/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634530844.jpg)
Jammu Kashmir
ଶ୍ରୀନଗର: କାଶ୍ମୀରରେ ରହୁଥିବା ବାହାରର ଶ୍ରମିକଙ୍କୁ ସେନା କିମ୍ବା ପୋଲିସ ସୁରକ୍ଷାରେ ଥିବା ଶିବିରକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି । ବିହାର ଓ ଉତ୍ତରପ୍ରଦେଶ ଭଳି ଅନ୍ୟ ରାଜ୍ୟରୁ ଆସି ଶ୍ରମିକ ଭାବେ କାମ କରୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଶିବିରକୁ ନେବା ଲାଗି ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
ଗତକାଲି ୩ ଜଣ ବିହାରୀ ଶ୍ରମିକଙ୍କୁ ଗୁଳି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବାହାରର ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯାଉଛି । ତେବେ ରାଜ୍ୟରେ ହଜାର ହଜାର ବାହାରିଆ ଶ୍ରମିକ କାମ କରୁଥିବା ବେଳେ, କେତେଜଣଙ୍କୁ ସ୍ଥାନାନ୍ତର କରାଯିବ, ସେନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।
Also Read
ତଥାପି ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଗତକାଲି କୁଲ୍ଗାମ୍ ଓ୍ୱାନ୍ପୋରେ ଆତଙ୍କୀଙ୍କ ଗୁଳିମାଡ଼ରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି । ୨ ମୃତକଙ୍କ ନାଁ ରାଜା ରେଶି ଦେବ ଓ ଯୋଗୀନ୍ଦର ରେଶି ଦେବ ଏବଂ ଆହତଙ୍କ ନାଁ ଚୁନ୍ଚୁନ୍ ରେଶି ଦେବ୍ । ଏମାନେ ସମସ୍ତେ ବିହାରର ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଶନିବାର ଦିନ ପୁଲଓ୍ୱାମାରେ ବିହାରର ଏକ ଗୁପ୍ଚୁପ୍ ବାଲା ଏବଂ ଉତ୍ତରପ୍ରଦେଶର ଜଣେ କାଠ ମିସ୍ତ୍ରୀଙ୍କୁ ମଧ୍ୟ ଆତଙ୍କବାଦୀ ହତ୍ୟା କରିଥିଲେ । ଗତ ୨ ସପ୍ତାହ ଭିତରେ ଆତଙ୍କୀଙ୍କ ଗୁଳିରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି ।
ସେପଟେ ବାରମ୍ବାର ଏଭଳି ଅଣ-କାଶ୍ମିରୀ ଶ୍ରମିକଙ୍କୁ ଟାର୍ଗେଟ୍ କିଲିଂ କରାଯିବା ପରେ ଚିନ୍ତାରେ ଜାମ୍ମୁ-କାଶ୍ମୀର ପୋଲିସ । କାଶ୍ମୀରରେ ଥିବା ସମସ୍ତ ଅଣ-ସ୍ଥାନୀୟ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ଥାନା, CAPF ଓ ସେନା କାର୍ଯ୍ୟାଳୟ କିମ୍ବା କ୍ୟାମ୍ପକୁ ସ୍ଥାନାନ୍ତର କରିବାକୁ ସବୁ ଡିଆଇଜିଙ୍କୁ ଚିଠି ଲେଖିଛନ୍ତି ପୋଲିସ ଆଇଜି ।
ସେପଟେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଚିନ୍ତା ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)