Advertisment

ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକାକୀ ଲଢ଼ୁଛି ଝିଅ

ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକା ଏକା ସଂଗ୍ରାମ ଜାରି ରଖିଛି ଝିଅ। ୨୦୧୧ରେ ମହିଳା ଜଣକ ନିଖୋଜ ହୋଇଯାଇଥିବା ବେଳେ ୨୦୧୯ରେ ମାଟି ତଳୁ ତାଙ୍କ ମୃତଦେହର ଖପୁରୀ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକାକୀ ଲଢ଼ୁଛି ଝିଅ

sambalpur

ସମ୍ବଲପୁର: ମୃତ ମା’ଙ୍କୁ ନ୍ୟାୟ ଦେବା ପାଇଁ ୧୦ ବର୍ଷ ଧରି ଏକା ଏକା ସଂଗ୍ରାମ ଜାରି ରଖିଛି ଝିଅ। ୨୦୧୧ରେ ମହିଳା ଜଣକ ନିଖୋଜ ହୋଇଯାଇଥିବା ବେଳେ ୨୦୧୯ରେ ମାଟି ତଳୁ ତାଙ୍କ ମୃତଦେହର ଖପୁରୀ ମିଳିଥିଲା। ପରିବାର ଲୋକେ ସେତେବେଳେ ଥାନାରେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନିଖୋଜ ବୋଲି ଷ୍ଟେସନ ଡାଇରୀ କରି ବସି ପଡ଼ିଲା। ୨୦୧୯ ଜୁଲାଇ ମାସରେ ଝିଅ ପୁଣି ପୋଲିସ ଡିଜିଙ୍କୁ ଭେଟି ପିଟିସନ ଦେବା ପରେ ଟାଉନ ଥାନାରେ ସାନି  ହତ୍ୟା ମାମଲା ରୁଜୁ ହେଲା ଏବଂ ଦିନକ ପରେ ଧରାପଡିଥିଲା ଅଭିଯୁକ୍ତ ବସନ୍ତ ପଣ୍ଡା। ଏହା ଭିତରେ ପୁଣି ୨ ବର୍ଷ ବିତିଗଲାଣି, କିନ୍ତୁ ତଦନ୍ତ ଆଉ ଆଗକୁ ବଢ଼ୁ ନଥିବାରୁ ଏବେ ମା’କୁ  ନ୍ୟାୟ ଦେବା ପାଇଁ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଛନ୍ତି ମୃତ ମହିଳାଙ୍କ ଝିଅ।

Advertisment

୨୦୧୧ ଅକ୍ଟୋବର ୧୩ ତାରିଖ ଦିନ ଟାଉନ ଥାନାରେ ଅଭିଯୋଗ ହୋଇଥିଲା ଯେ, ନନ୍ଦପଡାର ଜୟଶ୍ରୀ ମିଶ୍ର ନାମକ ଜଣେ ମହିଳା ବଡ଼ ଝିଅର ବିବାହ କାର୍ଡ ବାଣ୍ଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ତାଙ୍କ ଘରକୁ ଯିବା ଆସିବା କରୁଥିବା ବସନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ହତ୍ୟା କରିଥିବା ନେଇ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ ଟାଉନ ଥାନା ଅଧିକାରୀ କେବଳ  ନିଖୋଜ ହୋଇଥିବା ନେଇ ଷ୍ଟେସନ ଡାଇରୀ କରି ବସି ଯାଇଥିଲେ। ଜୟଶ୍ରୀଙ୍କ ଝିଅ ବିଜୟିନୀ ପୋଲିସ ଡି.ଜି.ଙ୍କୁ ୨୦୧୯ ଜୁଲାଇ ୧୭ ତାରିଖରେ ଅଭିଯୋଗ କରିବା ପରେ ତତ୍ପର ସମ୍ବଲପୁର ପୋଲିସ ତତ୍ପର ହୋଇ ଉଠିଥିଲା।୨୧ ତାରିଖରେ ପୁଣି ଟାଉନ ଥାନାରେ ରୁଜୁ ହେଲା ସାନି ହତ୍ୟା ମାମଲା।  ଆଉ ଦିନକ ପରେ ଅଭିଯୁକ୍ତ ତଥା ସମ୍ପର୍କୀୟ ମଉସା ବସନ୍ତ ପଣ୍ଡାକୁ  ଗିରଫ କରିଥିଲା ପୋଲିସ।  ସେତେବେଳେ ଜେରା ବେଳେ ବସନ୍ତ ମଧ୍ୟ ହତ୍ୟା କରିଥିବା ପୋଲିସ ପାଖରେ ସ୍ୱୀକାର କରିଥିଲା। 

୨୦୧୯ ଜୁଲାଇ ୨୬ ତାରିଖରେ ସମ୍ବଲପୁରର ବଡସିଂହାରୀ ଅଞ୍ଚଳରେ ମାଜିଷ୍ଟ୍ରେଟ, ସାଇଣ୍ଟିିଫିକ ଟିମ୍ ଓ ପୋଲିସ ଉପସ୍ଥିତିରେ ଜେ.ସି.ବି ମେସିନରେ ଖୋଳାଖୋଳି କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଖୋଳାଖୋଳି ପରେ ମାଟି ତଳୁ ମଣିଷ ଖପୁରୀର କିଛି ଅଂଶ ବାହାରିଥିଲା। ଅଭିଯୁକ୍ତର ବୟାନ ଅନୁସାରେ, ମୃତଦେହ ପୋତିବା ପାଇଁ ସେତେବେଳେ ଗାତ ଖୋଳିଥିବା ଜଣେ ଯୁବକ ପୋତିଥିବା ସ୍ଥାନ ଚିହ୍ନଟ କଲାପରେ ହତ୍ୟାକାଣ୍ଡର  ପ୍ରମାଣ ମିଳିଥିଲା। କିନ୍ତୁ ସେବେଠାରୁ ପୀଡ଼ିତା ପରିବାରକୁ ନ୍ୟାୟ ଦେବାର ପ୍ରକ୍ରିୟା ଅଟକିଛି।  ମୃତ ମହିଳାଙ୍କ ଝିଅ ଅଭିଯୋଗ କରିଛନ୍ତି, ସେବେଠାରୁ ତଦନ୍ତ ଆଉ ଆଗକୁ ବଢୁନି। ଅଭିଯୁକ୍ତର ସହଯୋଗୀ ଓ ପରିବାରର ଅନ୍ୟ ସଦସ୍ୟ ଯେଉଁମାନେ ଏହି ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ସଂପୃକ୍ତ ଥିଲେ, ସେମାନଙ୍କୁ ପୋଲିସ ନା ଜେରା କରୁଛି ନା ଗିରଫ କରୁଛି। ଏପରିକି ପୋଲିସର ଚାର୍ଜସିଟ୍ ମଧ୍ୟ ଠିକ୍‌ ଭାବେ ହୋଇନାହିଁ। 

Advertisment

୧୦ ବର୍ଷ ତଳର ନିଖୋଜ ଓ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବା ପାଇଁ ବିଜୟିନୀ ଏକା ଏକା ସଂଗ୍ରାମ ଜାରି ରଖିଥିବା ବେଳେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ହରାଇଛନ୍ତି। ଏବେ ସେ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମହିଳା  କମିଶନଙ୍କୁ ଚିଠି ଲେଖିଛନ୍ତି। ଆଗକୁ ସୁପ୍ରିମକୋର୍ଟରେ ମାମଲା ଲଢି ନିଜ ମା’ଙ୍କୁ  ନ୍ୟାୟ ଦେବେ ବୋଲି ବିଜୟିନୀ କହିଛନ୍ତି। 

ଅନ୍ୟପକ୍ଷେ, ଖପୁରୀ ଉଦ୍ଧାର ହେବା ପରଠାରୁ ଏହା ଭିତରେ ଜିଲ୍ଲା ପୋଲିସରେ ଆମୁଳଚୁଳ ପରିବର୍ତ୍ତନ ହୋଇ ସାରିଲାଣି। ତତ୍କାଳୀନ ତଦନ୍ତ ଅଧିକାରୀ, ଏସ୍‌ପି. ଏବଂ  ଡି.ଆଇ.ଜି.ମଧ୍ୟ ବଦଳି ହୋଇ ଗଲେଣି। ତେବେ ବର୍ତ୍ତମାନର ସମ୍ବଲପୁର ଏସ୍‌.ପି ଘଟଣାକୁ ନେଇ କହିଛନ୍ତି, ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଯଦି ଅନ୍ୟ ଅଭିଯୁକ୍ତଙ୍କ ସପୃକ୍ତି ପ୍ରମାଣିତ ହୁଏ , ସେମାନଙ୍କୁ ବି ଧରାଯିବ।  

Odisha News
Advertisment
Advertisment