Advertisment

“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି

author-image
Sarbeswar
“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

Konak

କୋଣାର୍କ(ସଞ୍ଜୟ ପତି): ଶ୍ରୀ ମନ୍ଦିର ପରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଏବେ ବିଶ୍ଵ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କର ପାଳି। କୋଣାର୍କ ଭଳି ଏକ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପ୍ରସ୍ତାବିତ ଯୋଜନାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ଯୋଜନା ପାଇଁ ବିସ୍ଥାପିତ ହେବାକୁ ଥିବା ସ୍ଥାନୀୟ ଲୋକେ ନିଜ ଭିଟାମାଟି ଓ ନିଜ ନିଜ ବେଉସା ହରାଇବା ଆଶଙ୍କାରେ ଭୟଭୀତ ହୋଇପଡିଛନ୍ତି । ଅନ୍ୟ ପକ୍ଷରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ଉପରେ ପ୍ରଶାସନ ଗୁରୁତ୍ଵ ଦେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ଲୋକଙ୍କୁ ଆଶ୍ଵାସନା ଦେଇଛନ୍ତି ।

Advertisment

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ସେପଟେ, ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ମେଡିକାଲ ଛକ ଠାରୁ ପୂର୍ତ୍ତ ବିଭାଗ ବଙ୍ଗଳା ମଧ୍ୟରେ ୩୦ଏକର ଜମିରେ ଓବିସିସି ଦ୍ଵାରା ପ୍ରସ୍ତାବିତ ସୌନ୍ଦର୍ଯ୍ୟକରଣ ଯୋଜନାରେ ପାର୍କିଂ , ଭେଣ୍ଡିଙ୍ଗ ଜୋନ ,ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପଥ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସର୍ଭେ କାର୍ଯ୍ୟ ଶେଷ ହେବା ପରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରି ଦୋକାନୀ ମାନଙ୍କୁ ଥଇଥାନ ପାଇଁ ମନ୍ଦିର ସମ୍ମୁଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

Advertisment

ଏଥିସହ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରସ୍ତାବିତ ସୌନ୍ଦର୍ଯ୍ୟକରଣ ଯୋଜନାର କାର୍ଯ୍ୟକାରୀ ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବାରମ୍ବାର କୋଣାର୍କ ଗସ୍ତକରି ପ୍ରସ୍ତାବିତ ସମସ୍ତ ଯୋଜନାର ସମୀକ୍ଷା କରୁଥିବା ବେଳେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା କରାନଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଯୋଗୁଁ ବିସ୍ଥାପନ ଭୟରେ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇପଡିଛନ୍ତି । ଗୋଟିଏ ପଟେ ଦୀର୍ଘ ବର୍ଷ ଧରି କୋଣାର୍କ ଅଞ୍ଚଳର ୧୧ଟି ମୌଜାରେ ଜମି ବେବନ୍ଦୋବସ୍ତ ଯୋଗୁଁ ସ୍ଥାନୀୟ ପ୍ରଜା ମାଲି ମକଦ୍ଦମାରେ ଫସି ରହିଥିବା ବେଳେ ସରକାର ପୁରୀ କିମ୍ବା ଲିଙ୍ଗରାଜ ମନ୍ଦିର ଭଳି କୋଣାର୍କରେ ବିସ୍ଥାପିତ ପାଇଁ କ୍ଷତିପୂରଣ ଘୋଷଣା ନକରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଗୋଟିଏ ପଟେ କୋଣାର୍କ ପାଇଁ ସରକାରଙ୍କ ବିକାଶ ଯୋଜନାକୁ ସ୍ଥାନୀୟ ଲୋକେ ସ୍ଵାଗତ କରୁଥିଲେ ମଧ୍ୟ ଅନ୍ୟ ପକ୍ଷରେ କୋଣାର୍କ ବିକାଶ ନାମରେ ପ୍ରଶାସନ ଦ୍ଵାରା ୧୯୯୧ ମସିହା ଠାରୁ କୋଣାର୍କ ବଜାରକୁ ବାରମ୍ବାର ଉଚ୍ଛେଦ କରାଯାଇଥିଲେ ମଧ୍ୟ ସେହି ସ୍ଥାନରେ କୌଣସି ବିକାଶ କାର୍ଯ୍ୟ କରାଯାଇନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ସରକାରଙ୍କ ଆଭିମୁଖ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଜୁଲାଇ ମାସ ଶେଷ ସୁଧା ଉଠାଦୋକାନୀଙ୍କୁ ଥଇଥାନ କରାଯିବା ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ। ବିସ୍ଥାପିତ ମାନଙ୍କୁ ସରକାରଙ୍କ ରିଲିଫ ଆଣ୍ଡ ରିହାବିଲେଟେସନ ଷ୍ଟାଣ୍ଡାର୍ଡ ପ୍ରୋସ୍ୟୁଜର ଅନୁଯାୟୀ ଥଇଥାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Konark Sun Temple Konark Puri Odisha
Advertisment
Advertisment