• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳାହାଣ୍ଡି( ରାଜକୁମାର ସିଂଦେଓ) : ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ଖଟିଆରେ ଆଉ କେତେ ଦିନ ପଡ଼ିବି । ଏପରି ବଞ୍ଚିବା ଅପେକ୍ଷା ମରିଯିବା ଭଲ । ବୁଢ଼ା ବାପାମା’ ମଧ୍ୟ ଭାରି କଷ୍ଟ ପାଉଛନ୍ତି । କେତେ ଦିନ ମୋତେ ଏପରି ସମ୍ଭାଳିବେ । ଘର କୋଣରେ ପଡ଼ି ପଡ଼ି ଯମ ଯନ୍ତ୍ରଣା ଭୋଗୁଛନ୍ତି ଅନୀଲ । ଆଉ ଶେଷରେ ସେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।

ଜୀବନ ଯୁଦ୍ଧରେ ଲଢ଼ି ଅସହାୟ ହୋଇପଡ଼ିବା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍‌.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅନୀଲ୍‌ ଲେଖିଥିବା ଇଚ୍ଛା ମୃତ୍ୟୁ ଚିଠିକୁ ରେଜିଷ୍ଟ୍ରି କରି ଡାକରେ ପଠାଇଛନ୍ତି । ଚିଠି ଗୁଡ଼ିକ ମଧ୍ୟ ପହଞ୍ଚିଥିବା ଜଣାପଡ଼ିଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ମାଦିଗୁଡା ପଞ୍ଚାୟତର ଚିକିଲି ଗାଁର ଅନିଲ ଶିଖା । ୨୦୧୫ ରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ । ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେବା ପରେ ମଧ୍ୟ ମଧ୍ୟ ସୁସ୍ଥ ହୋଇପାରି ନାହାନ୍ତି । ଚିକିତ୍ସା ପରେ ବାହାରର କ୍ଷତ ଶୁଖିଗଲା। ହେଲେ ଭାଙ୍ଗି ଯାଇଥିବା ମେରୁଦଣ୍ଡ ଠିକ୍‌ ହେଲାନି । ତେଣୁ ସେ ବସି ଉଠି ପାରୁନାହାନ୍ତି । ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ଚଲାବୁଲା କରିବା ତଥା ନିଜର ନିତ୍ୟକର୍ମ କରିବା ମଧ୍ୟ ସମ୍ଭବପର ହେଉନାହିଁ । ଫଳରେ ଯୁବା ବୟସରେ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି ।

ବାପା ଯଦୁବନ ଶିଖା ମୂଳ ଲାଗି ପରିବାର ଚଳନ୍ତି । ପୁଅକୁ ଭଲ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ହେଲେ ବୁଢ଼ା ବୟସରେ ଆଉ ଅଧିକ କରିବାକୁ ସାହସ ନାହିଁ । ସ୍ୱଳ୍ପ ରୋଜଗାରରୁ ଯାହା ସଞ୍ଚୟ କରି ରଖିଥିଲେ, ସେଥିରେ ପୁଅକୁ ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍‌ରେ ଡାକ୍ତରଙ୍କୁ ଦେଖାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ବିଏସ୍‌କେୱାଇ କାର୍ଡ ଦେଖାଇଥିଲେ ମଧ୍ୟ ଚିକିତ୍ସା ସୁବିଧା ମିଳିନଥିଲା।

ବର୍ତ୍ତମାନ ପୁଅକୁ କିପରି ଭଲ କରିବେ, କେଉଁଠୁ ଟଙ୍କା ଯୋଗାଡ଼ ହେବ ଚିନ୍ତା କରି କରି ମୁଣ୍ଡ କାମ କରୁନି । ପୁଅ ପାଇଁ ସବୁବେଳେ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିବା ଜଣାଇଛନ୍ତି ଆହତ ଅନିଲ ଶିଖା ।