• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: LACରେ ଚୀନ ସେନାକୁ ତ୍ରିଶୁଳ ଓ ବଜ୍ରରେ ଜବାବ ଦେବ ଭାରତୀୟ ସେନା । ସୀମାନ୍ତରେ ସେନାର ମୁକାବାଲି ପାଇଁ ପ୍ରସ୍ତୁତ ହୋଇଛି ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର । ଡ୍ରାଗନ ସେନାକୁ ମାତ ଦେବାକୁ ଭାରତୀୟ ଯବାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହି ଅସ୍ତ୍ର ବ୍ୟବହାର ଦ୍ୱାରା କୌଣସି ଜୀବନ ହାନୀ ଘଟିବ ନାହିଁ । କିନ୍ତୁ ଶତ୍ରୁ ପକ୍ଷକୁ ଘାଇଲା କରିବାରେ ବଡ଼ ସହାୟକ ହେବ ।

ତ୍ରିଶୁଳ, ବଜ୍ର ଓ ଅତ୍ୟାଧୁନିକ ଗ୍ଲୋବ୍ସ ଦ୍ୱାରା ଶତ୍ରୁ ପକ୍ଷର ଯବାନଙ୍କୁ ଶକ୍ତ ବିଜୁଳି ଝଟକା ଲାଗିବ । ମୁହାଁମୁହିଁ ସ୍ଥିତିରେ ଭାରତୀୟ ଯବାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ସହାୟକା ହେବ । ଉତ୍ତରପ୍ରଦେଶ ନୋଏଡାର ଏକ ଘରୋଇ କମ୍ପାନୀ ଏହି ଅତ୍ୟାଧୁନିକ ତ୍ରିଶୁଳ, ବଜ୍ର, ଢାଲ ଏବଂ ଗ୍ଲୋବ୍ସ ପ୍ରସ୍ତୁତ କରିଛି । ଏହି ଅଣ ଘାତକ ଅସ୍ତ୍ରଶସ୍ତ୍ର ଚୀନ ସେନାକୁ ଜବାବ ଦେବାକୁ ପୁରାପୁରି ସକ୍ଷମ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଗତ ବର୍ଷ ଏଲ୍ଏସିରେ ଭାରତୀୟ ସୀମାର ଗଲଓ୍ୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । ଭାରତୀୟ ସେନା ବିନା ଅସ୍ତ୍ରଶସ୍ତ୍ରରେ ଥିବା ବେଳେ ଚୀନ ସେନା କଣ୍ଟାତାର ଗୁଡ଼ା ହୋଇଥିବା ଅସ୍ତ୍ର ଧରି ଆସିଥିଲେ । ଆଉ ସେଥିରେ ଭାରତୀୟ ସେନା ଉପରେ ଆକ୍ରମଣ କରି ଭାରତୀୟ ଯବାନଙ୍କୁ ଲହୁଲୁହାଣ କରିଥିଲେ । ଲୁହା କଣ୍ଟା ପୂର୍ଣ୍ଣ ଠେଙ୍ଗା, ଟିଜର ଗନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ ଚୀନ ଯବାନ ।

 

ଏହି ମୁହାଁମୁହିଁ ସ୍ଥିତି ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି କମ ମାତ୍ରାର ଘାତକ ଅସ୍ତ୍ର ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ନୋଏଡାର ଏପଷ୍ଟ୍ରନ୍ କମ୍ପାନୀ ଏହି ଅତ୍ୟାଧୁନିକ ପାରମ୍ପରିକ ତ୍ରିଶୂଳ ଓ ବଜ୍ର ପ୍ରସ୍ତୁତ କରିଛି । ଏଲ୍ଏସିରେ ଉତ୍ତେଜନା କମ କରିବାକୁ ଦୁଇ ଦେଶ ମଧ୍ୟରେ ୧୩ତମ ଆଲୋଚନା ଶେଷ ହୋଇଥିଲଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଏବେ ସୁଦ୍ଧା ସମାଧାନର ବାଟ ବାହାରି ପାରିନାହିଁ । ଚୀନ, ସୀମାରେ ହଜାର ହଜାର ସଂଖ୍ୟାରେ ଯବାନଙ୍କୁ ଠୁଳ କରିଛି । କୌଣସି ସମୟରେ ବି ଭାରତ ଉପରେ ଚାପ ପ୍ରୟୋଗ କରିବା ପାଇଁ ଚୀନ୍‌ ପ୍ରସ୍ତୁତ ରହିଛି ।