• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କୃଷକଙ୍କ  ପାଇଁ ସରକାର ଆଣିଥିଲେ ୩ଟି ନୂଆ କୃଷି ଆଇନ୍ । ବ୍ୟାପକ ବିରୋଧ ସତ୍ତ୍ୱେ ଚାଷୀଙ୍କୁ ଅହରହ ବୁଝାଇବାକୁ ଉଦ୍ୟମ କରିଥିଲେ । ହେଲେ ବର୍ଷେ ହେଲା ଏହି ଉଦ୍ୟମରେ ସରକାର ସଫଳ ହୋଇପାରୁନଥିଲେ । ଫଳରେ କୃଷି ଆଇନକୁ ବିରୋଧ କରି ତେଜିଥିଲା ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଖୁସି ଖେଳିଯାଇଛି ଦିଲ୍ଲୀ ଗାଜିପୁର ସୀମାରେ । ବାଣ ଫୁଟିଛି, ମିଠା ବଂଟାଯାଇଛି । ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଚାଷୀ । ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଫୁଟିଛି ହସ । ସମସ୍ତେ ସ୍ୱାଗତ କରିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ । ଚାଷୀ କହିଛନ୍ତି, ବର୍ଷକର ତପସ୍ୟା ପୁରା ହେବାକୁ ଯାଉଛି । ଏବେ ସେମାନେ ନିଶ୍ଚିନ୍ତରେ ଘରକୁ ଫେରିପାରିବେ । 

କୃଷି ଆଇନ୍-୧: କୃଷି ଉତ୍ପାଦନ ବ୍ୟାପାର ଏବଂ ଏହି ଆଇନ୍ ଅନୁସାରେ ଚାଷୀ ନିଜ ଇଛା ମୁତାବକ ଯେକୌଣସି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବ ।

କୃଷି ଆଇନ୍-୨: କୃଷକ ସଶକ୍ତୀକରଣ ଓ ସଂରକ୍ଷଣ । ଫସଲ ନଷ୍ଟ ହେଲେ କ୍ଷତିର ଭରଣା ଚାଷୀ ବଦଳରେ ଏଗ୍ରିମେଂଟ କରିଥିବା ପକ୍ଷ ବା କମ୍ପାନୀ କରିବାକୁ ଏହି ଆଇନରେ ଥିଲା ବ୍ୟବସ୍ଥା ।

କୃଷି ଆଇନ୍-୩: ଆବଶ୍ୟକ ବସ୍ତୁ ଅଧିନିୟମ । ଏହି ଆଇନ୍ ଅନୁସାରେ ଅସାଧାରଣ ସ୍ଥିତିକୁ ବାଦ ଦେଲେ ବ୍ୟବସାୟ ପାଇଁ ଚାଉଳ, ଡାଲି, ତେଲ ଏବଂ ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଷ୍ଟକ୍ ଲିମିଟ୍ ହଟାଇ ଦିଆଯାଇପାରିବ ।

ତେବେ କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ୧୭ ସେପଟେମ୍ବର ୨୦୨୦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ପାର୍ଲାମେଣ୍ଟରେ ପାସ୍ ହେଲା ୩ଟି ଯାକ କୃଷି ବିଲ୍ । ୨୦ ସେପ୍ଟେମ୍ବର ୨୦୨୦ରେ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ଆଇନ୍‌ରେ ପରିଣତ ହେଲା କୃଷି ବିଲ୍ । ହେଲେ ମଣ୍ଡି ବାହାରେ କୃଷି ଉତ୍ପାଦ ବିକ୍ରି ଓ ଏମ୍ଏସ୍‌ପି ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ କରିଥିଲେ ଚାଷୀ ।

୨୬ ନଭେମ୍ବର ୨୦୨୦ । ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଦେଲେ ଚାଷୀ । ପଞ୍ଜାବ ଓ ହରିୟାଣା ସମେତ ଦେଶର ବିଭିନ୍ନ ଅଞ୍ଚଳର ଚାଷୀ ଦିଲ୍ଲୀ ସୀମା ସିଂଘୁରେ କ୍ୟାମ୍ପ ପକାଇ ଧାରଣା ଦେଲେ । ସରକାରଙ୍କ ସହ ବାରମ୍ବାର ଆଲୋଚନା ହେଲା । ହେଲେ ସମାଧାନର ବାଟ ବାହାରି ପାରିନଥିଲା । ୧୨ ଜାନୁଆରୀ ୨୦୨୧ରେ ସୁପ୍ରିମକୋର୍ଟ ତିନିଟି ଯାକ ଆଇନ୍‌କୁ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ । ଏହାସତ୍ତ୍ୱେ ଚାଷୀ ଆନ୍ଦୋଲନ ଥମି ନଥିଲା । ୩ଟି ଯାକ ଆଇନ୍‌କୁ ଉଚ୍ଛେଦ ଦାବିରେ ଅଡି ରହିଥିଲେ ଚାଷୀ ।

 

୨୬ ଜାନୁଆରୀ ୨୦୨୧ । ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀରେ ଘଟିଥିଲା ବଡ ଧରଣର ବିଶୃଙ୍ଖଳା । ଉତ୍ତରପ୍ରଦେଶ ଲଖିମପୁରର ଖେରିରେ ଚାଷୀ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଯାଉଥିବା ଗାଡି ମାଡିଯିବାରୁ ଚାଷୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଦେଶରେ ଯେବେଠୁ କୃଷି ଆଇନ୍ ଆସିଥିଲା ସେବେଠୁ ଜାରି ରହିଥିଲା ଅଶାନ୍ତି । ଶେଷରେ ଏତେ ସବୁ ଅଶାନ୍ତିର ଅନ୍ତ ଘଟାଇ ଆଇନ୍ ପ୍ରତ୍ୟାହାର ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।