Advertisment

ମୂର୍ତ୍ତି ଉଚ୍ଚତାକୁ ନେଇ ବଢୁଛି ଅସନ୍ତୋଷ: ୧୨ ଘଂଟିଆ କଟକ ବନ୍ଦ ପାଳନ କଲା ବିଜେପି

ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ। ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ

author-image
Sarbeswar
Cuttack Bandh

Cuttack Bandh

କଟକ: ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ। ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ। ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେପିର ବନ୍ଦ ପାଳନକୁ ସମାଲୋଚନା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ୍। ସେପଟେ ସରକାରଙ୍କ ନିୟମ ବିରୋଧରେ କୋର୍ଟ ଯିବାକୁ ଅଣ୍ଟା ଭିଡିଛନ୍ତି କଟକର କିଛି ପୂଜା କମିଟି।

Advertisment

ବର୍ଷାରେ ଭିଜି ପ୍ରତିବାଦ । ତୁହାକୁ ତୁହା ବର୍ଷା ଭିତରେ ଘନ ଘନ ପ୍ରତିବାଦ। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତା ଉପରେ ଚାଲିଲା ଆନ୍ଦୋଳନ, ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ। ବର୍ଷା ଯେତିକି ବଢୁଥିଲା ସେତିକି ତୀବ୍ର ହେଉଥିଲା ପ୍ରତିବାଦର ସ୍ୱର। ରାଜ୍ୟ ସରକାରଙ୍କ ଦୁର୍ଗା ମୂର୍ତ୍ତି ଉଚ୍ଚତା କଟକଣା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲା କଟକ ନଗର ବିଜେପି। ଛକ ଛକରେ ପିକେଟିଂ, ଗଳି ଗଳିରେ ନାରା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ତେଜିଥିଲା ପ୍ରତିବାଦ। ସକାଳ ୬ରୁ ସା ୬ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ସବୁଠି ଶୁଭିଥିଲା ଗୋଟିଏ ନାରା, ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ସରକାର।

Advertisment

ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେପିର ବନ୍ଦ ଡାକରାକୁ ସମାଲୋଚନା କରିଛି ବିଜେଡି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଜେପି ହୀନ ରାଜନୀତି କରୁଛି। ସେପଟେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ବିଜେଡିର ଦୁଇ ନେତାଙ୍କ ଭିନ୍ନ ଭିନ୍ନ ମତ ଭିତରେ ସରକାରଙ୍କ ପୁନର୍ବିଚାରକୁ ଅପେକ୍ଷା କରିଛନ୍ତି କଟକ ବାସିନ୍ଦା।

ମୂର୍ତ୍ତି କଟକଣାକୁ ନେଇ ରାଜନୀତି ତେଜୁଥିବା ବେଳେ କୋର୍ଟ ଯିବାକୁ ସଜବାଜ ହେଲେଣି କଟକର କିଛି ପୂଜା କମିଟି। ଆସନ୍ତାକାଲି ବାଲୁବଜାର ପୂଜା କମିଟି ହାଇକୋର୍ଟରେ ପିଟିସନ୍ ଦାଖଲ କରିବ ବୋଲି ଜଣାପଡ଼ିଛି। ପୂଜା କମିଟି କହିଛି, ବର୍ଷ ବର୍ଷ ଧରି ପୂଜା ପାଉଥିବା ମାଆଙ୍କ ମୂର୍ତ୍ତି ପରମ୍ପରା ଦୃଷ୍ଟିରୁ ଏବେ ହଠାତ୍ ବଦଳାଇବା ସମ୍ଭବ ନୁହେଁ।

ମହାମାରୀ ସମ୍ପୂର୍ଣ୍ଣ ଭାବେ ଯାଇନଥିବାରୁ ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୂଳ କାରଣ ଦର୍ଶାଇ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ପୂଜାରେ ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ୪ ଫୁଟ ଭିତରେ ହିଁ ରହିବ ମାଆ ଦୁର୍ଗାଙ୍କ ମୂର୍ତ୍ତି। ସେପଟେ କଟକଣା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଉଥରେ ନିବେଦନ କରାଯିବ ଏବଂ ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କଠୁ ଉତ୍ତର ଆଶା ରଖିଛି ପୂଜା କମିଟି। ଏଭଳି ସ୍ଥିତିରେ ଦୁର୍ଗାପୂଜାକୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ମୂର୍ତ୍ତି ବିବାଦରେ କେବେ ପୂର୍ଣ୍ଣଛେଦ ପଡିବ, ତାକୁ ସମସ୍ତଙ୍କ ଅପେକ୍ଷା ରହିଛି।

12-Hour Cuttack Bandh Puja Guidelines BJP
Advertisment
Advertisment