• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିପାରୁନି ପରଦା । ହତ୍ୟା ନା ଦୁର୍ଘଟଣା ସସପେନ୍ସ ପରେ ସସପେନ୍ସ ଲାଗିରହୁଛି । ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ ଅନୁସାରେ ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୋଖରୀରେ ବୁଡ଼ିବା ପରେ ଶ୍ୱାସରୁଦ୍ଧ ନା ଶ୍ୱାସରୁଦ୍ଧ କରି ହତ୍ୟା ପରେ ମନୀଷଙ୍କୁ କିଏ ଫିଙ୍ଗିଦେଇଥିଲା ପୋଖରୀକୁ ? ଏଭଳି ନାନା ପ୍ରଶ୍ନ ଭିତରେ ଘଟଣା ଦିନ ରାତିରେ ଯେଉଁ କାରରେ ମନୀଷଙ୍କୁ ପଟିଆରୁ ପାତ୍ରପଡ଼ା ନିଆଯାଇଥିଲା, ସେହି କାରକୁ ଜବତ କରିବା ସହ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଫଟୋ ।

ରବି ଗଲା, ସୋମ ଗଲା, ମଙ୍ଗଳ ବି ଗଲା । କିନ୍ତୁ ଶନି ରାତିର ସସପେନ୍ସ ଉପରୁ ହଟୁନି ପରଦା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁର କାରଣ କଣ ? ୩ ଦିନ ପରେ ବି ମିଷ୍ଟ୍ରି ଆଉ ମିଷ୍ଟ୍ରି । ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଚକ୍ରବ୍ୟୁହ ଥିବା ଆଶଙ୍କା ଭିତରେ ଛନ୍ଦି ହୋଇଥିବା ପୋଲିସ ପାଉନି ଠୋସ୍ ସୁରାଗ୍ । ହେଲେ ୩ ଦିନର ଖୋଳତାଡ଼ ଭିତରେ ଏବେ ସାମ୍ନାକୁ ଆସିଛି ଏହି ଧଳାରଙ୍ଗ କାର୍ । କୁହାଯାଉଛି, ଏ ହେଉଛି ସେହି କାର୍ ଯେଉଁଥିରେ ଇନଫୋସିଟି ଛକ ଗାଲେକ୍ସି ଗାର୍ଡେନ ପାଖରୁ ପାତ୍ରପଡ଼ା ସାଉଥସିଟି ବାରକୁ ମନୀଷଙ୍କୁ ନେଇଥିଲେ ୨ ବନ୍ଧୁ । ଯାହାର ନମ୍ବର ହେଉଛି OD02X-9696 । ଆଉ ସେହି କାରକୁ ଆଜି ଭୁବନେଶ୍ୱରରୁ ପୋଲିସ ଜବତ କରିଛି ।

ତେବେ ଏହି କାରର ମାଲିକ ? ଏହି କାର୍ ପଛର କାହାଣୀ କଣ ? ଏହି କାର୍ କରିବ କି ମନୀଷ ମୃତ୍ୟୁର ଖୁଲାସା ? କାରଣ ଇନଫୋସିଟି ଛକ ଗାଲେକ୍ସି ଗାର୍ଡେନ ପାଖରେ ମନୀଷଙ୍କ କାରକୁ ଛାଡ଼ିଦେଇ ସେହି କାରରେ ପାତ୍ରପଡ଼ା ସାଉଥସିଟି ବାରକୁ ନିଅଆଯାଇଥିଲା ମନୀଷଙ୍କୁ । ସେଠାରେ ଦେଖାହେଲା ଆଉ ଜଣେ ବନ୍ଧୁ ସହ । ବାରରେ ଦୀର୍ଘ ସମୟ ଧରି ରହିବା ପରେ ରାତି ସାଢ଼େ ୩ଟା ପୂର୍ବରୁ ଅନ୍ୟ ୩ ଜଣ ଆଗୁଆ ପଳାଇଥିବାବେଳେ ସାଢ଼େ ୩ଟାରେ ଏକୁଟିଆ ବାରରୁ ବାହାରିଥିଲେ ମନୀଷ ।

ବାରରୁ ବାହାରି ଏକୁଟିଅଆ ଏଭଳି ଚାଲି ଚାଲି ଯାଇଥିଲେ ମନୀଷ । ସାଙ୍ଗରେ କୌଣସି ସାଙ୍ଗସାଥୀ ନଥିଲେ । ଆଉ ଏହାର କିଛି ସମୟ ପରେ ଅର୍ଥାତ ରାତି ୪ଟା ୧୨ମିନିଟରେ ବାପା ନବୀନ ଦାସଙ୍କୁ ଫୋନରେ କଥା ହେବା ପରେ ସୁଇଚ ଅଫ୍ ହୋଇଯାଇଥିଲା ମନୀଷଙ୍କ ମୋବାଇଲ । ତେବେ ମନୀଷଙ୍କୁ ଛାଡ଼ି କାହିଁକି ଖସିଗଲେ ୩ ଯୁବକ ? ବାପାଙ୍କ ସହ କଥା ହେବା ପରେ କଣ ଘଟିଲା ? ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନ ଥିବାବେଳେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଏସବୁ ଭିତରେ ସାମ୍ନାକୁ ଆସିଛି ମନୀଷଙ୍କ ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟ । ଯେଉଁଥିରେ ଦର୍ଶାଯାଇଛି, ଶରୀର ଉପରେ କୌଣସି କ୍ଷତ ଚିହ୍ନ ନାହିଁ । କିନ୍ତୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ମନୀଷ ।

ତେବେ ଦୁର୍ଘଟଣାବଶତଃ ମନୀଷ ପୋଖରୀରେ ପଡ଼ି ଶ୍ୱାସରୁଦ୍ଧ ହୋଇ ପ୍ରାଣହରାଇଲେ ନା ଶ୍ୱାସରୁଦ୍ଧ କରି ହତ୍ୟା ପରେ ମନୀଷଙ୍କୁ ଫିଙ୍ଗିଦିଆଯାଇଥିଲା ପୋଖରୀକୁ ? ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଡାଇଟମ୍, ଭିସେରା ଆଦି ଏକାଧିକ ଟେଷ୍ଟ କରିବା ସହ କିଛି ନମୂନାକୁ ହାଇଦ୍ରାବାଦ ପଠାଯାଇଛି ।

ବାପା ନବୀନ ଦାସ କହିଥିଲେ ପୁଅକୁ ଅପହରଣ କରି ହତ୍ୟା କରାଯାଇଛି । ତେବେ ଅପହରଣ ନେଇ ବର୍ତ୍ତମାନ ସୁଦ୍ଧା ସେଭଳି ପ୍ରମାଣ ପାଇନଥିବା ପୋଲିସ ଘଟଣା ପରଠୁ ଫେରାର୍ ଥିବା କିଛି ଯୁବକଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି ।