• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଲୁକ୍କାୟିତ ଅବସ୍ଥାରେ ପର୍ଯ୍ୟଟନସ୍ଥଳୀ

  • ପର୍ବତ ଉପରେ ଗୁମ୍ଫା, ଗୁମ୍ଫା ଭିତରେ ଶିବ ଲିଙ୍ଗ

  • ସବୁଜ ବନାନୀ ସାଙ୍ଗକୁ ପଥର ମାଳା ଓ ଗୁମ୍ପା ଲୋକଙ୍କୁ ବେଶ ଆକର୍ଷିତ କରୁଛି

ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ । ଏବେ ସ୍ଥାନୀୟ ଲୋକେ ଏହି ପବିତ୍ର ପୀଠଟିର ରକ୍ଷଣାବେକ୍ଷଣ କରିବା ସହିତ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଧରକୋଟ-ସୋରଡ଼ା ବ୍ଲକ ସୀମାବର୍ତୀ ଅଞ୍ଚଳ ବାରଧାଙ୍ଗିଡ଼ି ଗ୍ରାମ ନିକଟରେ ଥିବା ପର୍ବତ ଉପରେ ରହିଛି ବହୁ ବଡ଼ ବଡ଼ ପଥରଖଣ୍ଡ । ଏଠାରେ ରହିଛି ଭୋଳାବାବାଙ୍କ ପବିତ୍ର ପୀଠ । ଗୁମ୍ଫା ଭିତରେ ପୂଜାପାଉଛନ୍ତି କୋଟେଶ୍ୱର ମହାଦେବ ଓ ଅନ୍ୟାନ୍ୟ ଦେବାଦେବୀ । ଲୋକଙ୍କ ବିଶ୍ୱାସ ରହିଛି ଏଠାରେ ବହୁ ବର୍ଷ ପୂର୍ବେ ମୁନିଋଷି ମାନେ ବସବାସ କରି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ । କାଳକ୍ରମେ ଏଠାକୁ ଲୋକଙ୍କ ଯାଆସ ବନ୍ଦ ରହିଥିଲା । ଫଳରେ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିବେଷ୍ଟିତ ହୋଇ ରହିଥିଲା ।

କିନ୍ତୁ ବହୁ ବର୍ଷ ପୂର୍ବରୁ ଏହି ପର୍ବତ ପାଦ ଦେଶରେ ଜଣେ ବୃଦ୍ଧ ମହାଦେବଙ୍କ ମନ୍ଦିର ସ୍ଥାପନ କରି ପୂଜା କରି ଆସୁଥିଲେ । ଏବେ ତିନି ବର୍ଷ ହେଲା ସ୍ଥାନୀୟ ସିଙ୍ଗିପୁର ଗ୍ରାମର ଜଣେ ବ୍ରାହ୍ମଣ, ମନ୍ଦିରର ପୂଜକ ଓ ତାଙ୍କ ସହଯୋଗୀଙ୍କୁ ଧରି ପର୍ବତ ଉପରକୁ ଯାଇଥିବା ବେଳେ ଗୁମ୍ଫା ଥିବା ଦେଖିବା ସହ ବହୁ ପୁରାତନ ଅସ୍ଥି ମଧ୍ୟ ପାଇଥିଲେ । ଗୁମ୍ଫା ଭିତରକୁ ପ୍ରବେଶ କରିବା ପରେ ଶିବଲିଙ୍ଗ, ପଥରରେ ଖୋଦେଇ ହୋଇଥିବା ବିଭିନ୍ନ ଦେବଦେବୀଙ୍କ ସନ୍ଧାନ ପାଇଥିଲେ । ସୋମବାର, ସଂକ୍ରାନ୍ତି ଓ ଯାନିଯାତରେ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ ବୋଲି କହିଛନ୍ତି ପୂଜକ।

ସବୁଜ ବନାନୀ ସାଙ୍ଗକୁ ପଥର ମାଳା ଓ ଗୁମ୍ପା ଲୋକଙ୍କୁ ବେଶ ଆକର୍ଷିତ କରୁଛି । ମନ୍ଦିରର ଉନ୍ନତୀକରଣ କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କ ଠାରୁ ଦାନ ସଂଗ୍ରହ କରାଯାଇଥିଲା । ପର୍ବତର ତଳ ଭାଗରେ କିଛି ପାହାଚ ତିଆରି କରିଛନ୍ତି ସ୍ଥାନୀୟ ବାସିନ୍ଦା । କିନ୍ତୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ହେଲେ ଅଙ୍କା ବଙ୍କା ପଥୁରିଆ ରାସ୍ତା ଦେଇ ଯିବାକୁ ପଡେ । ଏଠାରେ ବିଦ୍ୟୁତ ଓ ପାନୀୟ ଜଳର କୌଣସି ସୁବିଧା ନାହିଁ । ପର୍ବତ ଉପରେ ବହୁ ଐତିହାସିକ କିମ୍ବଦନ୍ତୀ ରହିଛି ମାତ୍ର ଦର୍ଶନ ପାଇବାରୁ ବଞ୍ଚିତ ରହୁଛନ୍ତି ଶ୍ରଦ୍ଧାଳୁ । ସୋରଡ଼ା ବ୍ଲକର ଅନୁଦାନରେ ତଳେ ରହିଥିବା ଶୈବପୀଠ ନିକଟରେ ଏକ ଗୃହ ନିର୍ମାଣ କରାଯିବା ସହ ପକ୍କା ରାସ୍ତା କରା ଯାଇଛି