• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୧୯ ବର୍ଷର ଯୁବକ ଏବଂ ୨୧ ବର୍ଷୀୟ ଯୁବତୀଙ୍କ ଲିଭ୍-ଇନ୍ ଅଧିକାରକୁ ସମର୍ଥନ

  • ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଚଣ୍ଡୀଗଡ଼ : ଲିଭ୍-ଇନ୍ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ । ୧୯ ବର୍ଷର ଯୁବକ ସହ ୨୧ ବର୍ଷୀୟ ଯୁବତୀ ଏକାଠି ଲିଭ-ଇନ୍ ସମ୍ପର୍କରେ ରହିପାରିବେ । ଏଥିରେ ଉଭୟଙ୍କ ଅଧିକାର ଥିବା ସହ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି । ୧୯ ବର୍ଷରେ ଜଣେ ସାବାଳକ ହେବା ପରେ ତାଙ୍କୁ ଏହି ଅଧିକାରରୁ ବଂଚିତ କରାଯାଇ ପାରିବ ନାହିଁ । ହାଇକୋର୍ଟରେ ଏହି ମାମଲାର ଶୁଣାଣି କରି ସିଙ୍ଗିଲ ବେଞ୍ଚର ଜଜ୍ ଅରୁଣ କୁମାର ଟ୍ୟାଗୀ କହିଛନ୍ତି, ଆବେଦନକାରୀ ସାବାଳକ ହୋଇଥିବାରୁ ଲିଭ-ଇନ୍-ରିଲେସନସିପରେ ରହିବା ପାଇଁ ହକଦାର।

୧୯ ବର୍ଷର ଯୁବକ ଓ ୨୧ ବର୍ଷୀୟ ଯୁବତୀ ଏକାଠି ରହିବା ପାଇଁ ଚାହୁଁଥିଲେ । କିନ୍ତୁ ଝିଅଙ୍କ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୋହଲି ପୋଲିସରେ ମଧ୍ୟ ଆବେଦନ କରିଥିଲେ ୧୯ ବର୍ଷୀୟ ଯୁବକ । କାରଣ ପରିବାରର ପ୍ରତିଷ୍ଠା ଦୃଷ୍ଟିରୁ ଉଭୟଙ୍କୁ ମାରିବାକୁ ଧମକଚମକ ଦେଉଥିଲେ ଝିଅର ପରିବାର ଲୋକ । ଅନ୍ୟପଟେ ଆବେଦନକାରୀ ସାବାଳକ ହୋଇଥିଲେ ସୁଦ୍ଧା ବିବାହ ବୟସ ହୋଇନଥିବା ଦର୍ଶାଇଥିଲେ । ବିବାହ ବୟସ ହେବା ମାତ୍ରେ ଉଭୟେ ବିବାହ କରିବେ ବୋଲି ମଧ୍ୟ କହିଥିଲେ । ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଦମ୍ପତି ଏକ ସଙ୍ଗେ ଲିଭ-ଇନ୍ ସଂପର୍କରେ ରହିବା ଲାଗି ସୁରକ୍ଷା ଯୋଗାଇବାକୁ ବରିଷ୍ଠ ପୋଲିସ ଅଧୀକ୍ଷକଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ମାନିସିକ ଅଶାନ୍ତି ତଥା ଭୟରେ ଉଭୟ ଜୀବନ ବିତାଉଥିଲେ । ଏହି ଘଟଣା ସମ୍ପର୍କରେ ଅବଗତ ହେବାପରେ ଦମ୍ପତିଙ୍କ ଜୀବନ ଏବଂ ସ୍ୱାଧୀନତା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ବିଚାରପତି ।