• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜେନ୍ଦ୍ରଙ୍କ ବଗିଚାରେ ଫଳିଛି ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି

  • ନିଜେ ଭଲ ଦୁଇପଇସା ରୋଜଗାର କରିବା ସହ ୪/୫ଜଣ ଲୋକଙ୍କୁ ନିୟୋଜିତ କରିଛନ୍ତି

ଆଳି(ବନମାଳୀ ସାହୁ) : ସୁଯୋଗ ଆଣିଲା ମହାମାରୀ । ବାଡ଼ିରେ ଝୁଲୁଛି କଲରା, ଭେଣ୍ଡି, କାକୁଡ଼ି । ଜୁଆଡ଼େ ଚାହିଁବ ସବୁଜିମାରେ ଭରପୁର ପରିବେଶ । କରୋନା ପ୍ରଥମ ଲହରୀ ଠାରୁ ଆରମ୍ଭ କରି ଦ୍ୱିତୀୟ ଲହରୀ, ପ୍ରାୟ ୨ବର୍ଷ ହେଲା ଜାରି ରହିଛି ଲକଡାଉନ,ସଟଡାଉନ କଟକଣା । ଆଉ ଏହି ଅଦୃଶ୍ୟ ଭାଇରସ୍ ଭୟ ଭିତରେ ଅନେକଙ୍କ ପାଇଁ କିନ୍ତୁ ଉଦାହରଣ ସାଜିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାଳକାଟି ପଞ୍ଚାୟତ ହାଇସ୍କୁଲର କିରାଣୀ ରାଜେନ୍ଦ୍ର ପ୍ରସାଦ ବେହେରା । ନିଜର ବାଡ଼ି ପଛପଟେ ଥିବା ଏକର ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା ଓ ଫଳ ଚାଷ କରି କରିଛନ୍ତି । ଫଳ ପନିପରିବା ଫଳାଇ ଭଳ ଦୁଇ ପଇସା ରୋଜଗାର କରିବା ସହ ସେ ୪/୫ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଳକାଟି ଗାଁର ରାଜେନ୍ଦ୍ର ବେହେରା । ନିଜ ଗାଁ ହାଇସ୍କୁଲରେ କିରାଣୀ ଭାବେ କାର୍ଯ୍ୟରତ । ହେଲେ ତାଙ୍କର ନିଶା ହେଉଛି ଚାଷ କରିବା । ଲକଡାଉନ୍ ନଥିବାବେଳେ ସ୍କୁଲରୁ ଫୁରସତ ମିଳିଲେ ଧାଇଁ ଆସନ୍ତି ନିଜ ଚାଷ ଜମିକୁ । ତେବେ କରୋନା ସଂକ୍ରମଣ ପାଇଁ କୋଭିଡ କଟକଣା ଲାଗୁ ହୋଇଥିଲା । ଆଉ ସମୟରେ ନୂଆ କିଛି କାମ କରିବା ପାଇଁ ରାଜେନ୍ଦ୍ର ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଅଳ୍ପ କିଛି କିଛି ପରିବା ଚାଷ କରୁଥିବା ବେଳେ ଲକଡାଉନ୍ ଯେପରି ତାଙ୍କ ପାଇଁ ସୁଯୋଗ ଆଣିଦେଲା । ବାଡି ପଛପଟ ଏକର ଏକର ଜମିକୁ ପରିବା ଓ ଫଳଚାଷ ପାଇଁ ସେ ପ୍ରସ୍ତୁତ କରିଥିଲେ ।

ଉନ୍ନତ କିସମର ପରିବା ମଞ୍ଜି, ଫଳଗଛ, ଚାରା ସହିତ କମ୍ ଖର୍ଚରେ ପମ୍ପସେଟ,କଳଲଙ୍ଗଳ ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ସଂଗ୍ରହ କରି ଚାଷରେ ଲାଗି ପଡିଥିଲେ ରାଜେନ୍ଦ୍ର । କରୋନା ଯୋଗୁଁ ସ୍କୁଲ ସମୟ ବାଦ ବଳକା ସମୟକୁ ଉପଯୋଗ କରି ରାଜେନ୍ଦ୍ର ନିଜସ୍ୱ ପରିଶ୍ରମରେ ଚାଷ କରୁଛନତି ।  ଏବେ ରାଜେନ୍ଦ୍ରଙ୍କ ପରିବା ଉଦ୍ୟାନ ଭରିଯାଇଛି, ଜହ୍ନି, କଲରା, ଭେଣ୍ଡି, ଝୁଡଙ୍ଗ, ଶିମ୍ବ, ବିନ୍ସ, କାକୁଡି । ପୁଞ୍ଜାପୁଞ୍ଜା ଝୁଡଙ୍ଗ,କଲରା, ଭେଣ୍ଡି ଗଛରେ ଶୋଭା ପାଉଥିବା ବେଳେ ଛୋଟିଆ ଛୋଟିଆ କଲମୀ ଗଛରେ ପିଜୁଳି, ସପେତା,କାଗିଜି ଝୁଲୁଛି । ଏଥି ସହିତ ବାଡି ସଂଲଗ୍ନ ପୋଖରୀରେ ମାଛଚାଷ । ଏମିତି ଭାବରେ ନିଜସ୍ୱ ଉଦ୍ୟମରେ ଚାଷ କରୁଥିବା ରାଜେନ୍ଦ୍ର ନିଜ ରୁଚି ଅନୁଯାୟୀ ଏଇ ଚାଷଜମିରେ ଛୋଟିଆ ଘରଟେ କରିଛନ୍ତି । ଘର ପାଖରେ ପୁଣି ନିଜ ପରିକଳ୍ପନା ଅନୁସାରେ ଝରଣା,ଭଳିକିଭଳି ଫୁଲଗଛ ଛୋଟିଆ ପାର୍କର ଭ୍ରମ ସୃଷ୍ଟି କରୁଛି । ପରିବା,ଫଳରେ ନିଜ ପରିବାର ଗୁଜୁରାଣ ମେଣ୍ଟିବା ସହିତ ବେଶ୍ ଦୁଇପଇସା ରୋଜଗାର କରୁଛନ୍ତି ।

ଏହାସହ ରାଜେନ୍ଦ୍ର ନିଜ ବଗିଚାରେ ୪/୫ଜଣ ଲୋକଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି । ଫଳରେ କିଛି ଲୋକଙ୍କୁ ରୋଜଗାର ମିଳିଯାଉଛି । ରାଜେନ୍ଦ୍ର ନିଜ ବାଡ଼ିରେ ଉନ୍ନତ ମାନର ଚାଷ କରି ନିଜ ଅଂଚଳରେ ଜଣେ ସଫଳ ଚାଷୀ ଭାବରେ ପରିଚୟ ସୃଷ୍ଟି କରିପାରିଛନ୍ତି । କୋଭିଡ କଟକଣାର ଆତଙ୍କ ସମୟରେ ଏଇ ଚାଷ ଜମିରେ ସମୟ କାଟି ଭରପୁର ଆନନ୍ଦ ପାଉଛି ବୋଲି କହିଛନ୍ତି ରାଜେନ୍ଦ୍ର । ସତରେ ଏ ମହାମାରୀର କଟକଣା ସମୟରେ ଅନ୍ୟ ମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି ରାଜେନ୍ଦ୍ର ।