Advertisment

ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ଓ ଗାନ୍ଧି ପରିବାରକୁ ଝଟକା; ପୁଣି କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବ କଂଗ୍ରେସରେ ହଟଚମଟ । ପ୍ରଥମେ ପିସିସି ସଭାପତି ପଦରୁ ଅଚାନକ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଓ ପରେ ପରେ କୋଷାଧ୍ୟକ୍ଷ ଏବଂ ୨ ନୂଆ ମନ୍ତ୍ରୀ ପଦ ଛାଡିବା ପରେ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।

author-image
Minati Mishra
ଅଦ୍ୟତନ ହୋଇଛି
Navjot Singh Sidhu

Navjot Singh Sidhu

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ହଟଚମଟ । ପ୍ରଥମେ ପିସିସି ସଭାପତି ପଦରୁ ଅଚାନକ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଓ ପରେ ପରେ କୋଷାଧ୍ୟକ୍ଷ ଏବଂ ୨ ନୂଆ ମନ୍ତ୍ରୀ ପଦ ଛାଡିବା ପରେ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି।

Advertisment

ନିଯୁକ୍ତ ହେବାର ମାତ୍ର ୭୨ ଦିନ ପରେ ଅପ୍ରତ୍ୟାଶିତ ଭାବେ କଂଗ୍ରେସ ମୁଖିଆ ପଦ ଛାଡ଼ିଥିଲେ ସିଦ୍ଧୁ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । କୌଣସି ପୂର୍ବାଭାସ ନଥାଇ ଇସ୍ତଫା ଦେବା ପରେ ଦଳରେ ରହି କାମ କରିବେ ବୋଲି ସିଦ୍ଧୁ କହିଛନ୍ତି  । ସିଦ୍ଧୁଙ୍କ ପରେ ପରେ ପଞ୍ଜାବ କଂଗ୍ରେସରେ ଆରମ୍ଭ ହୋଇଥିଲା ସିରିଜ ଇସ୍ତଫା ପର୍ବ ।

ପ୍ରଥମେ କଂଗ୍ରେସ କୋଷାଧ୍ୟକ୍ଷ ପଦରୁ ଗୁଲଜାର ଇନ୍ଦର ଚହଲ ଇସ୍ତଫା ଦେଇଥିବା ବେଳେ ଦୁଇ ଦିନ ତଳେ ପଞ୍ଜାବ ସରକାରରେ ନୂଆ କରି ସାମିଲ ହୋଇଥିବା ୨ ମନ୍ତ୍ରୀ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି । ଏହି ୨ ମନ୍ତ୍ରୀ ହେଉଛନ୍ତି ରେଜିଆ ସୁଲତାନା ଓ  ପରଗତ ସିଂହ।  ସେମାନେ ସିଦ୍ଧୁଙ୍କୁ ସମର୍ଥନ ଜଣାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି ।

Advertisment

ଏଥି ସହିତ ଗତ ୨୧ ତାରିଖରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିବା ଯୋଗିନ୍ଦର ଧିଙ୍ଗରା ମଧ୍ୟ ପଦ ଛାଡ଼ିଛନ୍ତି। ଏପଟେ ଅନ୍ୟ ଏକ ଘଟଣାକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦିଲ୍ଲୀ ଗସ୍ତ କରିଛନ୍ତି । ତାଙ୍କ ଦିଲ୍ଲୀ ଗସ୍ତ ନେଇ ମଧ୍ୟ ନାନା କଳ୍ପନାଜଳନା ପ୍ରକାଶ ପାଇଛି । ଏପରିକି ସେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଇଛି। ତେବେ ସିଦ୍ଧୁଙ୍କ ଇସ୍ତଫା ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ  ସିଦ୍ଧୁ ସ୍ଥିର ମନୋଭାବର ବ୍ୟକ୍ତି ନୁହନ୍ତି।

ସୂଚନା ଥାଉ କି, କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ପ୍ରମୁଖ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଏକପ୍ରକାର ଚମକାଇ ଦେଇଛନ୍ତି। ସବୁଠାରୁ ବଡ ଝଟକା ଗାନ୍ଧି ପରିବାରକୁ ଲାଗିଛି। ଜାତୀୟ କଂଗ୍ରେସର ମଙ୍ଗୁଆଳ ଗାନ୍ଧି ପରିବାରର ବିଶ୍ୱାସ ଥିଲା ଯେ, ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଥିଲା।  ଏପରି ପରିବର୍ତ୍ତନ ଯୋଗୁ ନିର୍ବାଚନ ପୂର୍ବରୁ ଦଳରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଶାନ୍ତ ପଡ଼ି ଯାଇଥିବ। ହେଲେ ବର୍ତ୍ତମାନର ସ୍ଥିତି ଦେଖିଲେ ସେପରି କିଛି ହେଲା ପରି ଦେଖାଯାଉନି। ଇତି ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଆଜି ସକାଳ ସାଢେ ୧୦ଟାରେ କ୍ୟାବିନେଟ୍‌  ମିଟିଂ ଡାକିଛନ୍ତି।  ସିଦ୍ଧୁଙ୍କ ଇସ୍ତଫା ପରେ ଏହା ୨ୟ ମିଟିଂ ଅଟେ।

Punjab Congress Navjot Singh Sidhu
Advertisment
Advertisment