• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି । 

ଚାଷୀ ମୁହଁରେ ଶୁଖିଯାଇଥିବା ବେଳେ ଆହୁରି ସଂଗୀନ ହୋଇପଡ଼ିଛି ଚାଷ ଜମିର ଅବସ୍ଥା । ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି, ମରିବାକୁ ବସିଲାଣି ଧାନ ଗଛ । ବର୍ଷାକୁ ଅନେଇ ଅନେଇ ରୁଆ ବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି, ଚାଷୀ ପାଇଁ କାଳ ସାଜିଛି । ଶ୍ରାବଣ ମାସରେ ବି ନିଦାଘ ଖରାରୁ, କେଉଁଠି କେଉଁଠି ଧାନ ଗଛରେ ଉଈ ବି ଚରିଗଲେଣି ।

ସ୍ୱଳ୍ପବୃଷ୍ଚିପାତରୁ ଚାଷର ଏଭଳି ସ୍ଥିତି କେବଳ ସମ୍ବଲପୁରର କୁଚିଣ୍ଡା କି ପୁରୀ ଜିଲ୍ଲାର ବଳଙ୍ଗାର ନୁହେଁ । ଏଭଳି ସ୍ଥିତି ବାଲେଶ୍ୱର ସୋର ଅଞ୍ଚଳରେ ବି ଦେଖିବାକୁ ମିଳିଛି । ବର୍ଷା ଅଭାବରୁ ଜଳି ଯାଇଥିବା ଧାନ ଗଛକୁ ଟେକା ପାଣି ଦେଇ ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଷୀ । ହେଲେ ଆଶା କିନ୍ତୁ ନାହିଁ । ନୀଳଗିରି ଅଞ୍ଚଳରେ ବି ଚାଷର ପାଖାପାଖି ସମାନ ସ୍ଥିତି ।

କେବଳ ତିନିଟି ଜିଲ୍ଲା ମାଲ୍‌କାନଗିରି, ବଲାଙ୍ଗିର ଓ ନୂଆପଡ଼ାକୁ ଛାଡ଼ି ଦେଲେ ରାଜ୍ୟର ୨୭ ଜିଲ୍ଲାରେ ସ୍ୱଳ୍ପବୃଷ୍ଟିରୁ ଚାଷ ଅବସ୍ଥା ଖରାପ । ଜଳ ଜଳ ଦିଶିଲାଣି ମରୁଡ଼ି । ପାଣିପାଗ ବିଭାଗର ତଥ୍ୟ ବି କହୁଛି ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । ୮୩୬ ମିଲିମିଟର ବୃୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର ୫୮୩ ମିଲିମିଟର ବର୍ଷା । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୫ ଜିଲ୍ଲା ଯାଜପୁର, ଭଦ୍ରକ, ବଲାଙ୍ଗୀର, ଅନୁଗୁଳ ଓ କେନ୍ଦୁଝରରେ ସ୍ଥିତି ଅଧିକ ସଂଗୀନ । କାରଣ ଏହି ସବୁ ଜିଲ୍ଲାରେ ୪୦ କିମ୍ବା ତାଠୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ଏପରିକି ଭଦ୍ରକ ଓ ଯାଜପୁରରେ ୫୦ ପ୍ରତିଶତରୁ କମ୍ ବର୍ଷାରୁ ଚାଷ କାମ ଗୁରୁତର ପ୍ରଭାବିତ ହୋଇଛି ।

ଏବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଜୁନ୍ ମାସରେ ପାଖାପାଖି ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ପରେ ଜୁଲାଇରେ ବି ୧୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଆଶା ଥିଲା ଅଗଷ୍ଟ ମାସରେ ଭଲ ବର୍ଷା ହେଲେ ଏଇ ନିଅଣ୍ଟିଆ ସ୍ଥିତି ଭରଣା ହେବ । ଚାଷ କାମ ଆଗେଇବ ହେଲେ ଅଗଷ୍ଟ ମାସରେ ବି ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ଥିବାରୁ ଚାଷୀ ମୁଣ୍ଡରେ ବାଜିଲାଣି ବିପଦର ଘଣ୍ଟି ।