• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

’ବାପା ବହି କିଣି ଦେଉନାହାନ୍ତି, ମଦ ପିଇ ସବୁ ଟଙ୍କା ଉଡ଼ାଇ ଦେଉଛନ୍ତି ’ । ଶିକ୍ଷକଙ୍କ ସାମ୍ନାରେ କାନ୍ଦୁଛି ପୁଅ, ପାଖରେ ଛିଡ଼ା ହୋଇ ଅଟ୍ଟହାସ୍ୟ କରୁଛି ବାପା । ମଦୁଆ ବାପାର କଥା କହି କହି ଶିକ୍ଷକଙ୍କ ସାମ୍ନାରେ ନିଜର ଅସହାୟତା ବଖାଣୁଛି କୁନି ପୁଅ । ପାଠ ପଢ଼ିବାର ଇଚ୍ଛା ଥିଲେ ସୁଦ୍ଧା ସୁଯୋଗ ମିଳୁନି । ବାପା ବୁଝୁନି ପାଠର ମହତ୍ତ୍ୱ । ମଦ ନିଶାରେ ପିଲାର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛି । ନିଶାରେ ଚୁର୍ ମଣିଷ ସତରେ ସମ୍ପର୍କରେ ମହତ ରଖେନି କି ମୂଲ୍ୟ ବୁଝେନି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଏକ କୁନି ପୁଅ ଅପାରଗ ବାପାଙ୍କ କଥା କହି ସ୍କୁଲ ଶିକ୍ଷକଙ୍କ ସାମ୍ନାରେ କାନ୍ଦୁଛି, ଯାହା ତାହାର ଯନ୍ତ୍ରଣା ବଖାଣୁଛି । ପିଲାଟି କାନ୍ଦି କାନ୍ଦି ଏପରି କହିବା ସମୟରେ ପାଖରେ ବାପ ଛିଡ଼ା ହୋଇ ହସୁଛି ।

ଭିଡିଓଟି ବିହାରର ରୋହତାସ୍ ଜିଲ୍ଲାର ତିଲୋଥୁ ବ୍ଲକରେ ଥିବା ସରକାରୀ ବିଦ୍ୟାଳୟର ବୋଲି କୁହାଯାଉଛି । ଭିଡିଓରେ ଆପଣ ଦେଖିବାକୁ ମିଳୁଛି, ପିଲାଟି ଶ୍ରେଣୀଗୃହରେ ଶିକ୍ଷକଙ୍କ ସାମ୍ନାରେ ବିକଳ ହୋଇ କାନ୍ଦୁଛି । ଶିକ୍ଷକ ତାଙ୍କୁ ପଚାରୁଛନ୍ତି କାହିଁକି ବହି କିଣିନ ? ସବୁ ଦିନ କହିବା ପରେ ବି ବହି ନଆଣି ଆସୁଛ ? ଘରେ ବହି କଥା ବାପାଙ୍କୁ କହିଛ ତ ? ଏ ପ୍ରଶ୍ନ ଶୁଣିବା ପରେ ଆହୁରି ଆହୁରି କାନ୍ଦୁଛି କୁନି ପୁଅ । ପିଲାଟି କହୁଛି ବାପା ଟଙ୍କା ଦେଉନାହାନ୍ତି । ମୋର ବହି କିଣିବା ପାଇଁ ଇଚ୍ଛା ଥିଲେ ବି କିଣିପାରୁନି । ସବୁ ଟଙ୍କା ମଦରେ ଉଡ଼ାଇ ଦେଉଛନ୍ତି । ବହି ଖଣ୍ଡିଏ କିଣିବାକୁ ବି ପଇସା ଦେଉନାହାନ୍ତି ।

ପାଞ୍ଚ ଦିନ କ୍ରମାଗତ ଭାବରେ କହିବା ପରେ ବି ବହି ଆଣୁ ନଥିଲା ଛାତ୍ର

'ପାଞ୍ଚ ଦିନ ନିରନ୍ତର କହିବା ପରେ ମଧ୍ୟ ପିଲାଟି ବହି ନଆଣିବାରୁ ପ୍ରଶ୍ନ କରିଥିଲେ ଶିକ୍ଷକ । ତେବେ ପିଲାଟି କାନ୍ଦିବା ସମୟରେ ତା’ର ବାପା ମଧ୍ୟ ଶ୍ରେଣୀଗୃହରେ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି । ବାପାଙ୍କ ସାମ୍ନାରେ ପିଲାଟି ଖୋଲାଖୋଲି ବାପା ମଦ ପିଇବା କଥା କହୁଛି ।

ସୂଚନାଯୋଗ୍ୟ ବିହାରରେ ମଦ ନିଷେଧ ହୋଇଥିଲେ ସୁଦ୍ଧା ସ୍ଥିତି ସୁଧୁରିବା ପରି ଲାଗୁନି । ରାଜ୍ୟରେ ମଦୁଆଙ୍କ ଉତ୍ପାତ କମୁନି, ବରଂ ବଢ଼ି ବଢ଼ି ଚାଲିଛି । ଆଉ ଏହାରି ଭିତରେ ଏହି ଭିଡିଓ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଭିଡିଓରେ କୁନି ପୁଅର ଭଉଣୀ ମଧ୍ୟ ଦେଖିବାକୁ ମିଳୁଛି । ଭଉଣୀ ମଧ୍ୟ ଶିକ୍ଷକଙ୍କ ସାମ୍ନାରେ ସମାନ କଥା କହୁଛନ୍ତି । ପିତା ସମସ୍ତ ଟଙ୍କା ମଦ୍ୟପାନରେ ଖର୍ଚ୍ଚ କରୁଛନ୍ତି ବୋଲି ସେ କହୁଛି ।