• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୧୨୧ ସିଟି ବସ୍‌କୁ ବିକି ଦେଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ।

  • ଏସବୁ ବସ୍କୁ ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରି ଦେଇଥିବା ଜଣାପଡିଛି ।

ଭୁବନେଶ୍ୱର: କବାଡିଆଙ୍କ ହାତରେ ଟେକି ଦେଲେ ୧୨୧ ସିଟି ବସ୍ । ଭୁବନେଶ୍ୱର ଡିପୋରେ ପଡ଼ି ପଡ଼ି ଖତ ଖାଉଥିବା ବସଗୁଡିକୁ କ୍ୟାପିଟାଲ୍ ରିଜିଅନ୍ ଅର୍ବନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ କର୍ତ୍ତୃପକ୍ଷ କୋଲକତାର ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକ୍ରି କରି ଦେଇଥିବା ଜଣାପଡିଛି । ଭୁବନେଶ୍ୱର-ପୁରୀ ସିଟି ବସ୍ ସେବା ପାଇଁ ୨୦୧୦ ମସିହାରେ JNNURM ଅଧୀନରେ ଏହି ବସ କିଣାଯାଇଥିଲା । ତେବେ ବସଗୁଡିକ ଦୀର୍ଘ ଦିନ ଧରି ପକାଇ ରଖିବା ପରେ ଅଚାନକ ବିକ୍ରି କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏହି ଘଟଣା ନେଇ କ୍ରୁଟ୍‌ର ଜେନେରାଲ୍ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି, ୨୦୧୦ରେ ୧୨୫ଟି ସିଟି ବସ୍ କିଣାଯାଇଥିଲା । ତେବେ ୨୦୧୭ ମସିହା ଯାଏ ଏହାକୁ ଚଳାଇବା ଲାଗି ଏଗ୍ରିମେଣ୍ଟ ହୋଇଥିଲା । ହେଲେ ଆଉ ଏକ ବର୍ଷ ଏଗ୍ରିମେଣ୍ଟକୁ ଏକ୍ସଟେନ୍‌ସନ୍‌ କରି ବସ୍‌ଗୁଡ଼ିକୁ ଚଳାଯାଇଥିଲା । ତାପରେ ଏଗ୍ରିମେଣ୍ଟ ଅବଧି ସରିବା ପରେ ୨୦୧୮ରେ ବିଏମ୍‌ସିକୁ ୪ଟି ବସ୍ ଟଏଲେଟ୍ ଅନ୍ ହ୍ଲିଲ୍ ଲାଗି ଦିଆଯଇଥିଲା । ବାକି ୧୨୧ଟି ବସ୍ ଚଳାଇବା ଲାଗି ଲାଇସେନ୍ସ ନ ଥିବାରୁ ସେଗୁଡିକୁ ଉପଯୁକ୍ତ ନିୟମ ଅନୁସାରେ ଟେଣ୍ଡର କରାଯାଇ ନିଲାମ କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୦ରେ ଜବାହାରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ସିଟି ବସ୍ କିଣାଯାଇଥିଲା । ଏଥିପାଇଁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍ ଘରୋଇ ସଂସ୍ଥା ଡ୍ରିମ ଟିମ୍ ସାହାରା ସହ ଏହାକୁ ଚଲାଇବା ନେଇ ୭ବର୍ଷିଆ ଚୁକ୍ତି ହୋଇଥିଲା । ଆଉ ୭ ବର୍ଷ ଚାଲିବା ପରେ ଗାଡିଗୁଡିକ ଆଉ ଚାଲିନଥିଲା । ତାପରେ ଗାଡି ଗଡିକୁ ପୋଖରିପୁଟ ଡିପୋରେ ପକାଇ ଖତ ହେବାକୁ ଛାଡ଼ି ଦେଇଥିଲେ କର୍ତୁପକ୍ଷ । ବର୍ଷ ବର୍ଷ ଧରି ବାହାରେ ପଡ଼ି ଖତ ଖାଇବା ପରେ କବାଡିଆଙ୍କୁ ଏହି ସିଟି ବସଗୁଡ଼ିକୁ ବିକ୍ରି କରି ଦିଆଯାଇଛି ।

ଏହାପୂର୍ବରୁ ରାଜ୍ୟ ସରକାର ମୋ ସାଇକେଲ ଅବସ୍ଥା ମଧ୍ୟ ଏଭଳି କରିଥିଲେ । ଦୀର୍ଘ ଦିନ ଧରି ରାସ୍ତା ଘାଟ ନାଳ ନର୍ଦମାରେ ମୋ ସାଇକେଲ ପଡ଼ିବା ପରେ ତାକୁ ମଧ୍ୟ କବାଡ଼ି ବାଲାକୁ ବିକ୍ରି କରିଦିଆଯାଇଥିଲା । ମୋ ସାଇକେଲର ଏଭଳି ଅକାଳ ମୃତ୍ୟୁ ପାଇଁ ରାଜ୍ୟରେ ବିରୋଧୀମାନେ ତୁମ୍ବୁତୋଫାନ କରିଥିଲେ । ସରକାରଙ୍କୁ ଏଥିପାଇଁ ନାନା ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା । ଭୟ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ମୋ ସାଇକେଲର ଅକାଳ ମୃତ୍ୟୁ ପାଇଁ ଟାର୍ଗେଟ୍ କରିଥିଲେ । ଏମିତିକି ଭୁବନେଶ୍ୱରରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ସେଥିରେ ମୋ ସାଇକେଲକୁ ଏକ କୋକେଇରେ ରଖି ବିଜେପି କର୍ମୀମାନେ ରାମ ନାମ ସତ୍ୟ ହେ ଡାକିଥିଲେ ।