• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୭୫ଟି ପଏଣ୍ଟରେ ରହିଛି ୱାଟର ଲଗିଂ ସମସ୍ୟା

  • ସମାଧାନ ପାଇଁ ଲାଗିଛି ୩୫ଟି ପମ୍ପ

ଭୁବନେଶ୍ୱର : ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥଲା । ଏବେ ସହରରେ ୭୫ଟି ପଏଣ୍ଟରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ପାଇଁ ଗତବର୍ଷ ୨୦ଟି ସ୍ଥାନରେ ଏବଂ ଚଳିତ ବର୍ଷ ୩୫ଟି ସ୍ଥାନରେ ପମ୍ପ ଲାଗିଛି ।

ଭୁବନେଶ୍ୱରର ଅନେକ ଜାଗାରେ ପ୍ରାକୃତିକ ନାଳ ରହିଛି । ତେବେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ଗାଇଡଲାଇନ ଅନୁସାରେ ସେଗୁଡ଼ିକୁ ଢଙ୍କାଯାଇପାରିବ ନାହିଁ । ଆଗାମୀ ବର୍ଷା ଭିତରେ ନୂତନ ଡ୍ରେନ୍ ନିର୍ମାଣ ସମ୍ଭବ ନୁହେଁ । ତେବେ ଯଥା ସମ୍ଭବ ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯିବ ଏବଂ ଦୁର୍ଘଟଣାଜନିତ ସମସ୍ୟା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।

ସୂଚନାଯୋଗ୍ୟ ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ । ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବାରମ୍ବାର ଏଭଳି ପ୍ରଶ୍ନ ପଚାରୁଛନ୍ତି । ଆଉ ନିରୀହ ଛାତ୍ର ରାଜାକୁ ଭସାଇ ନେଇଥିବା ଶତାବ୍ଦୀନଗର ଲେନ୍ ୭ର ଏଇ ମୁକୁଳା ଡ୍ରେନ୍ ତ ଯେମିତି ସାଂଘାତିକ ସତ ବଖାଣୁଛି ।

ଶତାବ୍ଦୀ ନଗରର ମଣିଷଖିଆ ଡ୍ରେନ୍ ଭଳି, ରାଜଧାନୀ ସାରା ଅନେଇଛି ମାଳ ମାଳ ମୁକୁଳା ଡ୍ରେନ୍ । ସହରରେ ୧୦ଟି ମୁଖ୍ୟ ଡ୍ରେନ୍ ସମେତ ବିଭିନ୍ନ ଓ୍ୱାର୍ଡରେ ବି ରହିଛି ଛୋଟ ବଡ଼ ଡ୍ରେନ୍ । ହେଲେ ଅଧିକାଂଶ ମୁକୁଳା । ଗତକାଲି ଭଳି ଆଜି ବି ସ୍ମାର୍ଟ ସିଟିର ଡ୍ରେନ୍ ଚେହେରା ପରଖିଥିଲା ଓଟିଭି । ରାଜଧାନୀର ଅନ୍ୟତମ ପ୍ରବେଶ ପଥ ପଳାଶୁଣୀ ମୁଖ୍ୟ ରାସ୍ତା କଡ଼ ଡ୍ରେନ୍‌ରେ ନା ଅଛି ସ୍ଲାବ୍, ନା ଅଛି ଗାର୍ଡ ଓ୍ୱାଲ୍ । ଡ୍ରେନ୍ ସଫା ପରେ ଯେଉଁ ମାଟି ବାହାରିଛି, ତାହା ସାଜିଛି ଅସ୍ଥାୟୀ ସୁରକ୍ଷା ବାଡ଼ ।