• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆଶା ଦେଖାଇଲା ଅଙ୍କିତ୍‌

  • ଅଧିକ ଫଳିବ, ଚାଷୀ ଭାଇ ମୁହଁରେ ହସ ଫେରିବ

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲା । ଜିଲ୍ଲାରେ ଜଳସେଚନର ସୁବିଧା ନଥିବାରୁ ଚାଷୀ ବର୍ଷା ପାଣି ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ପ୍ରତ୍ୟେକ ବର୍ଷ ବର୍ଷା ଅଭାବରୁ ଧାନ ଗଛ ମରିଯାଇ ମରୁଡିର ସମ୍ମୁଖିନ ହୋଇଥାଏ ଚାଷୀ । ତେଣୁ ମରୁଡି ପରିସ୍ଥିତିରେ ବି ବଂଚିଯାଇ, ଅଧିକ ଧାନ ଅମଳ ଦେଉଥିବା ଧାନ ବିହନକୁ ନେଇ ବଲାଙ୍ଗିରରେ ଅର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିଲା ଗବେଷଣା । ୧୮ ପ୍ରକାରର ଧାନ ବିହନକୁ ନେଇ ଗବେଷଣା ପରେ ଅଙ୍କିତ ନାମକ ଧାନ ବିହନକୁ ନେଇ ଦେଖାଦେଇଛି ନୂଆ ଆଶା । ବଲାଙ୍ଗିର ଚାଷୀଙ୍କ ପାଇଁ ବରଦାନ ହୋଇପାରେ ଏହି ଅଙ୍କିତ ଧାନ ।

ଚାଷ ଜମିରେ ଏକ୍ସପର୍ଟ ଟିମ ଅଛନ୍ତି । କୃଷି ବିଜ୍ଞାନୀଙ୍କ ସହିତ, ସାମିଲ ଅଛନ୍ତି ଚାଷୀ ଓ ଛାତ୍ରଛାତ୍ରୀ । ଧାନ ବିହନର ଗୁଣ ଗାରିମା ଓ ମହିମାକୁ ନେଇ ସମସ୍ତଙ୍କୁ ବୁଝାଉଛନ୍ତି ଏକ୍ସପର୍ଟ । ଆଉ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଲର୍କିପାଲି ଠାରେ ଥିବା ବିହନ ଗବେଷଣା କେନ୍ଦ୍ରରେ । ଫିଲିପାଇନସଠାରେ ଥିବା ଆର୍ନ୍ତଜାତୀୟ ବିହନ ଗବେଷଣା କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କ ସହାୟତାରେ ଧାନ ବିହନ ଉପରେ ଗବେଷଣା କରାଯାଇଥିଲା । ଭିନ୍ନ ଭିନ୍ନ ଦେଶ ତଥା ବିଭିନ୍ନ ରାଜ୍ୟର ଧାନ ଗବେଷଣା କେନ୍ଦ୍ର ମାନଙ୍କରେ ତିଆରି କରାଯାଇଥିବା ଧାନ ବିହନକୁ ନେଇ ଲର୍କିପାଲି ଠାରେ ଚାଷ କରାଯାଇଥିଲା ।

ବଲାଙ୍ଗିର ମାଟି ପାଇଁ କୋଉ ଧାନ ବିହନ ଉପଯୋଗୀ ତାହା ଉପରେ ଚାଲିଥିଲା ଗବେଷଣା । ଧାନ ବିହନ ହୃଷ୍ଟପୃଷ୍ଟ ହେବା ପରେ ଆଜି, କୃଷି ବିଗ୍ୟାନୀ ଓ ଏକ୍ସପର୍ଟ ମାନେ ଚାଷୀ ଏବଂ ଏଗ୍ରୋ ପଲିଟେକନିକ ର ଛାତ୍ରଛାତ୍ରୀଙ୍କୁ ବିହନ ସଂପର୍କରେ ବୁଝାଇଥିଲେ । ଏପରି କାର୍ଯ୍ୟକ୍ରମ ପ୍ରଶଂସା କରିଥିବା ବେଲେ, ଯେଉଁ ଧାନ ମରୁଡି ଅଂଚଳ ପାଇଁ ଉପଯୋଗୀ, ତାହା ଯେତେ ଶୀଘ୍ର ହେବ ଚାଷୀ ମାନଙ୍କ ପାଖରେ ପହଚାଂଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ ।

ବଲାଙ୍ଗିର ଜିଲ୍ଲାର ୮୦ ଶତକଡା ଚାଷୀ ଧାନ ଚାଷ ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ବର୍ଷା ଅଭାବରୁ ମରୁଡି ହୋଇ କ୍ଷତିଗ୍ରସ୍ତ ହୋଇଥାଏ ଚାଷୀ । ତେଣୁ ଚାଷୀକୁ ଦରକାର ମରୁଡିକୁ ସାମ୍ନା କରି ଅଧିକ ଅମଳ ଦେଉଥିବା ଧାନ ବିହନ । ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ଫିଲିପାଇନସଠାରେ ଥିବା ଅର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ର ବା ଇରି, ବଲାଙ୍ଗିର ଠାରେ ଆରମ୍ଭ କରିଥିଲା ଗବେଷଣା । ୧୮ ପ୍ରକାରର ଧାନ ବିହନକୁ ନେଇ ଏକ୍ସପେରିମେଣ୍ଟ କରାଯାଇଥିବା ବେଳେ ଅଙ୍କିତ ନାମକ ଧାନ ବିହନକୁ ନେଇ ଦେଖାଦେଇଛି ନୂତନ ସମ୍ଭାବନା । ଅଳ୍ପ ପାଣିରେ ଗଛ ହୃଷ୍ଟପୃଷ୍ଟ ହୋଇ ଅଧିକ ଅମଳ ଦେବ ଏହି ଧାନ ବିହନ ।

ପାଟଣା ବିହନ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଧାନ ବିହନ ବଲାଙ୍ଗିର ଚାଷୀଙ୍କ ପାଇଁ ବରଦାନ ହୋଇପାରେ ବୋଲି କହୁଛନ୍ତି ଏକ୍ସପର୍ଟ । ୧୮ ଟି ଧାନ ବିହନ ଭିତରେ ଅଧିକ ପରିମାଣରେ ଜିଙ୍କ ରହୁଥିବା କିଛି ଧାନ ବିହନକୁ ମଧ୍ୟ ଚୟନ କରାଯାଇଛି । କରୋନା ସମୟରେ ଏହି ଧାନରୁ ପ୍ରସ୍ତୁତ ଭାତ ଖାଇବା ଦ୍ୱାରା ଲୋକଙ୍କ ଇମ୍ୟୁନିଟି ବଢିବ ବୋଲି କୃଷି ବିଜ୍ଞାନି ମତ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଫୋକସରେ ରହିଛି ଅଙ୍କିତ ଧାନ ବିହନ । ଆଜି ରିପୋର୍ଟ ପ୍ରସ୍ତୁତ କରି ଚାଷୀଙ୍କ ପାଇଁ ଏହି ଧାନ ବିହନ ଯୋଗେଇଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ଇରି ।