• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍‌ଲାଇନ୍ ।

  • ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍‌ଲକ୍‌ ହେବ କି ଓଡ଼ିଶା ?

  • କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି ।

ଭୁବନେଶ୍ୱର: ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍‌ଲାଇନ୍ । ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍‌ଲକ୍‌ ହେବ କି ଓଡ଼ିଶା ? ଗୋଟିଏ ପଟେ ରାଜ୍ୟରେ ସାମଗ୍ରିକ ଭାବେ କରୋନା ସଂକ୍ରମଣ ଖସୁଛି, କିନ୍ତୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି । ତେଣୁ ଅଗଷ୍ଟ ମାସର ଗାଇଡାଲାଇନ୍‌ର କେଉଁ ଫର୍ମୁଲା ଅଣାଯିବ ତା ଉପରେ ବିଚାର ବିମର୍ଷ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍, ଟୀକାକରଣ, କୋଭିଡ ନିୟମ ମାନିବା ଓ ହସପିଟାଲ୍‌ରେ କେସ୍ ଲୋଡ୍ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଡିଏମ୍ଇଟି ।

କେତେ ଜିଲ୍ଲାରେ ବଳବତ୍ତର ରହିବ ଆଂଶିକ ତାଲାବନ୍ଦ କଟକଣା ? ୩ ଦିନ ପରେ ଅଗଷ୍ଟ ମାସର ନୂଆ ଗାଇଡ୍‌ଲାଇନ୍ ଆସିବାକୁ ଥିବାରୁ ଉଙ୍କି ମାରୁଛି ଏସବୁ ପ୍ରଶ୍ନ । ମେ’ରୁ ଜୁଲାଇ, ବିଗତ ୩ ମାସ ଧରି କରେନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ ଲକ୍‌ଡାଉନ୍, ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ଓ ଆଂଶିକ ଲକ୍‌ଡାଉନ୍ ଲାଗୁ ହୋଇଛି । କରୋନା ସଂକ୍ରମଣ କମୁଥିଲେ ବି ଦୈନିକ ପଜିଟିଭ୍ ଟ୍ରେଣ୍ଡ କିନ୍ତୁ ୧୬୦୦ରୁ ୨ ହଜାର ମଧ୍ୟରେ ରହୁଛି । ସେହିପରି ଟିପିଆର୍ ୨ ତଳକୁ ଖସିନାହିଁ ।

ଅନ୍ୟପକ୍ଷରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଏବେ ବି ଉଚ୍ଚା ରହିଛି । ସେଥିରେ ପୁଣି ରାଜଧାନୀ ଭୁବନେଶ୍ୱର ଓ କଟକ ସହରକୁ ନେଇ ଏବେ ବି ଲାଗି ରହିଛି ଟେନ୍‌ସନ୍ । ଖୋର୍ଦ୍ଧା ଜିଲ୍ଲାରେ ଏବେ ୪ ହଜାର ୫୦୯ ଆକଟିଭ୍ କେସ୍ ଥିବାବେଳେ କେବଳ ଭୁବନେଶ୍ୱରରେ ଅଛି ୨ ହଜାର ୬୫ କେସ୍ । ସେହିପରି କଟକ ଜିଲ୍ଲାର ମୋଟ୍ ୨, ୧୯୩ ଆକ୍ଟିଭ କେସ୍ ମଧ୍ୟରୁ କଟକ ସହରରେ ରହିଛି ୧୧୩୬ କେସ୍ । ଅନ୍ୟପକ୍ଷରେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବି ଆକଟିଭ୍ କେସ୍ ସଂଖ୍ୟା ହଜାରେ ଉପରେ ରହିଛି ।

ସ୍ଥିତିରେ ସୁଧାର ଆସୁଥିବାରୁ ଅଗଷ୍ଟ ଗାଇଡଲାଇନ୍‌ରେ ଆଉ କିଛି କଟକଣା କୋହଳ କରାଯାଇପାରେ । କାଟାଗୋରୀ-ବି ଜିଲ୍ଲାରେ ଏବେ ଅପରାହ୍ନ ୫ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏହାକୁ ରାତି ୮ଟା ଯାଏଁ ବଢ଼ାଯିବାର ସମ୍ଭାବନା ରହିଛି । ତେବେ ଟୁଇନ୍‌ସିଟିରେ ଆକ୍ଟିଭ୍ କେସ୍ ଅଧିକ ଥିବାରୁ ଦୁଇ ମହାନଗର ପାଇଁ କିଛି ସ୍ୱତନ୍ତ୍ର ନିୟମ ଆସିପାରେ । ହେଲେ ନାଇଟ୍ କର୍ଫ୍ୟୁ, ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବାର ସମ୍ଭାବନା ଅଛି । ତେବେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିବ କି ନାହିଁ ତାଉପରେ ସସ୍‌ପେନ୍‌ସ ଲାଗି ରହିଛି ।

ସେପଟେ ଅଡିଟ୍ ପରେ ରାଜ୍ୟରେ ଆଉ ୬୯ ଜଣଙ୍କ କୋଡିଡ୍‌ରେ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ପହଚିଂଛି ୫ ହଜାର ୭୦୩ରେ । ଡିଏମ୍ଇଟି କହିଛନ୍ତି ବଳକା ମୃତ୍ୟୁ ସଂଖ୍ୟାର ଅଡିଟ୍ ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ ।