Advertisment

ବାପା କ୍ୟାନସର ଓ କରୋନାରେ ଚାଲିଗଲେ ମାଆ, ଏକୁଟିଆ ହୋଇଗଲା ୯ ବର୍ଷର କୁନି ଝିଅ...

ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ , ଏପଟେ କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା ମା ହସପିଟାଲରୁ କେତେବେଳେ ଘରକୁ ଫେରିବ ? ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ।

author-image
Sarbeswar
ଅଦ୍ୟତନ ହୋଇଛି
ବାପା କ୍ୟାନସର ଓ କରୋନାରେ ଚାଲିଗଲେ ମାଆ, ଏକୁଟିଆ ହୋଇଗଲା ୯ ବର୍ଷର କୁନି ଝିଅ...

Balasore

ଜଳେଶ୍ୱର(ଅଜିତ୍‌ କୁମାର ଦାସ): ମାରାତ୍ମକ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବାପା ଆର ପାରିକୁ ଚାଲିଯିବା ପରେ କରୋନାରେ ଆକ୍ରାନ୍ତ ହୋଇ ମା ବି ଆଖି ବୁଜି ଦେଲା। ଇଶ୍ୱରଙ୍କର ଏ କି ବିଚିତ୍ର ଲୀଳା , ମାତ୍ର ୯ ବର୍ଷର କଅଂଳ ପିଲା ଟିକୁ ବାପା ମା ଛେଉଣ୍ତ କରିଦେଲା ଏ ନିଷ୍ଠୁର କରୋନା, ତେବେ ବାପା ମାଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ କେହି ବି ସଦସ୍ୟ ନଥିବାରୁ ଏବେ ଅସହାୟ ଅବସ୍ଥାରେ ଭୋକ ଉପାସରେ ଏକୁଟିଆ ବାରଣ୍ତାରେ ପଡି ରହିଛି ୯ ବର୍ଷର କୁନି ଝିଅ ଜ୍ୟୋତି। ମା ର ଫଟୋକୁ ଦେଖି କେବଳ କାନ୍ଦିବା ଛଡା ଆଉ କିଛି ବି ଉପାୟ ନାହିଁ ତା ପାଖରେ।

Advertisment

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ସହାୟିକା ଭାବରେ କାର୍ଯ୍ୟ କରୁଥିଲେ ରେବତୀ ପରିଡା। ନିଜର ଜମିବାଡି କିଛି ନଥିବାରୁ ରେବତୀଙ୍କ ସ୍ୱାମୀ ମଧୂସୁଦନ ପରଘରେ ମୂଲ ଲାଗି ଯାହା କିଛି ଆଣୁଥିଲେ ବେଶ ହସ ଖୁସିରେ ସଂସାର ଚଳି ଯାଉଥିଲା। ମାତ୍ର ଦଇବ ସହିଲା ନାହିଁ , ରେବତୀଙ୍କ ସ୍ୱାମୀ ମଧୂସୁଦନ ମାରାତ୍ମକ କ୍ୟାନସରରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ସ୍ତ୍ରୀ ଏବଂ ଛୋଟ ଝିଅକୁ ଛାଡି ଆରପାରିକୁ ଚାଲିଗଲେ ସ୍ୱାମୀ। ହେଲେ ସ୍ୱାମୀ ଚାଲିଯିବା ପରେ ବି ଭାଙ୍ଗି ନପଡି ଝିଅ ଟିକୁ ପାଠ ପଢାଇ ମଶିଷ କରିବା ପାଇଁ ଲାଗି ପଡିଥିଲେ ରେବତୀ।

Advertisment

ମହାମାରୀ କରୋନା ସମୟରେ ଛୋଟ ଝିଅ ଟିକୁ ଏକୁଟିଆ ଘରେ ଛାଡି ଦେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଣେ ଆଗ ଧାଡିର କରୋନାଯୋଦ୍ଧା ଭାବରେ ଦିନରାତି ଲୋକଙ୍କ ସେବା କରୁଥିଲେ ରେବତୀ , ଅଙ୍ଗନବାଡି ସହାୟିକା ଭାବରେ ଯାହା ଅଳ୍ପ କିଛି ପାରିଶ୍ରମିକ ମିଳୁଥିଲା ସେଥିରେ ଝିଅର ପଢା ଖର୍ଚ୍ଚ କରିବା ସହ କଷ୍ଟେମଷ୍ଟେ ଚଳି ଯାଉଥିଲେ ଦୁଇ ପ୍ରାଣୀ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା , ଅଦୃଶ୍ୟ ଭୂତାଣୁ କରୋନା ସହିତ ଲଢେଇ କରୁ କରୁ ନିଜେ କରୋନାରେ ଆକ୍ରାନ୍ତ ହେଲେ ରେବତୀ । ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ , ଏପଟେ କୁନି ଝିଅଟି ଘରେ ଏକୁଟିଆ ଅପେକ୍ଷା କରି ରହିଥିଲା ମା ହସପିଟାଲରୁ କେତେବେଳେ ଘରକୁ ଫେରିବ ? ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ। ଆଉ ବାପା ମା ଛେଉଣ୍ତ ହୋଇଗଲା ୯ ବର୍ଷର ଝିଅ। ମଧୂସୁଦନଙ୍କ ମୃତ୍ୟୁ ପରେ ପୁଣି ରେବତୀଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

କୁନି ଝିଅଟିର ଏଭଳି ଅବସ୍ଥା ଦେଖି ସାହି ପଡିଶାଙ୍କ ଆଖିରୁ ବି ଲୁହ ଶୁଖୁନି , ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ବାପା ମା ଙ୍କୁ ଝୁରିଝୁରି ନଖାଇ ନପିଇ ଭୋକ ଉପାସରେ ଭଙ୍ଗା ନଡା ଛପର ଘରେ ଏକୁଟିଆ ପଡି ରହିଛି। ଏଭଳି ସ୍ଥିତିରେ ସାହି ପଡିଶା ପିଲାଟିକୁ ଖାଇବାକୁ ଦେବା ସହ ଦେଖାଶୁଣା କରୁଛନ୍ତି। ଅନ୍ୟପକ୍ଷରେ ଛୋଟ ଝିଅ ଟିକୁ କେମିତି ଲାଳନ ପାଳନ କରିବେ ତାକୁ ନେଇ ଏବେ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି। ତେବେ ସରକାର ତୁରନ୍ତ ଏହି ଅନାଥ ଝିଅର ଲାଳନ ପାଳନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Balasore COVID-19 Cancer
Advertisment
Advertisment