• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା) : ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ । ଏହାର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବ ଶିକ୍ଷକମାନେ । ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି । ନିଜସ୍ୱ ଖର୍ଚ୍ଚ ଓ ଉଦ୍ୟମରେ ଏଠାକାର କିଛି ଯୁବ ଶିକ୍ଷକ ଏମିତି ପ୍ରୟାସ ଆରମ୍ଭ କରିଛନ୍ତି । ସେପଟେ ନିଜ ଭାଷା ଶିଖିବାକୁ ସ୍ଥାନୀୟ ଯୁବକମାନେ ବି ବେଶ୍ ଆଗ୍ରହୀ ।

ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାରେ ପାଠପଢ଼ା ହେଉଛି । ଶିକ୍ଷକ ପଢ଼ାଉଛନ୍ତି ନିମଗ୍ନ ଶୁଣୁଛନ୍ତି ବିଦ୍ୟାର୍ଥୀ । କଳାପଟାରେ କିଛି ଲେଖି ତାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । କଳାପଟାରେ ଲେଖାଥିବା ସ୍ୱତନ୍ତ୍ର ଲିପି ହେଉଛି ୱାରାଂ ଚିତି । ଆଉ ଏଠି ଶିକ୍ଷକ ବିଦ୍ୟାର୍ଥୀମାନଙ୍କୁ ହୋ ଭାଷାର ଶିକ୍ଷାଦାନ କରୁଛନ୍ତି । ନିଜ ଭାଷା ତଥା ଲିପିର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଯୁବ ଶିକ୍ଷକମାନେ । ନିଜସ୍ୱ ଉଦ୍ୟମରେ ପିଲାମାନଙ୍କୁ ପୁସ୍ତକ ଓ ଅନ୍ୟ ପାଠ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି । ସେପଟେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ବି ନିଜର ଏ ଭାଷା ଶିଖିବାକୁ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି ।

ହୋ ଏକ ଆଦିବାସୀ ସମ୍ପ୍ରଦାୟର ପୁରାତନ ଭାଷା ଯାହାକୁ ହୋ, କୋଲହ ଓ ମୁଣ୍ଡା ଆଦିମ ଜନଜାତିମାନେ ବ୍ୟବହାର କରନ୍ତି । କୋହଲମାନଙ୍କ ଗୁରୁ ଲାକୋ ବୋଦ୍ରା ଏ ଭାଷାର ପ୍ରଚଳନ ଆରମ୍ଭ କରିଥିଲେ । ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଏ ଭାଷା ତଥା ୱାରାଂ ଚିତି ଲିପିରେ ସ୍ନାତକୋତ୍ତର ପାଠ୍ୟକ୍ରମ ଚାଲୁଛି ।

ଆମ ରାଜ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଦେବଗଡ଼, ଅନୁଗୁଳ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବସବାସ କରୁଥିବା ଆମ ଜନଜାତି ଏ ଭାଷାର ପ୍ରୟୋଗ କରନ୍ତି । କିନ୍ତୁ ଏହାକୁ ନେଇ ଆମ ରାଜ୍ୟରେ ଶିକ୍ଷାଦାନର ବ୍ୟବସ୍ଥା ନାହିଁ । ତେଣୁ ସ୍ଥାନୀୟ କିଛି ଯୁବ ଶିକ୍ଷକ ନିଜ ଖର୍ଚ୍ଚରେ ଓ ଉଦ୍ୟମରେ ଏବେ ହୋ ଭାଷାରେ ପିଲାମାନଙ୍କୁ ଶିକ୍ଷାଦାନ ଆରମ୍ଭ କରିଛନ୍ତି ।

ତୁଣ୍ଡରେ ବ୍ୟବହାର ହେଲେ ଭାଷା ବଞ୍ଚିରହେ । କିନ୍ତୁ ଏହାର ବିକାଶ ଓ ପ୍ରସାର ସେବେ ହୁଏ, ଯେବେ ଏହାର ବ୍ୟବହାରର ଶୈଳୀ ଓ ବ୍ୟାକରଣ ବାବଦରେ ଆଗାମୀ ପିଢ଼ିକୁ ସଚେତନ କରାଯାଏ । ଯାହା କରିବାକୁ ଚେଷ୍ଟା କରୁଛନ୍ତି ରାମଚନ୍ଦ୍ରପୁରର ଯୁବ ଶିକ୍ଷକମାନେ।