• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍‌ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍‌ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି । ତେବେ ପୂର୍ବରୁ ମାତ୍ର ୨୭ଟି ବିପଦପୂର୍ଣ୍ଣ ସ୍ଥାନ ଅଛି କହି ଚୁପ୍ ବସିଥିବା ବିଏମ୍‌ସି ଏଥର ଏକ ନିରୀହ ପିଲାର ମୃତ୍ୟୁ ପରେ ସଜାଗ ହୋଇ ପଦକ୍ଷେପ ନେବ ତ ? ଏ ପ୍ରଶ୍ନ ଏଥିପାଇଁ କାରଣ ମାଳ ମାଳ ଯୋଜନା ଓ କୋଟି କୋଟି ଟଙ୍କାର ପାଣ୍ଠି ସତ୍ତ୍ୱେ କ୍ୟାପିଟାଲ୍ ସାରା ଓଟିଭି କ୍ୟାମେରାରେ କଏଦ ହୋଇଛି ଶହ ଶହ ମୁକୁଳା ଡ୍ରେନ୍ ।

ଘର ପାଖ ମୁକୁଳା ଡ୍ରେନ୍‌ରେ ଉଛୁଳା ବର୍ଷା ପାଣିକୁ ଦେଖି ପୁରୁଣା ଭୁବନେଶ୍ୱରର ରମ୍ଭାଙ୍କ ମନରେ ଶଙ୍କା । ପିଲାଛୁଆ ଖେଳୁଛନ୍ତି, କାଳେ କେତେବେଳେ ଅଘଟଣ ଘଟିଯିବ । ରମ୍ଭାଙ୍କୁ ଘାରିଛି ସେଇ ଚିନ୍ତା । କେବଳ ରମ୍ଭା ନୁହଁନ୍ତି ବର୍ଷା ପାଣିରେ ଭାସି ଯାଇ ଶତାଦ୍ଦୀନଗରରେ ୧୫ ବର୍ଷୀୟ ରାଜାର ମୃତ୍ୟୁ ପରେ ରାଜଧାନୀବାସୀଙ୍କ ମନରେ ମୁକୁଳା ଡ୍ରେନର ପ୍ରବଳ ଡର । ପୁରୁଣା ଭୁବନେଶ୍ୱର, କୋଟିତୀର୍ଥ ଲେନ୍, ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଶତାବ୍ଦୀନଗର ଓ ସୂର୍ଯ୍ୟନଗର ଯୁଆଡ଼େ ଗଲେ ସେଇ ଗୋଟିଏ ଦୃଶ୍ୟ । ଅଣଓସାରିଆ ଖୋଲା ଡ୍ରେନ୍ ତା ଉପରେ ଜବରଦଖଲ । ନୟାପଲ୍ଲୀ ନୂଆ ସାହିର ମୁଖ୍ୟ ନଳାକୁ ଅଧାଅଧି ମାଡିବସି ଘର ତିଆରି ହୋଇଛି । ଜଳ ନିସ୍କାସନ ସମସ୍ୟା ଯୋଗୁଁ ବର୍ଷା ହେଲା କ୍ଷଣି ରାସ୍ତା କିଏ ଡ୍ରେନ କିଏ ଜାଣିବା ମୁସ୍କିଲ ହୋଇ ପଡୁଛି । ଯାହାକି ଅଘଟଣ ଆଶଙ୍କାକୁ ବଢାଇ ଦେଇଛି ।

ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍ ବ୍ୟବସ୍ଥା ଓ ଜବରଦଖଲ ବର୍ଷା ଜଳ ନିଷ୍କାସନରେ ବାଧକ ସାଜୁଛି । ତା’ସାଙ୍ଗକୁ ଅନିୟମିତ ବର୍ଷା ରାଜଧାନୀରେ ସୃଷ୍ଟି କରୁଛି ଜଳପ୍ରଳୟ । ଏଥର ମୌସୁମୀ ଋତୁ ଆରମ୍ଭରୁ ନିୟମିତ ବର୍ଷା ହୋଇନଥିବା ବେଳେ ଲଘୁଚାପକୁ ନେଇ ଗତ ସପ୍ତାହରେ ୬୩ ବର୍ଷର ରେକର୍ଡ ଭାଙ୍ଗିଥିଲା ବୃଷ୍ଟିପାତ । ଫଳରେ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ମାତ୍ରାଧିକ ବର୍ଷା ପାଇଁ ପୂର୍ବରୁ ସହରରେ ୨୭ଟି ସ୍ଥାନ ସମ୍ବେଦନଶୀଳ ଥିବା ବେଳେ ଏଥର ୭୫ଟି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି । ତେବେ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ସହରରେ ଥିବା ପ୍ରାକୃତିକ ନଳା ଅନେକ କ୍ଷେତ୍ରରେ ବିପଦ ସାଜୁଥିଲେ ମଧ୍ୟ ସୁପ୍ରିମକୋର୍ଟ ଏବ୍ଂ NGTଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ସେଗୁଡିକୁ କଭର କରାଯାଇପାରିବ ନାହିଁ ବୋଲି କହିଛନ୍ତି ବିମ୍‌ସି କମିଶନର ।

କେବଳ ଶତାଦ୍ଦୀନଗର ଘଟଣା ନୁହେଁ, ମୁକୁଳା ଡ୍ରେନ୍‌ରେ ଭାସିଯାଇ ଗତ ୪ ବର୍ଷରେ ରାଜଧାନୀରେ ୪ ଜଣଙ୍କ ଜୀବନ ଗଲାଣି । ପ୍ରତି ଥର ଅଘଟଣ ଘଟିଲେ କିଛି ଦିନ ହୋହାଲ୍ଲା ଚାଲେ, ତାପରେ ସମସ୍ତେ ଚୁପ୍ । ତେବେ ସ୍ମାଟ୍‌ସିଟିର ଏହି ସବୁ ଦିନିଆ ସମସ୍ୟାର କେବେ ଓ କି ଚିରସ୍ଥାୟୀ ପ୍ରତିକାର କରାଯାଉଛି ତାକୁ ଅପେକ୍ଷା ।