• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବୁଢ଼ୀ ମା’ର ଆଖିରୁ ଲୁହ ଶୁଖୁନି, କାନ୍ଦି କାନ୍ଦି ଗଡ଼ି ଯାଉଛି ଭଉଣୀ

  • ଗାଁରେ ଶୋକାକୁଳ ପରିବେଶ

  • ଆନ୍ଧ୍ରରୁ ଗାଁକୁ ଫେରିଲା ମୃତ ଦେହ

ବାରିପଦା(ମାନିକ୍ ଲାଲ୍ ପାଣି) : ଭଉଣୀଙ୍କୁ ବାହା ଦେବା ସ୍ୱପ୍ନ ଅଧାରେ ରହିଗଲା । ଦାଦନ ଖଟିବାକୁ ଯାଇଥିବା ଯୁବକ ଶବ ହୋଇ ଫେରିଲେ । ବୁଢ଼ୀ ମା’ର ଆଖିରୁ ଲୁହ ଶୁଖୁନି । କାନ୍ଦି କାନ୍ଦି ଗଡ଼ି ଯାଉଛି ଭଉଣୀ । ଆନ୍ଧ୍ରରୁ ଆସିଲା ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତଦେହ । କିଛି ରୋଜଗାର କରିବେ ଆଉ ଘରକୁ ଫେରିଲେ ଭଉଣୀର ବାହାଘର କରାଇବେ ବୋଲି କେତେ ଆଶା ରଖିଥିଲେ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଗୁଡିଆଲବନ୍ଧ ପଞ୍ଚାୟତ କଦଳିଆପାଳ ଗାଁରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଜଣେ ଯୁବକଙ୍କ ମୃତଦେହ

ଆନ୍ଧ୍ରପ୍ରଦେଶରୁ କଦଳିଆପାଳ ଗାଁରେ ପହଞ୍ଚିଛି ୨୫ ବର୍ଷୀୟ ବାପୁନ ନାଏକକ ଶବ । ତାଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆନ୍ଧ୍ରପ୍ରଦେଶରୁ ଅଣାଯାଇଛି । ବାପୁନ ଏକ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲା । ବୁଢ଼ୀ ମା’ର ଇଚ୍ଛା ନଥିଲା ପୁଅ ଏତେ ଦୂର ଯାଇ କାମ କରୁ । ହେଲେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଚୁପ୍ ରହିବାକୁ ବାଧ୍ୟ ହେଲେ । ଅନେକ ଆଶା ନେଇ ପରିବାର ପ୍ରତିବାର ପ୍ରତିପୋଷଣ ଆଶାରେ ଓଡ଼ିଶାରୁ ଆନ୍ଧ୍ର ଛୁଟି ଯାଇଥିଲେ ବାପୁନ । ସେଠାରେ ଏକ କ୍ରସରରେ ରହି କାମ କରୁଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଗତ ଶୁକ୍ରବାର ଠାରୁ ସେ ନିଖୋଜ ହୋଇଯାଇଥିଲେ। ଏବଂ ରବିବାର ଦିନ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା ।

ଏ ସଂକ୍ରାନ୍ତରେ ସେଠାକାର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି । ଗତକାଲି ବିଳମ୍ବିତ ରାତିରେ ମୃତ ଦେହ ଗ୍ରାମରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ପରିବାରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ନେଇ ବିଧବା ମାଆ ଓ ସାନ ଭାଇ ଭାଙ୍ଗି ପଡିଛନ୍ତି । ପୁଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।