• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଗାଁ ସ୍କୁଲ‌୍‍କୁ ଆସିବା ବେଳକୁ ମୋର ନବମ ଶ୍ରେଣୀ। ସେତେବେଳକୁ ଆମ କ୍ଲାସ‌୍‌ରେ ଫାଷ୍ଟ‌୍‍ ହେଉଥିଲା ଝୁମ‌୍‍କୀ। ଫାଷ୍ଟ‌୍‌ ମାନେ ସବୁଥିରେ ଫାଷ୍ଟ‌୍‍; ପାଠରେ, ବକ୍ତୃତାରେ, ରଚନା ଲେଖାରେ, ଖେଳରେ। ଏମିତି ହେଇ ହେଇ ସେ ବର୍ଷ ସ୍କୁଲ‌୍‍ର ବାର୍ଷିକ ଉତ୍ସବରେ ବି ସେ ‘ଅଲ‌୍‍ରାଉଣ୍ଡର୍‌’ ସିଲ‌୍‍ଡ ପାଇଥିଲା। ତା’ ପୂର୍ବରୁ କେହି ଝିଅପିଲା କେବେ ବି ସିଲ‌୍‍ଡ ଛୁଇଁପାରି ନ ଥିଲେ ବୋଲି ତା’ର ଟିକେ ଭାଉ ଅଧିକା ଥିଲା।

ସାର‌୍‍ ଓ ଦିଦିମାନେ ତ ତାକୁ ଭଲ ପାଉଥିଲେ, ତା’ ସହିତ ତା’ ସାଙ୍ଗରେ ଓ ଉପର କ୍ଲାସ‌୍‌ରେ ପଢ଼ୁଥିବା ପୁଅଝିଅମାନେ ମଧ୍ୟ ତା’ ସାଙ୍ଗେ ସାଙ୍ଗ ହେବା ପାଇଁ ରୀତିମତ ପ୍ରତିଦ୍ୱନ୍ଦ୍ୱିତା ଲଗେଇ ଦେଇଥିଲେ। ଏ ସବୁ ବାଦ‌୍‍ ଝୁମ‌୍‍କୀ ଥିଲା ଦେଖିବାକୁ ଖୁବ‌୍‍ ଆକର୍ଷଣୀୟ। ତେଣୁ ତା’ ନିଜ ମନରେ ବି ସେ ନେଇ ଟିକେ ଗର୍ବ ଥିଲା ସମ୍ଭବତଃ। ତେବେ ସବୁ ସୁନ୍ଦରୀମାନଙ୍କର ସାମାନ୍ୟ ଅହଂକାର ଜନ୍ମଗତ ଅଧିକାରଭାବେ ଗୃହୀତ ହେଇଥାଏ। ତେଣୁ ଝୁମ‌୍‍କୀର ସେଇ ହାଲ‌୍‍କା ଅହଂକାର ଟିକକ ତା’ ସୌନ୍ଦର୍ଯ୍ୟର ଆଭିଜାତ୍ୟକୁ ବଢ଼େଇ ଦେଉଥିଲା।

କିନ୍ତୁ ମୁଁ ପହଞ୍ଚିବା ପରେ ସବୁ ଏପଟ ସେପଟ ହେଇଗଲା। ଯେହେତୁ କ୍ଲାସ‌୍‍ସାରା ପିଲା ତା’ ସହ କଥା ହେବାକୁ ଆଗ୍ରହୀ ଥିଲେ, ତେଣୁ ମୁଁ ବି ସେ ଧାଡ଼ିରେ ରହିବା ସ୍ୱାଭାବିକ ଥିଲା। ହେଲେ ସେ ଜାଣିପାରୁଥିଲା ସମ୍ଭବତଃ ଯେ ମୋର ଆସିବାଟା ଅକସ୍ମାତ‌୍‍ ତା’ର ଏତେଦିନର ପତିଆରା ଆଉ ପ୍ରତିଷ୍ଠା ପ୍ରତି ବିପଜ୍ଜନକ ହୋଇପାରେ। କ୍ଲାସ‌୍‌ରେ ସାର‌୍‍ମାନଙ୍କର ସବୁ ପ୍ରଶ୍ନ ପାଇଁ ମୋର ହାତ ଉଠୁଥିଲା ଏଣିକି, ତା’ ସହ।

ଷାଣ୍ମାସିକ ପରୀକ୍ଷାରେ ବି ଅଙ୍କରେ ମୋର ପୂରା ଶହେରୁ ଶହେ ତ ତା’ର ନବେ। ବର୍ଷ ଶେଷ ବେଳକୁ ସାଂସ୍କୃତିକ ସପ୍ତାହରେ ଯେତେ ପ୍ରତିଦ୍ୱନ୍ଦ୍ୱିତା ହେଲା, ସବୁଥିରେ ସେ ମୋ ପଛକୁ ରହିଲା। ଝୁମ‌୍‍କୀ ଏଣିକି ନିଜକୁ ବେଶୀ ବେଶୀ ସଜେଇଲା, ଗୋଟେ ଚମତ୍କାର ପରଫ୍ୟୁମ‌୍‍ ବ୍ୟବହାର କଲା; ଆଉ ସମସ୍ତଙ୍କୁ କହିଲା ଯେ ଏଇଟା ତା’ ବାପା ଆମେରିକାରୁ ତା’ ପାଇଁ ଆଣିଛନ୍ତି। ଦୃଷ୍ଟି ଆକର୍ଷଣ କରିବା ପାଇଁ ଝୁମ‌୍‍କୀ ପାଖରେ ଆହୁରି ଅନେକ ସାଧନ ଥିଲା। ତେଣୁ ସେ ମତେ ଜମାରୁ ଖାତିର‌୍‍ କରୁ ନ ଥିଲା।

ଖାଲି ସେ କାହିଁକି, ଯେତେ ନମ୍ୱର ରଖିଲେ ବି ଝୁମ‌୍‍କୀର ଭକ୍ତମାନେ ବି ମୋ ଆଡ଼କୁ କେହି ଟିକିଏ ବି ଢଳୁ ନ ଥିଲେ। ଅତଏବ ଝୁମ‌୍‍କୀ ପଛରେ ସ୍କୁଲସାରା ପାଗଳ ହେବା ସେମିତି ଲାଗି ରହିଥିଲା। ଏମିତି ଭିତରେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳ ବାହାରିଲା। ସେଥିରେ ବି ମୁଁ ଫାଷ୍ଟ୍‌ ହୋଇଥିଲି। ମତେ ମୋ ସାଙ୍ଗମାନଙ୍କ ଭିତରୁ କେହି କେହି ଆସି କହିଲେ, ଝୁମ‌୍‍କୀ କହୁଛି, ସାର‌୍‍ମାନଙ୍କୁ ତେଲ ମାରି ମାରି ସେ ନମ୍ୱର ରଖୁଛି; ମାଟ୍ରିକ‌୍‍ ପରୀକ୍ଷାରେ ଦେଖାଯିବ ଟୋକା କେତେ ପଣ୍ଡିତ! ଅନେକ ପ୍ରକାର ରଂଗ, ଅନେକ ପ୍ରକାର ମିଳାମିଶା ଶବ୍ଦ ହେଇ ମୋ ପାଇଁ ଆହ୍ୱାନ ପହଞ୍ଚୁଥିଲା; ଝୁମ‌୍‍କୀ ତରଫରୁ ଏମିତି, ଥରକୁ ଥର।

ମୋର କିନ୍ତୁ ଝୁମ‌୍‍କୀ ପ୍ରତି ଟିକିଏ ବି ବିଦ୍ୱେଷଭାବ ଆସୁ ନ ଥିଲା। ଧନୀଘରର ଝିଅ ସେ। ସବୁଦିନେ ଧଳାରଂଗର ଲମ୍ୱା କାର‌୍‌ରେ ଆସେ ଓ ସ୍କୁଲ‌୍‍ ଛୁଟି ବେଳକୁ ନାଲି ରଂଗର କାର‌୍‌ଟେ ଆମ ସ୍କୁଲ‌୍‍ ଫାଟକ ପାଖେ ଲାଗିଥାଏ। ସେ ଗାଡ଼ିରେ ପଗଡ଼ିପିନ୍ଧା ଡ୍ରାଇଭର ଜଣେ ଗାଡ଼ିଟିକୁ ଏମିତି ଜଗିଥାଏ, ଯେମିତି ମାତା ପାର୍ବତୀଙ୍କର ଗୁଣ୍ଠା ମୁହଁରେ ଶ୍ରୀଗଣେଶ ! କେହି ଛୁଇଁବା ତ ଦୂରର କଥା, ସେ ଗାଡ଼ି ପାଖକୁ ପିଲାମାନେ ଯାଇ ବି ପାରନ୍ତିନି।

ଗାଡ଼ି ଭିତରେ ବସିଥା’ନ୍ତି ଝୁମ‌୍‍କୀର ମା’। ଅଧା ତଳକୁ ଖସିଥିବା ଗାଡ଼ି କାଚ ଭିତରୁ କେବେ କେମିତି ତାଙ୍କ ମୁହଁ ଦେଖିଛି ମୁଁ। ସେ ଝୁମ‌୍‍କୀଠୁ ଆହୁରି ସୁନ୍ଦରୀ। ଝୁମ‌୍‍କୀର ବାପା କ’ଣ କରନ୍ତି, ଗାଁ ଭିତରେ କେହି ଠିକ‌୍‌ରେ କହିପାରନ୍ତିନି। ତେବେ ଆମ ସ୍କୁଲ୍‌ରେ ଚାଲିଥିବା କଥାବାର୍ତ୍ତାରୁ ଜଣାପଡେ଼ ଯେ ସେ ଏମିତି ସହଜରେ ବୁଝିହେଉଥିବା ବା କହିହେଉଥିବା ଡାକ୍ତର, ଇଂଜିନିୟର, ଅଧ୍ୟାପକ କି ଓକିଲ, କିଛି ନ ହେଲେ ଏସ‌୍‍ପି କି କଲେକ୍ଟର, ଏମିତି କିଛି ଚାକିରି କରି ନାହାନ୍ତି। ତାଙ୍କର ଦେଶସାରା ବିଭିନ୍ନ ସହରରେ ଏମିତି ଅଫିସ‌୍‍ ସବୁ ଜାଗାରେ ଯେ ସେଠି ଏମିତି ସାଧାରଣ ଚାକିରି କରିଥିବା କେତେଲୋକଙ୍କୁ ସେ ଦରମା ଦିଅନ୍ତି।

ମନ୍ତ୍ରୀ, ଅମଲା ପୁଞ୍ଜା ପୁଞ୍ଜା ତାଙ୍କ ଚାରିପଟେ । ତେବେ ଝୁମ‌୍‍କୀର ବାପାଙ୍କୁ ଆମେମାନେ କେହି ଦେଖିପାରିନି। ଅନେକ ବର୍ଷ ହେଲାଣି ସେ କଲିକତାରେ। କେତେବେଳେ ରାତିରେ ଆସି ସକାଳୁ ଚାଲିଯାଆନ୍ତି। ଝୁମ‌୍‍କୀ ରହେ ତା’ ମା’ ଓ ଜେଜେମା’ଙ୍କ ପାଖରେ। ଝୁମ‌୍‍କୀର ଜେଜେମା’ ଗାଁ ଛାଡ଼ି କୁଆଡେ଼ ଯିବେନି ବୋଲି ଜିଦ‌୍‍ କରିବାରୁ ଏମାନେ ଗାଁରେ ଓ ସେ ଦୂର ସହରରେ। ସେ ବି ସତସତିକା କଲିକତାରେ ରହନ୍ତି କି ନା, ଜଣାନାହିଁ। ଆମ ସାର‌୍‍ମାନେ କଥା ହୁଅନ୍ତି ଯେ ଝୁମ‌୍‍କୀର ବାପା ଖୁବ‌୍‍ ବଡ଼ଲୋକ। ତାଙ୍କର ଦିନରେ ଲଣ୍ଡନ‌ରେ ମିଟିଙ୍ଗ‌ ଥାଏ ତ ରାତିରେ ଆମେରିକାରେ; ପୁଣି ତା’ ପରଦିନ ଦିଲ୍ଲୀ ତ ସେଇ ସନ୍ଧ୍ୟାରେ ଆସନ୍ତି ଭୁବନେଶ୍ୱର, କୋଉ ଜରୁରୀ କାମରେ।

ଝୁମ‌୍‍କୀର ବାପା ଯୁଆଡେ଼ ଯିବେ ଯାଆନ୍ତୁ, ମୋର ଏ ସବୁରେ ଟିକେ ମୁଣ୍ଡ ପୂରେଇବାର ନ ଥିଲା। ଲଣ୍ଡନ‌୍‍ରୁ ଆମେରିକା ଯିବା ପାଇଁ କେତେ ଘଣ୍ଟା ଲାଗେ, ସେ କଥା ବି ଜଣା ନ ଥିଲା ମୋତେ। ସେସବୁ ପଛରେ ରହେ, ମୁଁ କେବଳ ଝୁମ‌୍‍କୀକୁ ଦେଖେ। ଝୁମ‌୍‍କୀର ଖିଲିଖିଲି ହସ, ମୋ ଆଡ଼କୁ କେବେ କେମିତି ବିରକ୍ତିର ଚାହାଣି ଫିଙ୍ଗିବା, ପ୍ରାର୍ଥନା ଶ୍ରେଣୀରେ ମୋ ସାଙ୍ଗରେ ପ୍ରାର୍ଥନା ବୋଲିବା ବେଳେ ଦୂରେଇ ଛିଡ଼ାହେବା, ଏସବୁକୁ ମୁଁ ଭଲପାଏ; ଖୁବ‌୍‍୍ ଗୋପନରେ। ସେ ମୋ ଆଖି ସାମ୍ନାରେ ଥିବାଯାଏଁ ମତେ ସବୁ ଭଲଲାଗେ; ପାଠପଢ଼ାରେ ମନଲାଗେ ଆଉରି ଆଉରି। ମୋର ଅଧିକା ନମ୍ୱର ବଢ଼ିଚାଲେ ଆଉ ଝୁମ‌୍‍କୀର କମିଚାଲେ। ଝୁମ‌୍‍କୀ ମୋ ଉପରେ ଚିଡେ଼, ବେଶୀ ବେଶୀ ରାଗେ ତ ମନେ ମନେ ମୁଁ ଭାବିରଖେ, ମାଟ୍ରିକ‌୍‍ ପରୀକ୍ଷାରେ ଅଙ୍କରୁ ସବୁ ପ୍ରଶ୍ନର ଉତ୍ତର ନ ଦେଇ କିଛି ଛାଡ଼ିଦେଇ ଆସିବି। ଛାଡ଼ିଦେଇ ଆସିବି କିଛି ନମ୍ୱର ଝୁମ‌୍‍କୀକୁ ଆଗରେ ଛାଡ଼ିବା ପାଇଁ; ଯେମିତି ସେ ଖୁବ‌ ଖୁସି ହୋଇଯିବ, ମତେ ପଛରେ ପକେଇଥିବାରୁ।

ସ୍କୁଲ ସମୟର ଶେଷ ସରସ୍ୱତୀ ପୂଜା। ଆମକୁ ନବମ ଶ୍ରେଣୀର ପିଲାମାନେ ଡାକିଥାଆନ୍ତି ଭୋଜି ପାଇଁ। ଆମେ ବି ଅପେକ୍ଷା କରି ରହିଥିଲୁ। ସେତେବେଳକୁ ମାସେ ପୂର୍ବରୁ ଟେଷ୍ଟ୍‌ ପରୀକ୍ଷା ସରିଯାଇ କ୍ଲାସ‌୍‍ ବନ୍ଦ ହୋଇଗଲାଣି। ପରସ୍ପରକୁ ଭେଟିବା ପାଇଁ ଆମ ଭିତରେ ବେଶ‌୍‍ ଆଗ୍ରହ ଓ ଉତ୍କଣ୍ଠା। ସମସ୍ତଙ୍କ ଆଖି ପହଁରି ଯାଉଥାଏ ଫାଟକ ଆଡେ଼। ଝୁମ‌୍‍କୀ ପହଞ୍ଚିଲା ସବୁଠୁ ପଛରେ। ସେମାନେ ପାଞ୍ଚଜଣ ଝିଅ ଶାଢ଼ି ପିନ୍ଧି ଏକାଠି ଆସିଥା’ନ୍ତି। ସେମାନଙ୍କ ଭିତରେ ଝୁମ‌୍‍କୀ ଦିଶୁଥାଏ ପୂରା ଅଲଗା।

ଗୋଟେ ଧଳାରଂଗର ସୁନା ଜରିଦିଆ ଧଡ଼ିର ଶାଢ଼ି ପିନ୍ଧିଥିଲା ସେ। ମୁଁ ତାକୁ ଦୂରରୁ ଦେଖି ସ୍ତବ‌୍‍ଧ ହୋଇଗଲି। ମୁଁ ତାକୁ ଚାହିଁ ରହିଛି, ଏ କଥା ସେ ଜାଣିପାରିଲା ଯେମିତି। ଧୀରେ ଧୀରେ ଭିଡ଼ ଭିତରୁ ବାହାରି ସେ ମୋ ପାଖକୁ ଆସିଲା। ମୋର ପୂରା ପାଖରେ ଠିଆହେଇ ପଚାରିଲା, ବହୁତ ପଢ଼ୁଛୁ ନା ? ତୁ ଏଥର ନିଶ୍ଚୟ ବେଷ୍ଟ୍‌ ଟେନ୍‌ଥେରେ ଯିବୁ; ହେଡ‌୍‍ସାର‌୍‍ କହୁଥିଲେ। ମୁଁ ବିଶ୍ୱାସ କରି ନ ପାରି ତା’ ଆଡେ଼ ଚାହିଁ ରହିଥିଲି ବୋକାଙ୍କ ଭଳି।

ତୁ ବି ତ ବହୁତ ଭଲ ପାଠ ପଢ଼ୁ; ତୁ ବି ପାରିବୁ ଟିକେ ଚେଷ୍ଟା କଲେ। ଏଅ କଥା ମୁଁ କହିବା ପାଇଁ ଭାବି ଭାବି କହିପାରୁ ନ ଥିଲି। ସେ ମୋ କାନ୍ଧକୁ ଟିକେ ଛୁଇଁଦେଲା, ଖୁବ‌୍‍ ହାଲ‌୍‍କା ଭାବେ। ମହ ମହ ହେଇ ଭାସିଆସିଲା ତା’ର ସେଇ ଦାମିକିଆ ଅତରର ବାସ୍ନା। କେମିତି ଗୋଟେ ଭିଜା ଭିଜା ସ୍ୱରରେ ସେ କହିଲା- ସତକଥା, ଦିନେ ମୁଁ ତତେ ଖୁବ‌୍‍ ଈର୍ଷା କରୁଥିଲି। ଆଜି ସରସ୍ୱତୀ ମା’ଙ୍କୁ ପୁଷ୍ପାଞ୍ଜଳି ଦେଲାବେଳେ ପ୍ରାର୍ଥନା କରିବି, ସେ ସବୁଦିନେ ତତେ ମୋ ଈର୍ଷାର ଯୋଗ୍ୟକରି ରଖନ୍ତୁ। ଏତିକି କହିଦେଇ ସେ ମୋ ପାଖରୁ ଚାଲିଗଲା।

ମୋ ଦେହ, ହାତ, ମୁଣ୍ଡ, ସବୁ ଯେମିତି ଝିମ‌୍‍ଝିମ‌୍‍ ଲାଗୁଥିଲା। ଝୁମ‌୍‍କୀ ମୋର ଏତେ ପାଖରେ ଠିଆହେଇ ମତେ ଏମିତି ସବୁ କହୁଛି, ଏକଥା ଟିକିଏ ପରେ ମୋର ନିଜର ବି ବିଶ୍ୱାସ ହେଇ ନ ଥିଲା। ସେ ଦିନସାରା, ତା’ପରଠୁ ମୁଁ କ’ଣ କରିଛି, କ’ଣ ନ କରିଛି, କାହା ସହ କଥା ହେଇଛି, ଏମିତି କି ଭୋଜିରେ କ’ଣ ହେଇଥିଲା, ସେ କଥା ବି ଜାଣିପାରିବା ଭଳି ଅବସ୍ଥାରେ ନ ଥିଲି।

ତା’ ପରଦିନ ହିଁ ସେ ଦୁଃସମ୍ୱାଦ ଖେଳିଗଲା ସବୁଆଡେ଼। ଝୁମ‌୍‍କୀର ବାପା ଗିରଫ ହେଇଯାଇଥିଲେ। ସେ ଗୋଟେ ବଡ଼ ଚିଟ‌୍‍ଫଣ୍ଡ କମ୍ପାନୀର ମାଲିକ ଥିଲେ। ଏ କଥା ଟିଭି, ରେଡିଓ ସବୁଥିରେ ଚାଲିଥିଲା। ସବୁ ଖବରକାଗଜରେ ତା’ ପରଦିନ ତାଙ୍କର ଫଟୋ ସହ ବିଭିନ୍ନ ପ୍ରକାର କଳା କାରନାମା ଓ ଟିକସ‌୍‍ ଫାଙ୍କି ସଂପର୍କରେ ସବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା। ଆମର ଅଜଣା, ଅଶୁଣା ଛୋଟିଆ ଗାଁଟିରେ ହଠାତ‌ ଜନଗହଳି ଲାଗିଯାଇଥିଲା। ସମସ୍ତଙ୍କର ଆକର୍ଷଣ ଥିଲା ଝୁମ‌୍‍କୀର ଘର। ଝୁମ‌୍‍କୀ ଘରର ଆଖପାଖରେ ବିଭିନ୍ନ ଟିଭି ଚ୍ୟାନେଲ‌୍‍ମାନଙ୍କର ଓବି ଭ୍ୟାନ‌୍‍ସବୁ ଘଣ୍ଟା ଘଣ୍ଟା ଧରି ଠିଆ ହେଲେ। ପୁଲିସ‌୍‍, ସାମ୍ୱାଦିକ, ନେତା, ଗାଡ଼ି, ମଟର ସବୁର ଯେମିତି ସୁଅ ଛୁଟିଥିଲା।

ଏସବୁରୁ ପିଲାମାନେ ଦୂରେଇ ରହିବା ପାଇଁ ବଡ଼ମାନେ ଆମକୁ ଘର ଭିତରେ ପୂରେଇକି ରଖିବାକୁ ଚେଷ୍ଟାକଲେ। ତଥାପି ମୁଁ ବିଭିନ୍ନ ବାହାନାରେ ଛାତ ଉପରକୁ ଉଠି ଅନେକ ସମୟରେ ଝୁମ‌୍‍କୀ ଘରଆଡେ଼ ଚାହେଁ। ତାଙ୍କ ଘର ଚାରିପଟର ଉଚ୍ଚା ପାଚେରି, ପାଚେରିକୁ ଲାଗି ଠିଆ ହୋଇଥିବା ଲମ୍ୱା ଦେବଦାରୁ ଗଛର ଫାଙ୍କରେ ଦିଶୁଥିବା ଫୁଲବଗିଚା, ଘାସର ଲନ‌୍‍, ସବୁ ଝାପ‌୍‍ସା ଦିଶେ। ଝୁମ‌୍‍କୀର ମା’ କି ଝୁମ‌୍‍କୀ କେବେହେଲେ ଦିଶନ୍ତିନି। ମୋ ଆଖି ଲୁହରେ ଭର୍ତ୍ତି ହୋଇଯାଏ।

ଖବର ସବୁ ବିଭିନ୍ନ ରୂପ ନେଇ ଉଡ଼ିବୁଲନ୍ତି ପବନରେ। ଝୁମ‌୍‍କୀ ବାପାଙ୍କର ଏ ଜେଲ‌୍‍ରୁ ସେ ଜେଲ‌୍‍ ଠିକଣା ବଦଳେ। ଝୁମ‌୍‍କୀ ମା’ କେତେ ନାମୀ ଦାମୀ ଓକିଲମାନଙ୍କୁ ଡାକନ୍ତି। ଧଳା ଓ ଲାଲ‌୍‍ ରଂଗର କାର୍‌ କେଉଁଆଡେ଼ ଚାଲିଯାଏ; ପଗଡ଼ିପିନ୍ଧା ଡ୍ରାଇଭର‌୍‍ ବି ଆଉ ଦିଶେନି ପାଖ ଆଖରେ। ତାଙ୍କ ଘର ସାମ୍ନାରେ କେବେ କେବେ ଅଜଣା, ଅଚିହ୍ନା ଲୋକମାନେ ଧାରଣାରେ ବସନ୍ତି। କେବେ ନେତାମାନେ ରାଜନୈତିକ ସଭା କରନ୍ତି। କେବେ ଜାମିନ‌୍‍ର ତାରିଖ ଘୋଷଣା ହୁଏ; କେତେ ପ୍ରକାରର ଅପରାଧ, କେତେ ପ୍ରକାରର ଦଫା। ଜାମିନ‌୍‍ ଆବେଦନ ଖାରଜ‌ ହେବାର ଖବର ଆସେ କେତେଥର। ଗାଁ ଭିତରେ ଯେମିତି ସେମାନେ ଏକଘରକିଆ ହେଇଯାଆନ୍ତି।

ଏମିତି ଏମିତିରେ ସମୟ ଚାଲେ। କିଏ କହେ, ଝୁମ‌୍‍କୀ ବାପାଙ୍କର ଶାସକ ଦଳର ସବୁ ନେତାଙ୍କ ସାଂଗେ ସଂପର୍କ ଥିଲା। କିଏ କହେ, ସେ ପାଟି ଫିଟେଇଲେ ରାଜ୍ୟର ଶାସନ କଳ ଭୁଷୁଡ଼ି ପଡ଼ିବ। ଗାଁ ଭିତରେ ହଲ୍ଲା ହୁଏ- ଝୁମ‌୍‍କୀର ମା’ ଏଥର ଟିକେଟ‌୍‍ ପାଇବେ ଶାସକ ଦଳ ତରଫରୁ। ସେ ଜିତିବେ କି ହାରିବେ, ଗାଁ ଲୋକ ତାଙ୍କୁ ଭୋଟ‌୍‍ ଦେବେ କି ନା, ଏନେଇ ବି ଚାଲେ ବାଜି ମରାମରି, ଯୁକ୍ତିତର୍କ। କିନ୍ତୁ ଏସବୁ ଭିତରେ ଝୁମ‌୍‍କୀ ଆଉ ସେ ବର୍ଷ ମାଟ୍ରିକ‌୍‍ ପରୀକ୍ଷା ଦେଇପାରେନି। ମତେ ତେଣୁ ଅଙ୍କରେ ପ୍ରଶ୍ନ ଛାଡ଼ିବାକୁ ପଡେ଼ନି; ମନ ଭିତରେ ରହିଯାଏ ଝୁମ‌୍‍କୀକୁ ଖୁସି କରିବାର ସୂକ୍ଷ୍ମ ଯୋଜନା ମୋର।

ମାଟ୍ରିକ‌୍‍ ପରୀକ୍ଷା ପରେ ଗୋଟେ ବୋର୍ଡିଂ ସ୍କୁଲ୍‌ରେ ମୋର ନାଁ ଲେଖା ହୁଏ । ମୁଁ ମନ ଦୁଃଖରେ ଗାଁ ଛାଡେ଼। ସେଇଠୁ ବୋର୍ଡିଂ ସ୍କୁଲ‌୍‍ର କଟକଣା, ପାଠପଢ଼ାର ବୋଝ, ମଧ୍ୟବିତ୍ତ ପରିବାରର ଚାକିରି ଖୋଜା, ଏସବୁ ଭିତରେ ବିତିଯାଏ କିଛି ବର୍ଷ। କିନ୍ତୁ ଝୁମ‌୍‍କୀ ଲାଖିଥାଏ କୋଉ ରଂଗ ବେରଂଗ ଚାନ୍ଦୁଆ ତଳେ ସତସତିକା ସତେଜ ଫୁଲଟିଏ ପରି। ଗାଁ କଥା ମନେପଡ଼ିଲେ, ମନେପଡେ଼ ଝୁମ‌୍‍କୀ। ମା’ କହେ, ହେଡ‌୍‍ସାର‌୍‍ ସାହାଯ୍ୟ କରୁଛନ୍ତି ବୋଲି ଝୁମ‌୍‍କୀ ଆଉ ତା’ ମା’ ଗାଁରେ ଅଛନ୍ତି; ନ ହେଲେ କେବେଠୁଁ ଗାଁରେ ରହିବା କାଠିକର ହୋଇ ସାରନ୍ତାଣି।

ତା’ ବାପା ଏବେ ବି ଜେଲ‌୍‌ରେ , ଜେଜେମା’ ସେଇ ଦୁଃଖରେ ଆରପାରିକୁ ଚାଲିଗଲେଣି। ହେଡ‌୍‍ସାର‌୍‍ ଦେବତା ଭଳି ସାହାଯ୍ୟ କରିଚାଲିଛନ୍ତି। ସାର‌୍‍ଙ୍କର ସବୁଠି ଚିହ୍ନାଜଣା, ସବୁଠି ହାତ, ସବୁଠି ଛାତ୍ରଛାତ୍ରୀ ଅଛନ୍ତି। ଘର ଚଳିବାକୁ ପଇସାପତ୍ର ଦେବାଠୁ ଆରମ୍ଭକରି ମାଲି ମକଦ୍ଦମା ପର୍ଯ୍ୟନ୍ତ ସବୁଥିରେ ସାହା ହେଉଛନ୍ତି। ତାଙ୍କ ସଂଗେ ଝୁମ‌୍‍କୀ ଯାଇ ତା’ ବାପାଙ୍କୁ ଦେଖାକରି ଆସେ ଜେଲ‌୍‌ରେ। ତାଙ୍କ ଘରେ ଆଜିକାଲି ସନ୍ଧ୍ୟାବେଳେ ଘଣ୍ଟେ ଲେଖାଏଁ ପାଠ ପଢ଼ାନ୍ତି ତାକୁ। ସେ ଘରୋଇ ଭାବେ ମାଟ୍ରିକ‌୍‍ ପରୀକ୍ଷାଟା ଦେଇଦେଲେ, ବଡ଼ ଅଫିସର‌୍‍ଙ୍କୁ କହି ସ୍କୁଲରେ ରଖିଦେବେ ତାକୁ।

ଭାଗ୍ୟ ଏମିତି ବଦଳି ଯାଇପାରେ! ମା’ଠୁ ଶୁଣିବାବେଳେ ମୋ ଛାତିତଳ କେମିତି ହେଇଯାଏ। ମତେ ଧଳା ଜରିଦିଆ ଶାଢ଼ିରେ ଝୁମ‌୍‍କୀ ଦିଶେ, ସ୍ୱପ୍ନରେ ଦିଶୁଥିବା ପ୍ରିୟତମା ପରି। ଝୁମ‌୍‍କୀ ଭଳି କେହି ଆଉ ଦିଶନ୍ତିନି। ସେ କହିଥିବା ଶବ୍ଦସବୁ ପବନରେ ଫେରି ଫେରି ଆସନ୍ତି ସବୁ ଆହ୍ୱାନର ମୁହୂର୍ତ୍ତରେ, ଆଶଙ୍କାର ଫାଙ୍କରେ ଆଉ ଆମିପ୍ରତ୍ୟୟ ସରି ସରି ଯିବାବେଳେ। ଆକାଶକୁ ଚାହିଁଲେ ଦୂର ଆକାଶରେ ଏକାକିନୀ, ନିର୍ମାଖି ହେଇ ଠିଆ ହୋଇଥିବା ତାରାଟି ଦିଶେ ଝୁମ‌୍‍କୀ ଭଳି; ସୁନ୍ଦର, ଅଥଚ ବିଷର୍ଣ୍ଣ। ଝୁମ‌୍‍କୀ କଥା ଭାବି ଭାବି ମୁଁ ଅନ୍ୟମନସ୍କ ହେଇଯାଏ।

ଅନେକ ପରିଶ୍ରମ, ଅନେକ ଧୂଳି-ଧୂଆଁ, ସତ-ମିଛ, ଛନ୍ଦ-ମାୟାର ଜାଲକୁ କାଟି କାଟି ମୋ ହାତରେ ପହଞ୍ଚିଛି ମୋ ଚାକିରିର ନିଯୁକ୍ତି ଖବର। ଏଥର ଗାଁକୁ ଫେରିବା ନିଶ୍ଚିତ ଥିଲା। ଗାଁଟା କେବଳ ଉପଲକ୍ଷ୍ୟ ମାତ୍ର, ପ୍ରକୃତରେ ତ ଝୁମ‌୍‍କୀ ହିଁ ମୋର କେତେଦିନର ଆଖିତଳର ସାଇତା ସ୍ୱପ୍ନ ! ହେଡ‌୍‍ସାର‌୍‍ଙ୍କ ଦୟା ଆଉ ଅନୁକମ୍ପା ତଳେ ପୋତି ହେଇସାରିବେଣି ଝୁମ‌୍‍କୀ ଓ ତା’ ମା’। ସେ ହୁଏତ ଦିଶୁଥିବ ଜାଲ ଭିତରେ ଫସିଥିବା ମତ୍ସ୍ୟକନ୍ୟାଟିଏ ଭଳି, ଯାହାର ଉପର ଭାଗରେ ଚିନ୍ତା କରୁଥିବା ଝିଅଟିଏ, ଅଲିଅଳ, ଗେଲବସର, ମନ୍ଦାର ରଂଗର କାର‌୍‍ରୁ ଓହ୍ଲାଉଥିବା ଅତୀତକୁ ପାର କରିଆସିଥିବା ଝିଅଟି- ବାକୀ ଅର୍ଦ୍ଧେକ ମତ୍ସ୍ୟ ଭଳି; ଅଲକ୍ଷ୍ୟରେ, ନିର୍ଦ୍ଦୋଷରେ, ଅନିଚ୍ଛାରେ ବି ଯେ ପହଁରୁଥିବ ସଂସାରର ଦିଗହରା ସମୁଦ୍ରରେ। ମତ୍ସ୍ୟକନ୍ୟାର ଆଖି ଭଳି ଝୁମ‌୍‍କୀର ଆଖି ବି ହୁଏତ ଦିଶୁଥିବ କ୍ଳାନ୍ତ ଆଉ ଅସହାୟ।

ଏ ଭିତରେ ମୁଁ ଝୁମ‌୍‍କୀ ଘର ଗେଟ‌୍‍ ପାର ହେଇସାରିଥିଲି, ମୋ ଅଜାଣତରେ । ଝୁମ‌୍‍କୀ ନାହିଁ । କିଏ ଖୋଜୁଛ? ଝୁମ‌୍‍କୀର ମା’ ଖିଡିକିକୁ ଅଧା ଖୋଲିକରି କହିଲେ। ତାଙ୍କର ସ୍ୱର ଶୁଭୁଥିଲା କେଉଁ ପ୍ରାଗୈତିହାସିକ ଗୁଣ୍ଠା ଭିତରୁ ବାହାରୁଥିବା ଗୋଟେ ଅଦ୍ଭୁତ ଶବ‌୍‍ଦ ଭଳି- ଯେମିତି ସେ ବିଶ୍ୱାସ କରିପାରୁ ନ ଥିଲେ ଯେ ଝୁମ‌୍‍କୀକୁ କେହି ସତରେ ଖୋଜୁଛି। ଯେମିତି, ଅନେକ ଅନେକ ବର୍ଷ ପରେ କେହି ଜଣେ ମଣିଷ ଠିଆହୋଇଛି, ତାଙ୍କ ଝର୍କା ପାଖରେ।

Story Nijaku Nayaka Manekari by Dr. Hiranmayee Mishraଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'

ଏଇ ସ୍ତ୍ରୀଲୋକ ଜଣଙ୍କର ଗୋଟିଏ ଝଲକ‌୍‍ ପାଇବା ପାଇଁ ସ୍କୁଲ‌୍‍ ଛୁଟିବେଳେ ଫାଟକ ପାଖରେ ଅଟକି ଯାଉଥିଲା ସ୍କୁଲଫେରନ୍ତା ପିଲାଙ୍କ ଭିଡ଼। ବେଶୀ ସମୟ ରହିଲେ ହୁଏତ ମତେ କିଛି କହିବାକୁ ପଡ଼ିବ ବା ହୁଏତ ଶୁଣିବାକୁ ପଡ଼ିବ, ସେ ଏଯାବତ‌୍ କାହାରିକୁ କହିପାରି ନଥିବା କିଛି କଥା ! ହୁଏତ ସେ ପଚାରିବେ, ଝୁମ‌୍‍କୀ ସହ ତା’ର କେମିତି ପରିଚୟ ବା କ’ଣ ପାଇଁ ଖୋଜୁଛି ସେ ତାକୁ।

ମୋ ଆଖି, କାନ, ମସ୍ତିଷ୍କ କେବଳ ଝୁମ‌୍‍କୀକୁ ହିଁ ଖୋଜୁଥିଲା। ମନରେ ଏବେ ଆସୁଥିଲା ଯେ ଝୁମ‌୍‍କୀର ମା’ଙ୍କ ଭଳି ସେ ବି କ’ଣ ଏମିତି ରୋଗାକ୍ରାନ୍ତ ଦିଶୁଥିବ? ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ଦୀର୍ଘଶ୍ୱାସରେ ଅର୍ଜିଥିବା ଆଭିଜାତ୍ୟ ଓ ପ୍ରାଚୁର୍ଯ୍ୟର ଆୟୁଷ ଯେ ଏମିତି ସଂକ୍ଷିପ୍ତ, ତା’ ଯେମିତି ବିଧିନିର୍ଦ୍ଦିଷ୍ଟ। ମୁଁ ଯେତେ ଭାବିଲେ ବି ମତେ ଝୁମ‌୍‍କୀର ବାପାଙ୍କ ମୁହଁ ଦିଶୁ ନ ଥିଲା।

ମୁଁ ଝୁମ‌୍‍କୀ ଘରୁ ବାହାରି ସେଇ ପୁରୁଣା ରାସ୍ତାରେ ଚାଲୁଥିଲି, ଯେଉଁ ରାସ୍ତାରେ ମୁଁ ସବୁଦିନ ସ୍କୁଲକୁ ଯାଉଥିଲି ବର୍ଷ ବର୍ଷ ଧରି। ଶୀତଦିନର ସନ୍ଧ୍ୟା ଧୀରେ ଧୀରେ ବୟସ୍କ ହେଉଥିଲା । ଶୂନ‌୍‍ଶାନ‌୍‍ ହେଇସାରିଥିଲା ରାସ୍ତାଘାଟ, ସ୍କୁଲ‌୍‍ ପଛପଟର ଏ ପୁରୁଣା ରାସ୍ତା। ଶୀତ ସନ୍ଧ୍ୟାର ଅସରାଏ ବର୍ଷା ଓ ପବନ ସମସ୍ତଙ୍କୁ ଘର ଭିତରେ ପୂରେଇ ଦେଇଥିଲା ଯେମିତି । ହଠାତ‌୍‍ ସ୍କୁଲ‌୍‍ ହତାର ଅନ୍ଧାର ଭିତରେ ଗୋଟେ ଟର୍ଚ୍ଚ ଆଲୁଅ ଜଳିବାର ଦିଶିଲା। ମୁଁ ସେ ଦିଗରେ ଚାହିଁଦେଇ ଥମ‌୍‍ ମାରି ରହିଗଲି। କିଏ ହେଇପାରେ ? ଏମିତି ଅରମା, ଲଟାଝଟା ମାଡ଼ି ସ୍କୁଲର ଏ ପଛପଟ ରାସ୍ତାରେ କେମିତି ଦେଖାଦେଲା ସେ ? ଏଇଟା ସତ ନା ସ୍ୱପ୍ନ ?

ମୁଁ ବହୁତ ବେଶୀ ଭାବୁଥିବାରୁ ମୋର ହାଲୁସିନେସନ‌୍‍ ହେଉଛି କି ? ନା, ଛାଇ ଭଳି ଦିଶୁଥିବା ମଣିଷଟି ଧୀରେ ଧୀରେ ପାଖକୁ ଆସିଲା। କ୍ୱାଟର୍ସ‌୍‍ ସବୁର ପଛପଟ ଧିମା ଧିମା ଆଲୁଅରେ ଏଣିକି ମୁଁ ସ୍ପଷ୍ଟ ଦେଖିପାରିଲି ଯେ ଝୁମ‌୍‍କୀ ହିଁ ଆସୁଛି। ତାକୁ ଚିହ୍ନିବାରେ ମୋର ଭୁଲ‌୍‍ ହୋଇପାରେନା। ସେ କ୍ରମଶଃ ଆଲୁଅକୁ ଆସୁଥିଲା। ଆକାଶରେ ଗୋଟେ କୁହୁକ ବର୍ଣ୍ଣ, ପ୍ରାୟ ଶୋଇସାରିଥିବା ଗାଁର ଛାତି ଉପରେ ଗୋଟେ ଅଦ୍ଭୁତ ପ୍ରକାରର ସମ୍ମୋହନ। ମାୟାଚ୍ଛନ୍ନ ସେଇ କୁହୁକୀ ସମୟରେ ପାଚେରି ଆରପଟେ ଝୁମ‌୍‍କୀ ଆଉ ଏପଟେ ମୁଁ !

ମୁଁ ହାତ ବଢ଼େଇଲି। ସେ ମୋ ହାତକୁ ଧରିଲାନି। ନିଜର ଦୁଇ ହାତ ଉପରେ ଭରାଦେଇ, ପାଚେରି ଉପରେ ଚଢ଼ିଲା; ଅଧା ଅଧା ଠିଆ ହେଇ ଡେଇଁଲା ଏପଟକୁ। ମୁଁ ଟିକେ ପଛକୁ ଘୁଞ୍ଚିଗଲି। ସେ ମୋତେ ଜମାରୁ ଚିହ୍ନି ନ ଥିବା ପରି ଡଗଡଗ ଆଗକୁ ଚାଲିଲା। ମୁଁ କିନ୍ତୁ ତା’ ସହ ପାଦ ମିଶେଇ ଚାଲିଲି। ମୋ ନିଃଶ୍ୱାସରେ ମିଶୁଥାଏ ସେଇ ବାସ୍ନା, ପୁରୁଣାଦିନର। ସେ ମତେ ଆଗେଇ ଯିବାକୁ ଚେଷ୍ଟା କରୁଥିଲା। ମୁଁ କିନ୍ତୁ ତା’ ହାତକୁ ଟିକିଏ ଧରିପକାଇଲି, ଅଳ୍ପ ଜୋର‌୍‌ରେ। ତାକୁ ପଚାରିଲି,

- ଏମିତି ରାତିରେ ତୁ କ’ଣ କରୁଥିଲୁ ସ୍କୁଲ‌୍‍ ହତା ଭିତରେ ? ପିଜୁଳି ଚୋରି କରୁଥିଲୁ ନା ବରକୋଳି ?

ସେ ଶୁଣିଲାନି ଜମାରୁ। ମୋ ହାତକୁ ଛିଞ୍ଚାଡ଼ିଦେଇ ମୋ ଆଡ଼କୁ କେମିତି ଚାହିଁଲା ଓ ପୁଣିଥରେ ତା’ ପାଦର ଗତି ବଢ଼େଇଦେଲା। ମୁଁ ସେଇ ଏକା ପ୍ରଶ୍ନ ଦୋହରାଇଲି। ସେ ଟିକିଏ ଅଟକିଗଲା ଓ ଭାରି ବିରକ୍ତିରେ କହିଲା- ତୋ ପ୍ରଶ୍ନର ଉତ୍ତର ଦେବାକୁ କ’ଣ ମୁଁ ବାଧ୍ୟ ?

ଏଇଟା ଠିକ‌୍‍ କଥା ନୁହେଁ ଝୁମ‌୍‍କୀ, ଯଦି ରାତି ପାହିଲେ ହେଡ‌୍‍ସାର‌୍‍ ଜାଣିବେ ତ? ସେ ଏଥର ଟିକିଏ ଠିଆ ହେଇଗଲା। ଆମେ ଗୋଟେ ଲାଇଟ‌୍‍ଖୁଣ୍ଟ ତଳେ ପହଞ୍ଚି ଯାଇଥିଲୁ ଏ ଭିତରେ। ସେ ଯାଏଁ ମୁଁ ଭଲକରି ଦେଖି ନ ଥିଲି ଯେ ସେ ଗୋଟେ ପୁରୁଣା ଶାଢ଼ିକୁ ଗୁଡେ଼ଇ ତୁଡେ଼ଇ ହେଇ ପିନ୍ଧିଛି।

- ଝୁମ‌୍‍କୀ! ତୁ ଏମିତି ଶାଢ଼ି ପିନ୍ଧିଛୁ?

ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲାଭଳି ପଚାରିଲି। ସେ ତା’ ଗଳା ସଫା କଲା। ଚିଡ଼ିଗଲା ପରି ପଚାରିଲା,

- ତୁ କ’ଣ ମୋ ବାପା ନା ଭାଇ ? ଏତେ ପ୍ରଶ୍ନ ପଚାରୁଛୁ ଯେ! କିଛି କାମ ନାହିଁ ତୋର? ଯା’ ତୋ ରାସ୍ତାରେ। ମତେ ଯିବାକୁ ଦେ।

ଏବେ ମୁଁ ଝୁମ‌୍‍କୀକୁ ଭଲକରି ଦେଖିପାରିଲି। ଏବେ ପକ‌୍‍କା ରାସ୍ତା। ଗଛ ନାଇଁ, ଛାଇ ଆଲୁଅର ଖେଳ ନାଇଁ; କେବଳ ଗୋଟେ ନିରନ୍ଧ୍ର ଶୂନ‌୍‍ଶାନ‌୍‍ପଣ, ସବୁଆଡେ଼ । ଇଲେକ୍ଟ୍ରି ଖୁଣ୍ଟରେ ମିଞ୍ଜି ମିଞ୍ଜି ଜଳୁଥିବା ବଲ‌୍‍ବରେ ରାତି ଟିକିଏ ବଢ଼ିବା ପରେ ପ୍ରାଣ ସଂଚାର ହେଇଛି। ଜହ୍ନ ଦିଶୁଛି ଆପାତତଃ ସପ୍ତମୀ ବା ଅଷ୍ଟମୀ ତିଥିର ଆକାରରେ। ଆକାଶରେ ତଥାପି ଚଲା ବାଦଲ ଖଣ୍ଡେ। ଝୁମ‌୍‍କୀର ହାତଧରି ତାକୁ ଅଟକେଇ ଦେଇ କହିଲି,

- ଏତେ ଜୋର‌୍‌ରେ ଚାଲୁଛୁ କାହିଁକି ? ମୁଁ ତୋ ସାଙ୍ଗରେ ଅଛି ପରା ! ମୋ କଥାର ଟିକେ ଜବାବ‌୍‍ ଦେ’!

ସେ ଟିକିଏ ମୋ ମୁହଁକୁ ଚାହିଁ କହିଲା,

- କାହିଁକି?

ପୁଣି ଟିକିଏ ରହିଯାଇ କହିଲା,

- ମୁଁ ଦିନେ ଛଡ଼ା ଦିନେ ଆସେ ଏପଟେ, ଏମିତି ସ୍କୁଲ‌୍‍ ପାଚେରି ଡେଇଁ ପଛପଟ ବାଟେ। ହେଲା ? ଆଉ କାହିଁକି ଆସେ, ତତେ କହିବାକୁ କ’ଣ ବାଧ୍ୟ? ତୁ ମୋର ଗାର୍ଡ଼ିଅନ‌୍‍?

ମୋ ମନ ଭିତରେ ସବୁ ଏପଟ ସେପଟ ହୋଇଗଲା। ନା, ଝୁମ‌୍‍କୀ ମତେ ଏମିତି କହିପାରିବନି; ଏମିତି ଅପମାନ ଦେଇପାରିବନି। ମୁଁ ମୁହୂର୍ତ୍ତକରେ ତା’ ମୁହଁରେ ହାତ ଦେଇ କହିଲି,

- ସେମିତି କହନି ମତେ; କଷ୍ଟ ହେଉଛି, ଖୁବ‌୍‍ କଷ୍ଟ !

- ତତେ କାହିଁକି କଷ୍ଟ ହେବ ?

ସେ ଟିକିଏ ଅଟକିଯାଇ ପଚାରିଲା,

- ମୋର ଯାହା ଇଚ୍ଛା ହେଲା, ମୁଁ କରିବି। ତୁ କିଏ ? ଏତେ ଦିନଯାଏଁ କୋଉଠି ଥିଲୁ?

ମୁଁ କହିଲି, ଏଥର ଖୁବ‌୍‍ ସାହସ ସଂଚୟ କରି, ଟିକିଏ ସ୍ପଷ୍ଟ ଭାବରେ,

- ଝୁମ‌୍‍କୀ, ମୁଁ ତତେ ଭଲପାଏ। ତତେ ବାହାହେବାର ସ୍ୱପ୍ନ ଦେଖେ। ସେଥିପାଇଁ ତତେ ପ୍ରଶ୍ନ କରିବାର ଅଧିକାର ଅଛି ମୋର।

Story Nijaku Nayaka Manekari by Dr. Hiranmayee Mishraଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'

ଝୁମ‌୍‍କୀ ହଠାତ‌୍‍ ହସିବାକୁ ଆରମ୍ଭ କଲା। ଥୁ’ ଥୁ’ କରି ଗରଳ ବାନ୍ତି କଲାପରି ଥରକୁ ଥର ଛେପ କାଢ଼ି ଫିଙ୍ଗିଲା; ଯେମିତି ତା’ ଭିତରର ସବୁ ଅସନ୍ତୋଷ, ସବୁ ଅଭିଯୋଗକୁ ସେ ଫିଙ୍ଗିଦେଉଛି। ସେ ହସିଲା, ପାଗଳୀ ପରି। ମୁଁ କିଛି ବୁଝିପାରୁ ନ ଥିଲି। ସେମିତି ହସି ହସି ଅଳ୍ପ ସମୟ ଭିତରେ ସେ ମୂର୍ତ୍ତି ପାଲଟିଗଲା ଯେମିତି, କ୍ଷଣିକ ପାଇଁ।

ତା’ ହାତରେ ହାତ ରଖି କୋଉ ଗୋଟେ ସିନେମାରେ ଦେଖିଥିବା ଭଂଗୀରେ ମୁଁ ଆଣ୍ଠେଇପଡ଼ିଥିଲି ସେତେବେଳକୁ, ସେଇ ପକ‌୍‍କା ରାସ୍ତା ଉପରେ। ଝୁମ‌୍‍କୀର ଦେହ, ହାତ ସବୁ ଥରୁଥିଲା। ତା’ର ସେ କମ୍ପନ ମୋ ଦେହକୁ ବି ସଂଚରି ଯାଉଥିଲା। ମୁଁ ତା’ର ବନ୍ଦ ହୋଇଥିବା ହାତକୁ ଖୋଲୁଥିଲି। ଝୁମ‌୍‍କୀ ହାତରୁ ତଳେ ଖସିପଡ଼ିଲା ଗୁଡେ଼ଇ ହେଇ ରହିଥିବା ପାଞ୍ଚ ଶହ ଟଙ୍କାର ନୋଟ୍‌ଟେ। ଝୁମ‌୍‍କୀ ଟଙ୍କାଟାକୁ ମାଡ଼ିବସି ଗୋଟେଇନେଲା ଓ ମୋ ଆଗରେ ତା’ ବ୍ଲାଉଜ‌୍‍ ଭିତରେ ପୂରେଇଦେଲା। ମୁଁ ଏବେ ଦେଖିପାରିଲି, ତା’ ହାତ, ମୁହଁ, ବେକ ପାଖେ ବ୍ଲାଉଜ‌୍‍ ଉପରକୁ ଦିଶୁଥିବା ଚେନାଏ ଛାତି, ସବୁଆଡେ଼ ଶୁଖିଲା କଞ୍ଚା ରାମ୍ପୁଡ଼ା କାମୁଡ଼ାର ଦାଗ!

ସେ ପୁଣି ସାଧାରଣ ମଣିଷ ପରି ହଲ‌୍‌ଚଲ୍ ହେଇଗଲା ବୋଧହୁଏ ଓ ପରମୁହୂର୍ତ୍ତର ଭୁଷୁଡ଼ିପଡ଼ିବା ପରି ବସିପଡ଼ିଲା ରାସ୍ତାଧାରରେ। ସେ କାନ୍ଦୁ ନ ଥିଲା, କେମିତି ଗୋଟେ କୁନ୍ଥେଇବା ଭଳି ଶବ‌୍‍ଦ ଭାରି କଷ୍ଟରେ ବାହାରୁଥିଲା ତା’ ମୁହଁରୁ। ସେମିତି ଥରି ଥରି କହିଲା ସେ,

- ତୁ ଯା, ଭାଗ‌୍‍; ମୋ ପାଖରୁ ଦୂରେଇ ଯା’। ଜମାରୁ ମୋତେ ଛୁଉଁନା। ଅନେକ ଦିନରୁ ସେସବୁ ସ୍ୱପ୍ନ ମରିଯାଇଛି ମୋର- ତୁ ଯା’ କହିଲି ପରା!

ଶବ୍ଦ ନୁହେଁ, ଯେମିତି କୋଉ ଦିନରୁ ପଜେଇ ରଖିଥିବା ଅସ୍ତ୍ର ପ୍ରୟୋଗ କରୁଥିଲା ସେ। ଯା’ କହି ସେ ଠିଆହେଲା ଓ ମତେ ଶକ୍ତ ଧକ‌୍‍କାଟାଏ ଦେଲା। ତା’ ଧକ‌୍‍କାରେ ମୁଁ ସେଇ ଆଣ୍ଠେଇବା ଅବସ୍ଥାରୁ ତଳେ ପଡ଼ିଥିଲି, ମୁହଁମାଡ଼ି।

ଝୁମ‌୍‍କୀ ଦଉଡ଼ିବାରେ ଲାଗିଥିଲା, ଅନ୍ଧାରରେ ମିଳେଇଯିବା ଯାଏଁ।

ୟୁଏନ୍‌ କଲେଜ, ଅଡ଼ଶପୁର-୭୫୪୦୧୧

ଭ୍ରାମ୍ୟଭାଷ: ୦୭୮୯୪୭୪୪୦୦୧

Other Stories