Advertisment

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରୁ ମାନେକା, ବରୁଣ ଆଉଟ୍‌; ଜ୍ୟୋତିରାଦିତ୍ୟ ଓ ମିଥୁନ୍‌ ଇନ୍‌

ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏଥର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ମାନେକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କୁ ସାମିଲ କରାଯାଇ ନାହିଁ। କମିଟିରେ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ମିଳିନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Varun Gandhi And Maneka Gandhi

Varun Gandhi And Maneka Gandhi

ନୂଆଦିଲ୍ଲୀ: ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏଥର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ବରୁଣ ଗାନ୍ଧି ଓ ତାଙ୍କ ମା’ ମାନେକା ଗାନ୍ଧିଙ୍କୁ ସାମିଲ କରାଯାଇ ନାହିଁ। କମିଟିରେ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ମିଳିନି।

Advertisment

ସେପଟେ, ଦେଢ଼ ବର୍ଷ ପୂର୍ବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ମିଳିଛି। ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କ ନାଁ ରହିଛି। 

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲାଲ୍‌ କୃଷ୍ଣ ଆଡ୍‌ଭାନି, ଡଃ ମୁରଲୀ ମନୋହର ଯୋଶୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ପୀୟୁଷ ଗୋୟଲଙ୍କ ସମେତ ୮୦ ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ବ୍ୟତୀତ ୫୦ ଜଣ ବିଶେଷ ନିମନ୍ତ୍ରିତ ଓ ୧୭୯ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ମଧ୍ୟ ଅଛନ୍ତି। 

Advertisment

ସମୁଦାୟ ୩୦୯ ଜଣ ସଦସ୍ୟଙ୍କୁ ନେଇ ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି  ଘୋଷଣା କରିଛି। ଏଥିରେ ଦଳର କେନ୍ଦ୍ରୀୟ ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ଅଧ୍ୟକ୍ଷ, ରାଷ୍ଟ୍ରୀୟ ପ୍ରବକ୍ତା, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, ସମସ୍ତ ରାଜ୍ୟର ଅଧ୍ୟକ୍ଷ, ପ୍ରଭାରୀ, ସହ ପ୍ରଭାରୀ, ରାଜ୍ୟସଭା ଓ ଲୋକସଭାରେ ମୁଖ୍ୟ ସଚେତକ, ସଂସଦୀୟ କାର୍ଯ୍ୟାଳୟ ସଚିବ ସାମିଲ ଅଛନ୍ତି।

ସୂଚନାଥାଉ କି, ନଭେମ୍ବର ୭ରେ ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ୨୦୨୦, ଜାନୁଆରୀରେ ଜେପି ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହା ବିଜେପିର ପ୍ରଥମ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବ। ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୀତିନ ଗଡ଼କରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

BJP Maneka Gandhi National Executive Committee Varun Gandhi
Advertisment
Advertisment