• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜଙ୍ଗଲର ଏନ୍‌ସାଇକ୍ଲୋପିଡିଆ ପଦ୍ମଶ୍ରୀ ତୁଲସୀ ଗୌଡ଼ା ।

  • ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି ଭବନ ।

  • ଖାଲି ପାଦରେ, ପାରମ୍ପରିକ ଶାଢ଼ି ପିନ୍ଧି ପଦ୍ମଶ୍ରୀ ଗ୍ରହଣ କଲେ ।

ପଦ୍ମଶ୍ରୀ ତୁଲସୀ ଗୌଡ଼ା । ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି । ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନକୁ ବି ଆସିଲେ ସେମିତି । ଖାଲି ପାଦ, ଦେହରେ ଆଦିବାସଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା । ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୭୨ ବର୍ଷିୟ ଜଙ୍ଗଲ ପ୍ରେମୀ ତୁଲସୀ ଗୌଡ଼ା । କର୍ଣ୍ଣାଟକ ହୋନାଲି ଗାଁର ଆଦିବାସୀ ତୁଲସୀଙ୍କୁ ଜଙ୍ଗଲର ଏନ୍‌ସାଇକ୍ଲୋପିଡିଆ ବୋଲି କୁହାଯାଏ । କାରଣ ଜଙ୍ଗଲରେ ଥିବା ପ୍ରତିଟି ଗଛକୁ ସେ ଭଲ ଭାବେ ଜାଣନ୍ତି । କେଉଁ ଗଛର କଣ ଫାଇଦା, କେଉଁ ଗଛରୁ କଣ ଔଷଧ ତିଆରି ହୋଇପାରେ ସବୁକିଛି ତାଙ୍କର ମୁଖସ୍ତ ।

ହେଲେ ଜାଣିକି ଆଶ୍ଚର୍ଯ୍ୟ ହେବେ, ସେ ଜୀବନରେ କେବେ ସ୍କୁଲ ପିଣ୍ଡା ବି ଚଢ଼ି ନାହାନ୍ତି । ନିଜ ଜୀବନ କାଳରେ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ତୁଲସୀ । ଦୁଇ ବର୍ଷ ବୟସରୁ ପରିବେଶ, ପଶୁ, ଜଙ୍ଗଲ ସହ ଜଡ଼ିତ ତୁଲସୀ । ତାଙ୍କ ଅତୁଳନୀୟ ଅବଦାନ ପାଇଁ ଖୋଦ୍ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି । ତେବେ ରାଷ୍ଟ୍ରପତି ଭବନରେ ତାଙ୍କର ଏଭଳି ବେଶବୁଶା ପାଇଁ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଜଣେ ନିର୍ମାୟା ଓ ଛନ୍ଦକପଟ ହୀନ ମହିଳା ବୋଲି ଏବେ ସବୁଠି ଆଲୋଚନା । କୌଣସି ଏକ ବଡ଼ ଯାଗାକୁ ଗଲେ ଲୋକେ ସାଧାରଣତଃ ସଜବାଜ ହୋଇଯାଇଥାନ୍ତି । ଯେଶା ଦେଶ ୱେସା ବେଶ୍‌ ଭଳି ଲୋକେ ସ୍ଥାନ ଅନୁସାରେ ନିଜର ବେଶବୁଶା ବଦଳାଇଥାନ୍ତି । ହେଲେ ପଦ୍ମଶ୍ରୀ ତୁଲସୀ ଗୌଡ଼ା ସେମିତି କିଛି କରିନଥିଲେ । ସେ ପ୍ରକୃତରେ ଯେମିତି ଠିକ୍‌ ସେମିତି ଭାବେ ପହଞ୍ଚିଥିଲେ ରାଷ୍ଟ୍ରପତି ଭବନରେ । ତେଣୁ ସେ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସେହିଭଳି ଓଡ଼ିଶାରୁ ମଧ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର । ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । କଳା ପାଇଁ ପୂର୍ଣ୍ଣମାସୀ ଜାନି, ସାହିତ୍ୟ ପାଇଁ ରଜତ କରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନର ଅଶୋକା ହଲ୍‌ରେ ସମସ୍ତଙ୍କୁ ସମ୍ମାନିତ କରାଯାଇଛି । ଏଥିପାଇଁ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

୨୦୨୧ ବର୍ଷ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ମରୋଣତ୍ତର ଭାବେ ଦିବଙ୍ଗତ ସଙ୍ଗୀତଜ୍ଞ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କୁ ମିଳିଛି ପଦ୍ମ ବିଭୂଷଣ । ଐତିହାସିକ ବିବି ଲାଲ୍, ମେଡିସନ୍ ପାଇଁ ବିଏମ୍ ହେଗଡେଙ୍କୁ ପଦ୍ମ ବିଭୂଷଣ ପ୍ରଦାନ ହୋଇଛି । ମରଣୋତ୍ତର ଭାବେ ରାମବିଲାସ ପାସୱାନଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି । ପୁଅ ଚିରାଗ ପାସୱାନ୍ ସମ୍ମାନ ଗ୍ରହଣ କରିଛନ୍ତି ।

ସେହିପରି ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ, କେଶୁଭାଇ ପଟେଲ ପଦ୍ମ ଭୂଷଣ ସମ୍ମାନ ପାଇଛନ୍ତି । କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି ।