• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଭବିଷ୍ୟତ ପାଇଁ ଜୋରସୋରରେ ଚାଲିଛି ସମରସଜ୍ଜା

  • ୨୦୨୧ ଶେଷ ସୁଦ୍ଧା ଭାରତକୁ ଆସିବ ୩୫ଟି ରାଫେଲ୍

  • ମ୍ଯାନ୍ ପୋର୍ଟେବୁଲ୍ ଆଣ୍ଟି-ଟ୍ୟାଙ୍କ୍ ମିଜାଇଲର୍ ପରୀକ୍ଷଣ

  • ଚୀନ୍ ବି ଯୁଦ୍ଧାଭ୍ୟାସରେ ବ୍ୟବହାର କଲା HJ-12

ନୂଆଦିଲ୍ଲୀ: ଭାରତ ସୀମା ନିକଟରେ ଚୀନର ସମରାଭ୍ୟାସ । ସମରାଭ୍ୟାସରେ ମ୍ୟାନ-ପୋର୍ଟେବୁଲ୍ ଆଣ୍ଟି ଟ୍ୟାଙ୍କ୍ ମିଜାଇଲ୍ HJ-12ର ବ୍ୟବହାର କରିଛି PLAର ତିଦ୍ଦତ ମିଲିଟାରି କମାଣ୍ଡ୍ । ଜଣେ ଯବାନ ଦ୍ୱାରା ନେବା ଆଣିବା କରିହେଉଥିବା ଏହି ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରକୁ ଚାଇନା ନର୍ଥ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କର୍ପୋରେସନ ନିର୍ମାଣ କରିଛି । ଆମେରିକୀୟ ଜାଭେଲିନ୍ ମିଜାଇଲ୍ ସହିତ ସମକକ୍ଷ ଏହି HJ-12 ମ୍ୟାନ-ପୋର୍ଟେବୁଲ୍ ଆଣ୍ଟି ଟ୍ୟାଙ୍କ୍ ମିଜାଇଲର ଟାର୍ଗେଟ୍ ଲକ୍ କରିବା ଏବଂ ଫାୟାର୍-ଆଣ୍ଡ୍-ଫୋର୍ଗେଟ୍ ସିଷ୍ଟମ୍ ରହିଛି । ଅର୍ଥାତ୍ ଏହା ହାତରେ ଥିଲେ ଜଣେ ଯବାନ ମଧ୍ୟ ଗୋଟିଏ ଟ୍ୟାଙ୍କ ଧ୍ୱଂସ କରିବାକୁ ଯଥେଷ୍ଟ । ବିଶ୍ୱର ସର୍ବୋତ୍କୃଷ୍ଟ ବ୍ୟାଟଲ୍ ଟ୍ୟାଙ୍କକୁ ଏହା ଧ୍ୱଂସ କରିପାରିବ ବୋଲି ଚୀନି ବିଶେଷଜ୍ଞ ଦାବି କରିଛନ୍ତି । ଏପଟେ ଭାରତ ମଧ୍ୟ ଆକାଶ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ସହ ହାଲୁକା ମ୍ୟାନ୍ ପୋର୍ଟେବୁଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିଜାଇଲର ସଫଳ ପରୀକ୍ଷଣ କରିଛି । ଏହି ସ୍ୱଦେଶୀ କ୍ଷେପଣାସ୍ତ୍ରକୁ ଡିଆରଡ଼ିଓ ପକ୍ଷରୁ ପରୀକ୍ଷଣ କରାଯାଇଛି । ଏଥିରେ ମଧ୍ୟ ଫାୟାର୍ ଆଣ୍ଡ୍ ଫର୍ଗେଟ୍ ସିଷ୍ଟମ୍ ରହିଛି । ଏହି MPATGM ପ୍ରତିରକ୍ଷା କ୍ଷେତ୍ରରେ ମେକ୍-ଇନ୍-ଇଣ୍ଡିଆ ପ୍ରୟାସର ବଡ଼ ସଫଳତା ବୋଲି କୁହାଯାଉଛି।

କେବଳ ସ୍ୱଦେଶୀ ମ୍ୟାନ ପୋର୍ଟେବୁଲ୍ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିଜାଇଲ୍ ନୁହେଁ, ଚୀନ୍ ବିରୋଧରେ ଭବିଷ୍ୟତର ସମରସଜ୍ଜା ପାଇଁ T-90 ଭୀଷ୍ମ ଟ୍ୟାଙ୍କର ଅଧିକ ଉନ୍ନତ ସଂସ୍କରଣ ଆଣିବାକୁ ଯୋଜନା କରୁଛି ଭାରତ । ଭାରତୀୟ ସ୍ଥଳସେନାରେ ୨୦୨୨ରୁ ୨୦୨୬ ଭିତରେ ଏହି ଅପଡେଡ୍ T-90 ଭୀଷ୍ମ ଟ୍ୟାଙ୍କ ସାମିଲ ହୋଇପାରେ । ଏହା ଫଳରେ ସୁଉଚ୍ଚ ହିମାଳୟ ପାର୍ବାତ୍ୟାଞ୍ଚଳରେ ଭାରତର ଯୁଦ୍ଧ କ୍ଷମତା ଅଧିକ ମଜବୁତ ହେବ । ଏଥିସହ ମେନ୍ ବ୍ୟାଟଲ୍ ଟ୍ୟାଙ୍କ ଅର୍ଜୁନର MK-1A ଭର୍ସନରେ ୧୪ ପ୍ରକାର ପ୍ରମୁଖ ଉନ୍ନତୀକରଣ କରାଯାଇଛି । ଯାହାକି ମିଜାଇଲ୍ ଫାୟାର୍ କରିବାକୁ ମଧ୍ୟ ସକ୍ଷମ । ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏଭିତରେ ଭାରତ ୧୭୫୦ଟି ଉନ୍ନତ ମେନ୍ ବ୍ୟାଟଲ ଟ୍ୟାଙ୍କ କମ୍ବାଟ୍ ଭେହିକିଲ୍ (FICV) ପାଇଁ ରିକ୍ୱେଷ୍ଟ୍ ଫର୍ ଇନଫର୍ମେସନ୍ ଜାରି କରିଛି । ସେଗୁଡ଼ିକ ସମତଳ, ମରୁ ଓ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରିବାକୁ ସମର୍ଥ ହେବ ଏବଂ କେମିକାଲ୍, ବାୟୋଲୋଜିକାଲ୍ ଓ ନ୍ୟୁକ୍ଲିଅର ଆକ୍ରମଣରେ ସୈନ୍ୟଙ୍କୁ ସୁରକ୍ଷା ଦେବ।

ଏପଟେ ଚଳିତବର୍ଷ ଶେଷ ସୁଦ୍ଧା ଫ୍ରାନ୍ସ ଭାରତକୁ ୩୫ଟି ରାଫେଲ୍ ଲଡ଼ୁଆ ବିମାନ ହସ୍ତାନ୍ତର କରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବାକି ଗୋଟିଏ ରାଫେଲ୍ ଯୁଦ୍ଧ ବିମାନ ୨୦୨୨ ଜାନୁଆରୀରେ ଆସିବ । ଏବେ ସୁଦ୍ଧା ଫ୍ରାନ୍ସ ୨୬ଟି ରାଫେଲ୍ ଫାଇଟର୍ ଜେଟ୍ ଭାରତକୁ ହସ୍ତାନ୍ତର କରିସାରିଛି । ୨୪ଟି ଦେଶକୁ ଆସିସାରିଥିବା ବେଳେ, ୨ଟି ବୈଷୟିକ ତାଲିମ ଉଦ୍ଦେଶ୍ୟରେ ଫ୍ରାନ୍ସରେ ହିଁ ଅଛି । ରାଫେଲର ଗୋଟିଏ ସ୍କ୍ବାଡ୍ରନ୍ ହରିୟାଣା ଅମ୍ବାଲାରେ ଏବଂ ଦ୍ୱିତୀୟ ସ୍କ୍ବାଡ୍ରନ୍ ପଶ୍ଚିମବଙ୍ଗର ଆଲିପୁରଦୁଆର୍ ଜିଲ୍ଲା ହାସିମରା ଏୟାରବେସରେ ରହିବ । କେବଳ ଏତିକି ନୁହେଁ, ଭାରତୀୟ ବାୟୁସେନା ଭବିଷ୍ୟତରେ ଆଉ ୩୬ଟି ରାଫେଲ୍ ଏବଂ ନୌସେନା ରାଫେଲ୍-ଏମ୍ ଫାଇଟର୍ ଜେଟ୍ ଆଣିବ ବୋଲି ମଧ୍ୟ କୁହାଯାଉଛି । ରାଫେଲ୍-ଏମ୍ ଗୁଡ଼ିକୁ ଆଇଏନ୍ଏସ୍ ବିକ୍ରାନ୍ତରେ ମୁତୟନ କରାଯିବାକୁ ଯୋଜନା ରହିଛି।