• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ ।

  • ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ ।

  • ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ।

କୋରାପୁଟ: ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଫଗୁଣ ସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆନ୍ଧ୍ର ସରକାର ।

ଅନ୍ୟପଟେ କୋଟିଆ ପଞ୍ଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ସୂଚନା ମିଳିଛି । ଗତ ୧୬ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରତିବାଦ ହେବାରୁ ଆନ୍ଧ୍ର ଅଧିକାରୀ ମାନେ ଆସିନଥିଲେ । ସବୁ ଦଳର ନେତା ଏକାଠି ହୋଇ କୋଟିଆରେ ଡେରା ପକାଇଥିଲେ। କିନ୍ତୁ ସେଠାରୁ ଓଡ଼ିଶା ନେତା, ଅଧିକାରୀ ପଳାଇ ଆସିବା ପରେ ଆଜି ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର ।

ତେବେ କିଛି ଦିନ ପୂର୍ବରୁ ଓଡ଼ିଶା ମାଟିରେ ଆନ୍ଧ୍ରକୁ ପୁରାଇ ନଦେବାକୁ ବ୍ୟାରିକେଡ୍ ବାନ୍ଧି ଜଗି ରହିଥିଲେ ନେତା । ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରୀରେ ସୋମବାର ଆନ୍ଧ୍ର ସରକାରଙ୍କ ପକ୍ଷରୁ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ୟୁନିଟି ହଲ୍, ଅଙ୍ଗନୱାଡି କେନ୍ଦ୍ର ଏବଂ ସ୍କୁଲ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଆସିଥାନ୍ତେ ସାଲୁର ବିଧାୟକ, ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ । ବିଦ୍ୟାଳୟରେ ବୃକ୍ଷରୋପଣ ସହ ପିଲାଙ୍କୁ ବଣ୍ଟା ଯାଇଥାନ୍ତା ତେଲୁଗୁ ବହି । ହେଲେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ସୀମାନ୍ତ ନନ୍ଦା ଗାଁରେ ୫ ପ୍ଲାଟୁନ୍ ପୋଲିସ ସହ ବ୍ୟାରିକେଡ୍ କରି ଅବରୋଧ କରିଥିଲା ପ୍ରଶାସନ ।

ଖାଲି ସେତିକି ନୁହେଁ ଓଡ଼ିଆଙ୍କୁ ଶିକ୍ଷାର ପ୍ରଲୋଭନ ଦେଖାଇ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି । କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଥିଲେ ଗଂଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ । ଏନେଇ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଥିଲେ ସରପଞ୍ଚ । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଂଚଳର ସମସ୍ତ ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସେ ଦାବି କରିଥିଲେ ଆନ୍ଧ୍ର ସରକାରଙ୍କ ନିକଟରେ ।