/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629205666.jpg)
Afghanistan Student
ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ । ଜୀବନ ବଞ୍ଚାଇବାକୁ କିଏ ବିମାନବନ୍ଦରକୁ ଧାଉଁଛି ତ ଆଉ କିଏ ନିବୁଜ କୋଠରୀରେ ଦିନ କାଟୁଛି । ଏକବିଂଶ ଶତାବ୍ଦୀରେ ଏଭଳି ଛାତିଥରା ଦୃଶ୍ୟ ବିଶ୍ୱ ସମୁଦାୟକୁ ଚକିତ କରିଛି । ଆଉ ଏଭଳି ସ୍ଥିତିରେ ନିଜ ଦେଶଠୁ ଦୂରରେ ରହି ପରିବାର ପାଇଁ ଚିନ୍ତିତ ଅଛନ୍ତି ଆଫଗାନ ଛାତ୍ର ଓ ନାଗରିକ ।
Also Read
ସେମିତି ଜଣେ ଛାତ୍ର ହେଉଛନ୍ତି ଏହସାନ୍ ଉଲ୍ଲା ନୁରି । ଘର କାବୁଲ୍ରେ । ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସରେ ଏମ୍.ଏସ୍.ସି କରୁଛନ୍ତି । ଏବେ କିନ୍ତୁ ନିଜ ଜନ୍ମମାଟିର ସ୍ଥିତିକୁ ନେଇ ରାତିରେ ଶୋଇପାରୁ ନାହାଁନ୍ତି । ଏପରି ସ୍ଥିତିରେ ତାଙ୍କୁ ସାହସ ଦେବା ପାଇଁ ଆଗେଇ ଆସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ତାଙ୍କର ସମସ୍ତ ଦାୟିତ୍ୱ ବିଶ୍ୱବିଦ୍ୟାଳୟ ତୁଲାଇବ ବୋଲି କହିଛନ୍ତି କୁଳପତି । ତାଙ୍କ ଭଳି ଆହୁରି ଅନେକ ଛାତ୍ରଛାତ୍ରୀ ଓଡିଶାରେ ରହି ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ସେମାନଙ୍କ ଅବସ୍ଥା ବି ସମାନ । ପରିବାର ସଦସ୍ୟଙ୍କ ସହ ଫୋନ୍ ଯୋଗେ କଥା ହେଉଛନ୍ତି ସତ, ହେଲେ ଭୟ ପିଛା ଛାଡୁନି । ସମସ୍ତଙ୍କ ମତ ତାଲିବାନ ଶାସନ ବିପକ୍ଷରେ ।
ଆଫ୍ଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଭାରତରେ ଥିବା ଶରଣାର୍ଥୀମାନେ ବି ଚିନ୍ତାରେ । ତାଲିବାନ ଭୟରେ ନିଜ ଦେଶ ଛାଡି ଭାରତ ଆସି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏମାନେ ବ୍ୟବସାୟ କରି ଚଳିଆସୁଛନ୍ତି । ହେଲେ ପୁଣିଥରେ ତାଲିବାନୀ ଶାସନ ଫେରିବା ଏମାନଙ୍କ ମନରେ ବି ଭୟ ସଞ୍ଚାର କରିଛି ।
ସେପଟେ ଆଇଆଇଟି ବମ୍ବେ ଆଫ୍ଗାନ୍ ଛାତ୍ରଛାତ୍ରୀଙ୍କୁ ଫେରିଆସି ଭାରତରେ ପାଠ ପଢା ଜାରି ରଖିବାକୁ ଅନୁମତି ଦେଇଛି । ଅନ୍ୟପଟେ ଜେଏନ୍ୟୁରେ ପାଠ ପଢା ସାରିଥିବା ବହୁ ଛାତ୍ରଛାତ୍ରୀ ଏବେ ଦେଶକୁ ଫେରିବାକୁ ଡରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)