Advertisment

"ସାତ ଜନ୍ମର ସମ୍ପର୍କ ତିଆରି କରିବା ପାଇଁ ସାତଦିନର ସମୟ"

ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ ।

author-image
Otv Khabar Bureau
berhampur bride

berhampur bride

ଭୁବନେଶ୍ୱର: ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ । କୌଣସି ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରିବେନି ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର SDJM କୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ପରେ ତପସ୍ୱିନୀ ଏବଂ ସୁମିତ ଆସିକା ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ରହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉଭୟଙ୍କ ସୁରକ୍ଷା ପାଇଁ ଗେଷ୍ଟହାଉସକୁ ପୋଲିସ ଜଗି ରହିବ। ଠିକ୍ ସପ୍ତାହେ ପରେ ତପସ୍ୱିନୀ ଓ ସୁମିତଙ୍କୁ ଡାକି ମାମଲାର ଶୁଣାଣି କରିବେ କୋର୍ଟ ।

Advertisment

ସାତ ଜନ୍ମର ସମ୍ପର୍କ ତିଆରି କରିବା ପାଇଁ ସାତଦିନର ସମୟ ମିଳିଲା । ତପସ୍ବିନୀଙ୍କ ତପସ୍ୟା ପୂରଣ ହେଲା । ନ୍ୟାୟ ଭିକ୍ଷା ପାଇଁ ଶ୍ୱଶୁରଙ୍କ ଘରଦାଣ୍ଡରେ ଯେଉଁ ଟେଣ୍ଟ ପକାଇ ନବବଧୂ ବେଶରେ ଧାରଣା ଦେଇଥିଲେ ତପସ୍ବିନୀ, ଶେଷରେ ହଟିଲା ସେହି ଟେଣ୍ଟ । ଡାକ୍ତର ସ୍ୱାମୀ ସୁମିତ ସାହୁଙ୍କ ସହ ତପସ୍ୱିନୀ ଆସିକା ଚିନିକଳର ଏକ ଗେଷ୍ଟ ହାଉସରେ ଏବେ ଏକାଠି ରହୁଛନ୍ତି। ରାଗ, ରୂଷା, ମାନ, ଅଭିମାନ, ବିବାଦ, ମନୋମାଳିନ୍ୟ ଯାହା କିଛି ବି ଥିଲା, ଗୋଟିଏ ଛାତତଳେ ସପ୍ତାହକର ରହଣୀ ଭିତରେ ତୁଟାଇବାକୁ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର SDJM କୋର୍ଟ ।

ଖାଇବା ପିଇବାଠୁ ଆରମ୍ଭ କରି ଆବଶ୍ୟକୀୟ ଖର୍ଚ୍ଚ ସୁମିତ ବହନ କରିବେ । ଗେଷ୍ଟହାଉସରେ ରହଣୀ ଖର୍ଚ୍ଚ ସରକାର ବହନ କରିବେ । କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏହି ସମୟରେ କୌଣସି ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରିବେନି କି ଏହି ଦମ୍ପତ୍ତିଙ୍କୁ କେହି ବି ସାକ୍ଷାତ କରିବାକୁ ଆସିବେନି । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଗେଷ୍ଟହାଉସ୍ ବାହାରେ ଜଗିରହିଛନ୍ତି ପୋଲିସ ଫୋର୍ସ । ଆସିକା ଥାନା IICଙ୍କ ନେତୃତ୍ୱରେ ପୋଲିସ ଟିମ୍ ଆସିକା ଚିନିକଳ ଗେଷ୍ଟହାଉସ ପରିସରରେ ୨୪ ଘଣ୍ଟିଆ ପହରା ଦେଉଥିବାର ଦେଖିବାକୁ ମିଳିଛି। କାରଣ ଉଭୟଙ୍କ ମଧ୍ୟରେ ବିଗିଡ଼ି ଯାଇଥିବା ସମ୍ପର୍କରେ ଯେପରି ସୁଧାର ଆସିବ ତାକୁ ଲକ୍ଷ୍ୟ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ।

Advertisment

ନିଜକୁ ବୋହୂ ଦାବି କରି ଗତ ୨୨ରୁ ଧାରଣା ଦେଇଥିଲେ ଛତ୍ରପୁରର ଡିମ୍ପଲ ଓରଫ୍ ତପସ୍ୱିନୀ ଦାସ । ବ୍ରହ୍ମପୁର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘରେ ପ୍ରବେଶ ଜିଦ୍‌ରେ ଅଟଳ ରହି ଦାଣ୍ଡରେ ବସି ଅନଶନ କରୁଥିଲେ। ତାଙ୍କ କହିବା କଥା, ୨୦୨୦ ସେପ୍ଟେମ୍ବର ୭ରେ ସୁମିତଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ । ତପସ୍ବିନୀ ବିବାହ ପରେ ଏହି ଘରେ ୬ ମାସ ବୋହୂ ଭାବେ ବିତାଇଥିବା ବି ଦାବି କରିଥିଲେ । କିନ୍ତୁ ଶ୍ୱଶୁର ଘର ଲୋକେ ବୈଦିକ ରୀତିରେ ବିବାହ କରାଇବାର ପ୍ରତିଶ୍ରୁତି ଦେଇ ବାପ ଘରକୁ ପଠାଇଦେଇଥିବାର ଅଭିଯୋଗ କରିଥିଲେ ତପସ୍ୱିନୀ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିଲେ ।

ଶେଷରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ରାତିଦିନ, ଶୀତ, କାକରକୁ ସହି ନ୍ୟାୟଭିକ୍ଷା ପାଇଁ ଅଡ଼ିବସିଥିଲେ ୧୧ ଦିନ ଯାଏଁ । ମାମଲା କୋର୍ଟରେ ଥିବାରୁ ପୋଲିସ ବି ହସ୍ତକ୍ଷେପ କରିପାରୁନଥିଲା । ଶେଷରେ ଗତକାଲି ଦୀର୍ଘ ସମୟର ଶୁଣାଣି ପରେ ରାତି ପ୍ରାୟ ୧୦ଟାରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ସପ୍ତାହେ ପାଇଁ ଉଭୟଙ୍କୁ ଏକାଠି ରହିବାକୁ ପରାମର୍ଶ ଦେଇଛନ୍ତି SDJM କୋର୍ଟ । ସପ୍ତାହେ ପରେ ତପସ୍ୱିନୀ ଓ ସୁମିତ କୋର୍ଟଙ୍କୁ ନିଜ ମତ ଜଣାଇବେ ବୋଲି କୋର୍ଟ କହିଛନ୍ତି । ଏବେ ଅପେକ୍ଷା ତପସ୍ୱିନୀ ଓ ସୁମିତଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟରେ ସପ୍ତାହେ ପରେ କେତେ ସୁଧାର ଆସୁଛି ।

ରିପୋର୍ଟର- ଆସିକାରୁ ମନୋଜ ମୁନୀ

Berhampur Bride Odisha
Advertisment
Advertisment