• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା) : ବଣ ପାହାଡ ଘେରା ଅଞ୍ଚଳ, ଆଉ ତା’ ଚାରିପଟରେ ଖାଲି ଗଞ୍ଜେଇ ଆଉ ଗଞ୍ଜେଇ । ଗୋଟିଏ କି ଦୁଇ ଏକର ନୁହେଁ ହଜାର ହଜାର ହେକ୍ଟର ଜମିରେ ଗଞ୍ଜେଇ ଚାଷ । ଦୃଶ୍ୟ ହେଉଛି ବୌଦ୍ଧ ଜଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ବୌଦ୍ଧ ଏବଂ ଫୁଲବାଣୀ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଯଥା କଣ୍ଟାମାଳ ଥାନା, ଘଣ୍ଟପଡା ଫାଣ୍ଡି, ମନମୁଣ୍ଡା ଥାନା, ବାଉଁଶୁଣୀ ଥାନା ଏବଂ ଶଗଡା ଫାଣ୍ଡି ଅଂଚଳରେ ହୋଇଛି ଏସବୁ ଗଞ୍ଜେଇ ଚାଷ ।

ସେହିଭଳି ବୌଦ୍ଧ ଜିଲ୍ଲା ସଦର ବ୍ଲକର ଗୁନ୍ଦୁଳିଆ ପଂଚାୟତ,ଆମ୍ବଝରି ପଂଚାୟତ,ବଘିଆପଡା,ଟିକରପଡା ଭଳି ଅଂଚଳର ଶହ ଶହ ଏକର ସରକାରୀ ଜମିରେ ମଧ୍ୟ ହେଉଛି ଗଞ୍ଜେଇ ଚାଷ । ଭୌଗଳିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳଟି ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଦିନକୁ ଦିନ ବଢି ବଢି ଚାଲିଛି ଏହି ବେଆଇନ ଚାଷ । ସେପଟେ ବ୍ୟବସାୟ ପାଇଁ ମଧ୍ୟ ରାସ୍ତା ଖୋଲା ରହିଥିବାରୁ ଏହି ଅଂଚଳରେ ଗଞ୍ଜେଇ ବ୍ୟବସାୟ ମଧ୍ୟ ବ୍ୟାପକ ମାତ୍ରାରେ ହେଉଛି ।

ତେବେ କାଁ ଭାଁ କେମିତି ପୋଲିସ ବିଭାଗ ପକ୍ଷରୁ ଗଞ୍ଜେଇ ଗାଡିକୁ ଧରାଯାଉ ଥିବାବେଳେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନହେବା ଏବଂ ଗଞ୍ଜେଇ ମାଫିଆଙ୍କ ସହ ପୋଲିସ ବିଭାଗର ସଲାସୁତରା ଯୋଗୁଁ ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ ଏହି ଚାଷ ଓ ବ୍ୟବସାୟ ବଢୁଛି ସିନା କମିବାର ନାଁ ଧରୁନାହିଁ ବୋଲି ଅଭିଯୋଗ ହେଉଛି । ଆଉ ଏବେ ଗଞ୍ଜେଇ ଅମଳର ସମୟ ହୋଇଯାଇ ଥିବାରୁ ଏବେ ବେଶ ସକ୍ରିୟ ଉଭୟ ଗଞ୍ଜେଇ ଚାଷୀ ଓ ବ୍ୟବସାୟୀ ।

ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ବ୍ୟବସାୟ ରୋକିବା ଦିଗରେ ସମ୍ପୂର୍ଣ୍ଣ ଫେଲ ମାରିଛି ଅବକାରୀ ବିଭାଗ । ହାତଗଣତି କେତେଜଣ କର୍ମଚାରୀଙ୍କୁ ନେଇ ପ୍ରତିବର୍ଷ ଲୋକ ଦେଖାଣିଆ ଭାବେ କେବଳ ଗଞ୍ଜେଇ ଗଛ ନଷ୍ଟ କରାଯାଉ ଥିଲେ ବି ସମ୍ପୂର୍ଣ୍ଣ ଭାବେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ସକ୍ଷମ ନୁହେଁ ବୌଦ୍ଧ ଜିଲ୍ଲାର ଅବକାରୀ ବିଭାଗ । ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଯଥା ସମ୍ଭବ ଗଂଜେଇ ଚାଷ ଓ ବ୍ୟବସାୟ ରୋକିବାକୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅବକାରୀ ଅଧିକ୍ଷକ ।

ସେପଟେ ବୌଦ୍ଧ ପୋଲିସ ବିଭାଗ ପକ୍ଷରୁ ଗଂଜେଇକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ୨୦୨୦ ମସିହାରେ ୬୬ ଟି କେସ ହେବାସହ ୭ କୁଂଟାଲ ୪୨ କେଜି ଗଂଜେଇ ଜବତ କରାଯାଇଥିଲା । ୩୧ ଲକ୍ଷ ୮୭ ହଜାର ୫୫୫ ଗଛ ନଷ୍ଟ କରାଯାଇଛି । ଏହି ଘଟଣାରେ ୯ ଜଣକୁ ଗିରଫ କରାଯାଇଥିଲା ।

ସେହିଭଳି ୨୦୨୧ ମସିହାରେ ୩୮ଟି କେସ ହୋଇସାରିଥିବାଳେ ୨୭ କୁଇଂଟାଲ ୭୪ କେଜି ଗଂଜେଇ ଜବତ ସହ ୫୪ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ୭ ଲକ୍ଷ ୧୧ ହଜାର ୩୮୮ ଟି ଗଂଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ କହିଛି । ଏହାସହ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଗଂଜେଇ ଚାଲାଣ ରୋକିବା ଦିଗରେ ମଧ୍ୟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବୌଦ୍ଧ ଏସଡିପିଓ କହିଛନ୍ତି ।