Advertisment

ମୁଣ୍ଡଳିରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ ଓଲଟିଲା, ବୋଟ୍‌ରେ ଥିଲେ OTVର ୨ ପ୍ରତିନିଧି

ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ବୋଟ୍‌ରେ ଓଟିଭିର ୨ ଜଣ ପ୍ରତିନିଧି ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ODRAF Boat Capsizes In Mahanadi

ODRAF Boat Capsizes In Mahanadi

କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍। ଆଜି ସକାଳୁ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର ବେଳେ ବୋଟ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ  ହାତୀ ରେସ୍କ୍ୟୁ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍। ଦୁର୍ଘଟଣାଗ୍ରସ୍ତ ବୋଟ୍‌ରେ ଓଟିଭିର ୨ ଜଣ ପ୍ରତିନିଧି ମଧ୍ୟ ଥିଲେ। ନଦୀର ପ୍ରଖର ସ୍ରୋତରେ ଫସିଥିବା ଓଡ୍ରାଫ୍‌ ଟିମ୍‌, ଓଟିଭି ପ୍ରତିନିଧି ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ଏବେ ଡାକ୍ତରଖାନା ନିଆଯାଇଛି। କିଛି ସମୟ ପୂର୍ବରୁ ହାତୀକୁ ଘଉଡ଼ାଇବା ଲାଗି ଓଡ୍ରାଫ୍ ଟିମ୍‌ ଏକ ବୋଟ୍ ନେଇ ନଦୀ ଭିତରକୁ ଯାଇଥିଲେ। ତେବେ ହାତୀ ଘଉଡ଼ାଇବାବେଳେ ବୋଟ୍‌ ସୁଅ ମୁହଁରେ ପଡ଼ି ବ୍ୟାରେଜ ତଳକୁ ଖସି ଓଲଟି ପଡ଼ିଥିଲାତେବେ। ଏହାପରେ ବ୍ରିଜ୍‌ ଉପରେ ଥିବା ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପୋଲ ଉପରୁ ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାୟାଇଥିଲା। 

ସୂଚନାଥାଉ କି, କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ନିଜେ ନିଜେ କୂଳକୁ ଆସିଥିଲେ ବି ଉପରକୁ ଉଠି ପାରିନଥିଲା। ଫଳରେ ପୁଣି ନଦୀ ଭିତରକୁ ଫେରି ଯାଇଥଥିଲା ଦନ୍ତା। ଦୀର୍ଘ ୭ ଘଣ୍ଟା ଧରି ନଦୀ ଭିତରେ ଫସି ରହିଥିବା ଦନ୍ତା ଧିରେ ଧିରେ ପାଣି ସୁଅକୁ କାଟି କୂଳକୁ ଆସିବାରେ ସକ୍ଷମ ହୋଇଥିଲା। ତେବେ କୂଳରୁ ହାତୀଟିକୁ ବାହାର କରିବା ଲାଗି ବନ ବିଭାଗ କର୍ମଚାରୀ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି।  

Advertisment

ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀକୁ ବାହାର କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀ ମୁଣ୍ଡଳିଠାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆଜି ଭୋର ସମୟରେ ଆଠଗଡ଼ ସୁକାସନ ଜଙ୍ଗଲରୁ ଦନ୍ତା ହାତୀଟି ୧୮ ଟିକିଆ ହାତୀ ପଲରେ ମହାନଦୀ ପାର୍ ହୋଇ ବାଙ୍କୀ, ଡମପଡ଼ା-ଚନ୍ଦକା ଜଙ୍ଗଲକୁ ଆସୁଥିଲା। ୧୭ଟି ହାତୀ ନଦୀ ପାର୍ ହୋଇଯାଇଥିବାବେଳେ ଦନ୍ତାଟି ଭାସି ଯାଇଥିଲା। ଦନ୍ତା ଭାସିଯିବାରୁ ତାକୁ ଉଦ୍ଧାର କରିବା ଲାଗି ଆଉ ୨ ହାତୀ ନଦୀରେ ପୁଣି ପଶି ଥିଲେ। ହେଲେ ଏହି ୨ଟି ହାତୀ ମଧ୍ୟ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଓ ମୁଣ୍ଡଳି ବ୍ୟାରେଜ ପାଖ ଅନନ୍ତପୁରରେ ଲାଗି ଉପରକୁ ଉଠିଛନ୍ତି। ହେଲେ ଦନ୍ତାଟି ମୁଣ୍ଡଳି ବ୍ୟାରେଜ ନିକଟରେ ଏବେବି ଫସି ରହିଛି।

Elephant Rescue Mundali
Advertisment
Advertisment