• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଭିଯୋଗ ଆଣିଲା ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ

  • ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

  • ସମସ୍ତ ଅଭିଯୋଗକୁ ବିଧାୟିକାଙ୍କ ଖଣ୍ଡନ

କେନ୍ଦୁଝର( ପ୍ରଣୟ କୁମାର ପାଣି) : ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ବିଧାୟିକାଙ୍କ ଚାପର ବଶବର୍ତ୍ତୀ ହୋଇ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟିକା ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ଚର୍ଚ୍ଚିତ ବିଧାୟିକାଙ୍କ ବିରୋଧରେ ଅଭିଯୋଗ । ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ବ୍ୟବସାୟ ବଢେଇବାକୁ ଯାଇ ଗୁଣ୍ଡାଗିରି କରୁଥିବା ଅଭିଯୋଗ ଆଣିଛନ୍ତି ବାଂଶପାଣି ସ୍ଥିତ ମାଇନିଂ ଏରିଆ ଟ୍ରକ ମାଲିକ ସଂଘ । ଏ ନେଇ ସଂଘ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଟ୍ରକ ମାଲିକ ସଙ୍ଘର କାର୍ଯ୍ୟକାର୍ତ୍ତା ।

ଯାଜଙ୍ଗ ସ୍ଥିତ ଜେଏସଡବ୍ଲ୍ୟୁ ଖଣିରୁ ଟଣ୍ଟୋ ସ୍ଥିତ ବିଆରପିଏଲକୁ ଖଣିଜ ପଦାର୍ଥ ପରିବହନ ଦରକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୂର୍ବରୁ ପରିବହନ ମୂଲ୍ୟ ୩୮୩ ଟଙ୍କା ଥିବା ବେଳେ ଏହାକୁ ୩୨୦ ଟଙ୍କାକୁ ହ୍ରାସ କରାଯାଇଥିଲା । ମୂଲ୍ୟ ହ୍ରାସକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ଖଣି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ମାତ୍ର ବିଧାୟିକାଙ୍କ ଇଙ୍ଗିତରେ କିଛି ଲୋକେ ଆନ୍ଦୋଳନକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଟ୍ରକ ମାଲିକ ସଂଘ ପକ୍ଷରୁ ବମେଵାରୀ ଥାନାରେ ପୃଥକ ପୃଥକ ୪ଟି ଏତଲା ଦୟାର କରାଯାଇଥିଲା । ଥାନା ପକ୍ଷରୁ ମାତ୍ର ଗୋଟିଏ ଏତଲା ଗ୍ରହଣ କରିଥିବା ବେଳେ ଅନ୍ୟ ଏତଲା ଗ୍ରହଣ କରାଯାଇ ନାହିଁ । ଏଭଳି ସ୍ଥିତିରେ ଟ୍ରକ୍ ମାଲିକ ସଂଘ ଆଗକୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି । ବିଧାୟିକାଙ୍କୁ ବ୍ୟବସାୟ ନିଶା ଏପରି ଘରିଛି ଯେ ଲୋକେ ଯାହାଙ୍କୁ ନିଜର ସେବା ନିମନ୍ତେ ନିଜର ବହୁମୂଲ୍ୟ ଭୋଟ ଦେଇ ନିର୍ବାଚିତ କରିଥିଲେ ସେହି ବିଧାୟିକା ଟ୍ରକ ମାଲିକଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ଆଣିଛନ୍ତି ଟ୍ରକ ମାଲିକ । ହେଲେ ବିଧାୟିକା ଏହାକୁ ଖଣ୍ଡନ କରିବା ସହ ଏହା ତାଙ୍କ ବିରୋଧରେ ଚକ୍ରାନ୍ତ ବୋଲି କହିଛନ୍ତି ।