• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆନ୍ଧ୍ରର ନୂଆ ପ୍ଲାନ୍‌ ।

  • କୋଟିଆବାସୀଙ୍କୁ ଶିକ୍ଷା ପ୍ରଲୋଭନ ଦେଖାଉଛି ।

କୋଟିଆ: କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁର୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ । କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ । ଏନେଇ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରପଞ୍ଚ । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଂଚଳର ସମସ୍ତ ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି ।

ପୂର୍ବରୁ କୋଟିଆରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲୋଭ ଦେଖାଇ ପ୍ରଲୋଭିତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏବେ ଶିକ୍ଷାକୁ ନେଇ ପ୍ରଲୋଭିତ କରିବାକୁ ଆରମ୍ଭ ହୋଇଛି ନୂଆ ଯୋଜନା । ତେବେ ଆଜି କୋଟିଆ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଡ଼ିଓଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଶିକ୍ଷା ସଂପର୍କରେ ଆଦିବାସୀ ସମାଜ ସଂପାଦକ କହିଛନ୍ତି କୋଟିଆରେ କୁଇ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବା ଆବଶ୍ୟକତା ରହିଛି ।

ଗତ ସପ୍ତାହରେ ପଟ୍ଟାଙ୍ଗି ବିଧାୟ ଆନ୍ଧ୍ରର କାର୍ଯ୍ୟ କଳାପକୁ ନେଇ ଉତ୍ତେଜିତ ହୋଇଉଠିଥିଲେ । ସେ କହିଥିଲେ ‘କୋଟିଆ ଭିତରେ ପଶିଲେ ପିଟିବୁ’ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍‌ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଥିଲେ ବିଧାୟକ । କାରଣ ଆନ୍ଧ୍ର ପ୍ରଦେଶର ଏକ ରାଜନୈତିକ ଦଳର କର୍ମୀମାନେ କୋଟିଆ ଭିତରେ ପଶିଥିଲେ । ଆଉ ଏଥିପାଇଁ ସେ ଉତ୍‌କ୍ଷିପ୍ତ ହୋଇ ପିଟିବେ ବୋଲି କହିଥିଲେ । ସେ ସିଧାସଳଖ ଚେତାବନୀ ଦେଇଥିଲେ ଯେ, ଆନ୍ଧ୍ର ପ୍ରଦେଶର ସରକାରୀ କର୍ମଚାରୀ ହୁଅନ୍ତୁ ବା ରାଜନେତା ଯିଏ ବି ଓଡ଼ିଶା ଆସି କୋଟିଆ ଉପରେ ନଜର ପକାଇବ ତାକୁ ପିଟିବୁ । ଏଣିକି ମୁଁ ନିଜେ ଜଗିବି ।’ 

ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟି ବାବାଜୀ କୋଟିଆ ପଞ୍ଚାୟତ ଗସ୍ତ କରିଥିଲେ । ସେ ଗଂଜେଇପଦର, ଉପର ଗଂଜେଇପଦର, କୋଟିଆ, ତଳସେମ୍ବୀ, ଉପରସେମ୍ବି ଓ ନେରଡିବାଲାସା ଗସ୍ତ କରି ଆନ୍ଧ୍ରପ୍ରଦେଶ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆ ପଂଚାୟତର ସବୁ ଗାଁରେ ତେଲୁଗୁ ବୋର୍ଡ ଲଗାଇବା ପାଇଁ ସେ ଆନ୍ଧ୍ର ସରକାରଙ୍କ ପାଖରେ ଦାବି କରିଥିଲେ ।

ଏହାସହ ଓଡ଼ିଶା ବିରୋଧରେ କହିବାକୁ ଯାଇ ଓଡ଼ିଆ ଲୋକଙ୍କୁ କହିଥିଲେ ଯେ, କୋଟିଆ ଅଞ୍ଚଳରେ ଥିବା ଖଣିଖାଦାନ ଉପରେ ଓଡିଶାର ନଜର ରହିଛି । ସେଥିପାଇଁ ଏଠାରେ ରାସ୍ତାଘାଟ ଓ ଘରଦ୍ୱାର ନିର୍ମାଣ କରୁଛନ୍ତି ସରକାର ।