେ ରାଜାରାଜୁଡ଼ା ଅମଳରେ ଘୋଡା ବନ୍ଧା ଯାଉଥିଲା । ୮ଟି ମହଲ ବିଶିଷ୍ଟ ଏହି ରାଜମହଲର ୩ ଟି ମହଲ ଭୂମି ତଳେ ଥିବାବେଳେ ଅନ୍ୟ ୫ଟି ମହଲ ଭୂମି ଉପରେ ଅବସ୍ଥିତ ।

ଶୌଚାଳୟ ବ୍ୟବସ୍ଥା

ଗରକୁନ୍ଦର ଦୁର୍ଗରେ ସୈନିକମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା । ସମଗ୍ର ଦୁର୍ଗରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ କୋଡ଼ିଏଟି ଶୌଚାଳୟ ବ୍ୟବସ୍ଥା ଥିଲା । ଗୋଟିଏ କ୍ୟାମ୍ପସରେ ବାରଜଣ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଥିଲା ।