• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ । 

ନିରାଡ଼ମ୍ବର ଶାରଦୀୟ ଦୁର୍ଗାପୂଜା । ପରଦା ଆଢୁଆଳରେ ପୂଜା ପାଉଛନ୍ତି ଜଗତ୍ ଜନନୀ । ମହାଷ୍ଟମୀରେ ଚଣ୍ଡୀପାଠରେ କମ୍ପୁଛି ପରିବେଶ । ଆଜି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଆରମ୍ଭ ହୋଇଥିଲା ମହାମାୟାଙ୍କ ମହାଷ୍ଟମୀ ପୂଜା । ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ । କାରଣ କୋଭିଡ କଟକଣା ସାଜିଛି ବାଧକ ।

କଟକ ମଙ୍ଗଳାବାଗ ପୂଜା ମଣ୍ଡପରେ ଚାନ୍ଦିର ମେଢରେ ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି । ମସ୍ତକରେ ଶୋଭା ମଣ୍ଡିତ କରୁଛି ସୁନା ମୁକୁଟ । ହେଲେ ଗତ ବର୍ଷ ଭଳି ଏବର୍ଷ ବି ସରାଗ ଛଡାଇ ନେଇଛି କରୋନା । କଟକଣା ଭିତରେ କେଉଠି ବିନା ଭକ୍ତରେ ତ ଆଉ କେଉଠି ସୀମିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚାଲିଥିଲା ପୂଜା । କିଏ ଦୀପ ଦାନ କରି ମାଆଙ୍କ ଆଶିଷ କାମନା କରିଛନ୍ତି ତ କିଏ ଦଶଭୁଜାଙ୍କୁ ଶଙ୍ଖା ଓ ସିନ୍ଦୂର ଦେଇ ପରିବାରର ଶୁଭ ମନାସିଛନ୍ତି ।

ସେପଟେ ଶକ୍ତିପୀଠରେ ଆଜି ପାଳିତ ହୋଇଛି ମହାନବମୀ । ଶରତ କାଳୀନ ଦୁର୍ଗାପୂଜାରେ ପ୍ରତିଦିନ ନୂଆ ନୂଆ ବେଶରେ ସଜ୍ଜିତ ହୋଇଥାନ୍ତି ମା’ । କଟକର ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଥିବା ବେଳେ ମା’ ଗଡଚଣ୍ଡୀ ହାକାଳୀ ବେଶ ହୋଇଛନ୍ତି । କୋଭିଡ କଟକଣା ଭିତରେ ବି ମା’ଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ପୀଠରେ ସୁନା ବେଶରେ ଦର୍ଶନ ଦେଇଛନ୍ତି ମା’ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ପୀଠରେ ବି ମହାନବମୀ ପୂଜା ସହ ସିହଂଧ୍ୱଜ ରଥଯାତ୍ରା ହୋଇଛି । କୋଣାର୍କରେ ମା’ ଭଗବତୀ ସିଂହବାହିନୀ ବେଶରେ ଦର୍ଶନ ଦେଇଛନ୍ତି ।

ଦୁର୍ଗାପୂଜାରେ ଆଖଡା ପରମ୍ପରା ରହିଆସିଥିବା ବାଲେଶ୍ୱରରେ କରୋନା କଟକଣା ଯୋଗୁ ବାଡି ଖେଳ ହୋଇ ପାରିନି । କେବଳ ବିଧି ରକ୍ଷା ପାଇଁ ସଲାମୀ ନେଇଥିଲେ ବିଭିନ୍ନ ଆଡୁ ଆସିଥିବା ଆଖଡା ଦଳ ।