• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚୌଦ୍ୱାର: ଛାତ ଉପରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା ଶିଶୁ କନ୍ୟା

  • ମା ସହ ଛାତରେ ବୁଲୁଥିବା ବେଳେ ଖସିପଡ଼ିଲା ଅଢ଼େଇ ବର୍ଷର ଝିଅ

  • ପ୍ରାୟ ୧୫ ଫୁଟ ତଳକୁ ଦୁଇ କାନ୍ଥ ସନ୍ଧିରେ ଛାତ ଉପରୁ ଖସିପଡ଼ିଲା

ଚୌଦ୍ୱାର : ରଖେ ହରି ତ ମାରେ କିଏ । ଏ ଉକ୍ତିର ସତ୍ୟତା ପୁଣି ପ୍ରମାଣିତ ହୋଇଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ଏକ ଦୁର୍ଘଟଣା ପରେ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛି ଏକ ଅଢେଇ ବର୍ଷର ଶିଶୁକନ୍ୟା । ଚୌଦ୍ୱାର ପୌରାଞ୍ଚଳ ତଳ ବଜାର ଅଞ୍ଚଳରେ ଏକ ଘରର ଛାତ ଉପରେ ଖେଳୁଥିଲା ଅଢେଇ ବର୍ଷର ଶିଶୁକନ୍ୟା ସାଙ୍ଗରେ ମାଆ ମଧ୍ୟ ଥିଲା । ତେବେ ହଠାତ ଶିଶୁକନ୍ୟାଟି ଛାତ ଉପରୁ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ହେଲେ ଶିଶୁଟି ଖସିଥିବା ସ୍ଥାନଟି ସାଧାରଣ ସ୍ଥାନ ନଥିଲା । ଛାତ ଉପରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଲା, ଯାହାର ଚଉଡ଼ା ଥିଲା ମାତ୍ର ୬ ଇଞ୍ଚ ।

ତେଣୁ ଶିଶୁଟି ଖସି ପଡ଼ିବା ପରେ ତାକୁ ହଠାତ ଉଦ୍ଧାର କରିବା ସମ୍ଭବପର ନଥିବାରୁ ବିଚଳିତ ହୋଇପଡ଼ିଥିଲା ମାଆ । ତେବେ ପାଖପଡ଼ୋଶୀଙ୍କୁ ଡାକିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସ୍ଥାନୀୟ ଲୋକେ ତୁରନ୍ତ ବୁଦ୍ଧି ପ୍ରୟୋଗ କରି ଶିଶୁଟିକୁ ଉପର ପଟୁ ଉଦ୍ଧାର ଉଦ୍ୟମ ନକରି ଗୋଟିଏ ଘରର କାନ୍ଥ ଖୋଳିବାକୁ ପ୍ରୟାସ କରିଥିଲେ । ଅତି ସତର୍କତାର ସହ ଡ୍ରିଲିଂ ମେସିନ୍ ସହାୟତାରେ କାନ୍ଥକୁ କଣାକରି ଶେଷରେ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଥିଲା ।

ପ୍ରାୟ ଅଢ଼େଇ ଘଣ୍ଟାର ଅପରେସନ ପରେ ଶିଶୁଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅବଶ୍ୟ ସେତେବେଳକୁ ଅଗ୍ନିଶମ ବାହିନୀ ପହଞ୍ଚି ସାରିଥିଲେ । ଶିଶୁଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଶହ ଶହ ଲୋକଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଥିଲା । ପରେ ଶିଶୁଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସୂଚନା ମିଳିଛି ।