Advertisment

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌, ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଲେ ହେଲ୍‌ପର୍‌

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

author-image
Rajalaxmi Sahoo
ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌, ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଲେ ହେଲ୍‌ପର୍‌

truck falls into deep gorge

ବାରିପଦା: ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଟ୍ରକ୍‌ ଡ୍ରାଇଭର ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲ। ଗୁରୁତର ହେଉଛନ୍ତି ଟ୍ରକ୍‌ ହେଲ୍‌ପର୍‌ ୱାସିମ୍‌। ସମସ୍ତଙ୍କ ଘର ମହାରାଷ୍ଟ୍ରର ମାଲକାପୁରରେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ନାସିକରୁ ଏକ ପିଆଜ ବୋଝେଇ  ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଆଜି ସକାଳେ ଟ୍ରକ୍‌ଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଟ୍ରକ୍‌ରେ ଥିବା ହେଲ୍‌ପର୍‌ ୱାସିମ୍‌ ତଳକୁ ଡେଇଁ ପଡ଼ି ଗୁରୁତର ହୋଇ ପଡ଼ିଛନ୍ତି। ହେଲେ ଘାଟି ତଳେ ଟ୍ରକ୍‌ଟି ପଡ଼ିଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Advertisment

ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦମକଳବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ହେଲେ ସେଠାରେ ଡାକ୍ତର ଇନୁସ୍‌ ଓ ଜୱଲଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣାପରେ କିଛି ସମୟ ପାଇଁ ରାସ୍ତା ଜାମ୍‌ ପରେ ପୁଣି ଯାନବାହନ ଚଳପ୍ରଚଳ ସ୍ଵାଭାବିକ ହୋଇଛି। ଗତ କିଛି ଦିନ ପୂର୍ବେ ମଧ୍ୟ ଘାଟି ରାସ୍ତାରେ ଏକ ଟ୍ରକ୍ ସିରିଜ ଦୁର୍ଘଟଣା କରି ୭ ଗାଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ, ପ୍ରତିଦିନ ବାଙ୍ଗିରିପୋଷି ଘାଟି ଦେଇ ଶହ ଶହ ମାଲ୍‌ ବୋଝେଇ ଟ୍ରକ୍‌ ଯାତାୟତ କରିଥାଏ। ମାତ୍ର ଅଣ ଓସାରିଆ ରାସ୍ତା ଯୋଗୁ ବହୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ଯାଇଥାଏ। ହେଲେ ଦୁର୍ଘଟଣା ରୋକିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। 

Accident Odisha
Advertisment
Advertisment