• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ।

  • ଚାଷରେ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ ।

  • ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ ଆସିଛି ଏଭଳି ଖବର ।

ବଲାଙ୍ଗିର: ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ଚାଷରେ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ଚାଷୀ ରେଚକା ବନ୍‌ଛୋର ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକ ଏନେଇ ଜାଣିବା ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ଆଜି ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପଛର କାରଣ ଚାଷରେ କ୍ଷତି ବୋଲି ତାଙ୍କ ପୁଅ ପବିତ୍ର ବନଛୋର କହିଛନ୍ତି । ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଛି । ଫଳରେ ଚାଷ ଜମି ଫାଟି ଆଁ କଲାଣି । ତେଣୁ ରେଚକାଙ୍କ ଚାଷରେ ବଡ଼ କ୍ଷତି ହୋଇଛି । ଯାହାଫଳରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।

ସେପଟେ ରାଜ୍ୟରେ ବର୍ଷା ଅଭାବ ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲାରେ ଏବେଠୁ ମରୁଡି ସ୍ଥିତି ଦେଖାଦେଲାଣି । ଗୋଲାମୁଣ୍ଡା, ଧର୍ମଗଡ, ଜୁନାଗଡ, କୋକସରା ସମେତ ବିଭିନ୍ନ  ବ୍ଲକରେ ଅଣଜଳସେଚିତ ଅଂଚଳରେ ଉତ୍‌କଟ ହେବାରେ ଲାଗିଛି ମରୁଡି ସମସ୍ୟା । ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା ଦାବିରେ କଂଗ୍ରେସ ନେତୃତ୍ୱରେ ଚାଲିିଛି କିଷାନ ପଦଯାତ୍ରା । ଏଥିରେ ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଏବଂ ଚାଷୀ ସାମିଲ ହୋଇଛନ୍ତି । 

ସେହିଭଳି ବର୍ଷା ଅଭାବ ଯୋଗୁଁ ଯାଜପୁର ଜିଲ୍ଲାର ଅଧିକାଂଶ ବ୍ଲକରେ ମଧ୍ୟ ଦେଖାଦେଲାଣି ମରୁଡ଼ି ସ୍ଥିତି । ତୁରନ୍ତ ଏହି ଅଂଚଳକୁ ମରୁଡି ଅଂଚଳ ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି । ବର୍ଷା ଅଭାବରୁ ଚାଷ ନହୋଇଥିବା ଅଂଚଳକୁ ମଧ୍ୟ ମରୁଡି ଘୋଷଣା କରିବାକୁ ଚାଷୀ ଦାବିପତ୍ର ଦେଇଛନ୍ତି । ଯାଜପୁର ଦଶରଥପୁର କୋରେଇ ଓ ସୁକିନ୍ଦା ଭଳି ବ୍ଲକରେ ବର୍ଷା ଅଭାବରୁ ଚାଷ ଜମି ପାଟି ଆଁ କଲାଣି । କୌଣସି ସ୍ଥାନରେ ଉଠା ଜଳସେଚନ କାର୍ଯ୍ୟ କରୁନଥିବା ବେଳେ ବର୍ଷାକୁ ଚାହିଁ ଚାଷ କରିବା ଅସମ୍ଭବ ହୋଇଛି । ୭ ଦିନରେ ଅକ୍ଷମ ଉଠାଜଳସେଚନକୁ ସକ୍ଷମ କରିବା ଲାଗି ଚାଷୀ ଦାବି କରିଛନ୍ତି । ସେପଟେ ଚାଷ ଜମିକୁ ପାଣି ଯୋଗାଇବା ଲାଗି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ଅଗଷ୍ଟ ୩୧ ତାରିଖରେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେବା ସହ ୭ଦିନ ଭିତର ସବୁ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବାକୁ କହିଥିଲେ । 

ଏହାସହ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଗୁରୁତ୍ୱ ଦେବା ସହ ଫସଲ ନଷ୍ଟ ହେଉଥିବା ସ୍ଥାନରେ ଦ୍ୱିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇବାକୁ କହିଥିଲେ । ଖାଲି ସେତିକି ନୁହେଁ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍ ରହିଛି । ଫଳରେ ୨୧୩ ବ୍ଲକ୍‌ରେ ଚାଷ କାମ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।