• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗରିବଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

  • ଦୁଇ ପୁଅଙ୍କ ଚିକିତ୍ସାରେ ଅର୍ଥ ବାଧକ

  • ହସ୍ତସନ୍ତ ହେଉଛନ୍ତି ବୁଢ଼ା ବାପା

ବାସୁଦେବପୁର(କିରୀଟି ଦାସ) : ଅଭାବୀ ପରିବାର ଭିତରେ ଦୁଇ ଦୁଇଟା ଭେଣ୍ଡିଆ ପୁଅ ବିଛଣାରେ ଗଡୁଛନ୍ତି । ଆର୍ଥିକ ଅନଟନ ସହ ଦୁର୍ଦ୍ଧିନରେ ଦିନ କାଟୁଥିବା ବୁଢା ବାପ ପରିବାର ବୋଝ ବୋହି ବୋହି ହାଲିଆ ହୋଇଗଲେଣି । ଭଙ୍ଗା ଚାଳିଆ ଆଉ ସନ୍ତସନ୍ତିଆ ଘରେ ମୁଣ୍ଡ ଗୁଞ୍ଜିଥିବା ପରିବାରକୁ ସରକାରୀ ସହାୟତାରେ ନା ପକ୍କାଘର ଘରଖଣ୍ଡେ ମିଳିଛି ନା, ପାଇଖାନାଟିଏ ମିଳି ପାରିଛି । ପୂରା ପରିବାର ଦିନକୁ ଦୁଇ ଓଳି ଦୁଇମୁଠା ଭଲଭାବେ ଖାଇବାକୁ ପାଉନଥିବା ବେଳେ, ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ବୁଢ଼ାବାପା ପକ୍ଷେ କଷ୍ଟସାଧ୍ୟ ହେଉଛି ।

ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଂଚାୟତ ମହାଳିକ ସାହିର ବିକର୍ତନ ମହାଳିକ । ପରିବାର କହିଲେ ଚାରିପୁଅ ଆଉ ନାତି ନାତୁଣୀ । ମଝିଆ ପୁଅ ପରିବାରଠାରୁ ଦୀର୍ଘଦିନ ହେବ ପୃଥକ ରହୁଛି । ବାକି ତିନି ପୁଅ ମଧ୍ୟରୁ ସାନ ପୁଅଟି ୫ ବର୍ଷ ବୟସରୁ ଚାଲିପାରୁନି, ସେ ବି ବିଛଣାରେ । ବାକି ବଡ ଆଉ ସାନ ମଝିଆଁ ପୁଅ ବାପାକୁ ସହାୟତା କରନ୍ତି । ବିକର୍ତନ ପରଘରେ ଗଛ କାଟି ପରିବାର ଚଳାନ୍ତି । ମଝିଆଁ ପୁଅଟି ଶାରୀରିକ ଦୁର୍ବଳତା ପାଇଁ କାମ କରିପାରେ ନାହିଁ । ବଡପୁଅ ବିଜୟ ଉପରେ ସବୁ ନିର୍ଭରକରେ । ଗଛକଟା କାମରେ ବାପାଙ୍କୁ ସାଥିରେ ଯାଏ ବିଜୟ । ଯାହା ରୋଜଗାର ହୁଅ ସେଇଥିରେ ପରିବାର ଚଳେ । ଅଭାବୀ ପରିବାରକୁ ବହୁ କଷ୍ଟରେ ଚଳାଇ ନେଉଥିଲେ ବିଜୟ । ପ୍ରାୟ ୧୦ମାସ ତଳେ ବିଜୟ ଗଛ କାଟୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । କଟା ଗଛଟି ବିଜୟର ଅଂଟା ଉପରେ ପଡିଯାଇଥିଲା । ଫଳରେ ଗୁରୁତର ଆହତ ହୋଇଥିଲେ ବିଜୟ ।

ପରିବାର ଲୋକ ବିଜୟକୁ ପ୍ରଥମେ ବାସୁଦେବପୁର ପରେ ଭଦ୍ରକରେ ଚିକିତ୍ସା କରାଇଥିଲେ । ହେଲେ ସେଠାରେ ଭଲ ନହେବାରୁ ପୁଣି କଟକରେ ଚିକିତ୍ସା କରାଗଲା । ସେଠାରେ ପରୀକ୍ଷା ନିରୀକ୍ଷା ପରେ ଅଂଟାରେ ଗଭୀର ଆଘାତ ଲାଗିଛି, ଅପରେସନ କରାଯିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପରମର୍ଶ ଦେଇଥିଲେ । ହେଲେ ଏଥିପାଇଁ ଲକ୍ଷାଧିକ ଟଙ୍କା ଅବଶ୍ୟକ ରହିଥିବା ଶୁଣି ପରିବାର ହତାଶ ହୋଇପଡିଥିଲେ । ଅର୍ଥ ଯୋଗାଡ କରିନପାରିବାରୁ ପୁଅକୁ ଘରକୁ ନେଇଆସିଥିଲେ ।

ଘରେ ସାନପୁଅ ସହ ବଡପୁଅ ବି ବିଛଣାରେ ପଡିଛି । ଅପରେସନ ତ ହୋଇପାରିଲାନି ଔଷଧ ଖାଇବାକୁ ବି ପାଖରେ ଅର୍ଥନାହିଁ । ତେବେ ବିଜୟ ଓଡିଶା ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ ଥିଲେ ସୁଦ୍ଧା ଏଥିରୁ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ଯନ୍ତ୍ରଣାରେ ଛଟପଟ ହେଉଥିବା ବିଜୟ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ କହିଛନ୍ତି, ସ୍ଥିତି ସମୀକ୍ଷା ପାଇଁ କର୍ମଚାରୀଙ୍କୁ ପଠାଯାଇଛି । ବ୍ଲକ ସ୍ତରରେ ଯାହା ବ୍ୟବସ୍ଥା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏଥିସହ କୃଷକ କଲ୍ୟାଣ କାର୍ଡ ସମ୍ପର୍କରେ କୃଷି ବିଭାଗ ସହ ଯୋଗାଯୋଗ କରି କିପରି ସହାୟତା ମିଳିପାରିବ ଚେଷ୍ଟା କରିବେ ।