• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ?

  • ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନ ।

  • ନୂଆ ଗାଡ଼ି କିଣାରେ ସବ୍‌ସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।

ଭୁବନେଶ୍ୱର (ରିପୋର୍ଟ-କପିଳେନ୍ଦ୍ର ପ୍ରଧାନ): ବଢ଼ିଚାଲିଛି ଇଲେକ୍‌ଟ୍ରିକ୍ ଯାନ ଚାହିଦା । ଗତବର୍ଷ ଅପେକ୍ଷା ରାଜ୍ୟରେ ଚଳିତ ବର୍ଷ ବିକ୍ରି ହେଲାଣି ୪ ଗୁଣା ଇ-ଗାଡ଼ି । ତେଲ ଦରବୃଦ୍ଧି ଛାଟରୁ ମୁକୁଳିବା ଲାଗି ଇ-ଯାନକୁ ବିକଳ୍ପ ବୋଲି ଆପଣାଉଛନ୍ତି ଲୋକେ । ଆଉ ଏବେ ଇ-ଯାନ ବିକ୍ରି ଲାଗି ନିଆଁରେ ଘିଅ ସଦୃଶ ହୋଇଛି ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ।

ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍‌କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍‌ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍‌ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ଜାତୀୟ ଇ-ରେଜିଷ୍ଟର ବାହନ ତଥ୍ୟ କହୁଛି, ୨୦୨୦ରେ ଓଡ଼ିଶାରେ ପଞ୍ଜୀକୃତ ହୋଇଥିଲା ୯୦୪ଟି ଇଲେକ୍‌ଟ୍ରିକ୍ ଯାନ । କିନ୍ତୁ ୨୦୨୧ରେ ଆଜି ସୁଦ୍ଧା ୩୭୪୧ଟି ଇ-ଭେଇକିଲ ପଞ୍ଜୀକରଣ ହେଲାଣି ।

କେବଳ ଗତ ଅକ୍ଟୋବର ମାସରେ ପଞ୍ଜୀକରଣ ହୋଇଛି ୧୦୨୫ଟି ଇଲେକ୍‌ଟ୍ରିକ୍ ଗାଡି । ଲୋକଙ୍କ ମତରେ, ପେଟ୍ରୋଲ, ଡିଜେଲର ଲଗାତର ଦରବୃଦ୍ଧି ସେମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ତେଣୁ ସେମାନେ ବ୍ୟାଟେରୀ ଚାଳିତ ଗାଡ଼ି କିଣିବାକୁ ବାଧ୍ୟ ହେଉଛନ୍ତି । ଇ-ଭେଇକିଲ ଡିଲରଙ୍କ ମତରେ ପେଟ୍ରୋଲ, ଡିଜେଲ ଖର୍ଚ୍ଚ ତୁଳନାରେ ଇଲେକ୍‌ଟ୍ରିକ୍ ବିଲ୍ ଖୁବ୍ ନଗଣ୍ୟ । ତେଣୁ ଲୋକମାନେ ଇ-ଯାନ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । 

ଏପଟେ ଇ-ଭେଇକିଲ୍‌କୁ ପ୍ରୋତ୍ସାହିତ କରିବା ଲାଗି ନିକଟରେ ଓଡ଼ିଶା ଇ-ଯାନ ନୀତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ଯଦିଓ ଇ-ଯାନ ନୀତି କାର୍ଯ୍ୟକାରୀ ହୋଇନି, ଲୋକଙ୍କୁ ଇଲେକ୍‌ଟ୍ରିକ୍ ଗାଡ଼ି କିଣିବାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଅକ୍ଟୋବର ୨୯ଠାରୁ ସବୁ ପ୍ରକାର ଇ-ଯାନରୁ ମୋଟର ଯାନ ଟିକସ ଓ ପଞ୍ଜୀକରଣ ଫିକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । ଏମିତିକି ଖୁବ୍‌ଶୀଘ୍ର ଇ-ଯାନ କିଣାରେ ଲାଗୁ ହେବ ରାଜ୍ୟ ସବ୍‌ସିଡି । ଏଥିପାଇଁ ଅର୍ଥ ମନ୍ତ୍ରାଳୟ ସହ ଆଲୋଚନା ଚଳାଇଛି ପରିବହନ ବିଭାଗ । ଏପରି ହେଲେ ଲୋକେ ଇ-ଭେଇକିଲ କିଣା ମୂଲ୍ୟରେ ୧୫% ବା ଦୁଇ ଚକିଆରେ ସର୍ବାଧିକ ୫ ହଜାର, ୩ ଚକିଆରେ ୧୦ ହଜାର ଏବଂ କାରରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ପାଇପାରିବେ । ତେବେ ୨୦୨୫ ସୁଦ୍ଧା ରାଜ୍ୟର ନୂଆ ଗାଡ଼ି ପଞ୍ଜୀକରଣରେ ଇ-ଯାନ ଅଂଶୀଦାରକୁ ୨୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।