• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଠ-ଦଶ ଘଂଟା ଆଇସିୟୁ ଭିତରେ ୧୯-୨୦ ଡିଗ୍ରୀରେ କାମ କଲା ପରେ ସନ୍ଧ୍ୟାରେ ମନ ଡାକେ କପେ ଗରମ ଚା’ ପାଇଁ । ସେଥିପାଇଁ ସନ୍ଧ୍ୟା ୫-୬ଟା ପରେ ମୁଁ ନିଜକୁ ରୋକି ପାରେନି ଆଉ ଦୌଡ଼ି ଆସେ କ୍ୟାଂଟିନ୍‌କୁ , ଚା’ ନ ହେଲେ କଫି କପେ ପାଇଁ । ଆଜି ବି ସେମିତି କ୍ୟାଂଟିନ୍‌କୁ ଆସି କାଉଂଟରରୁ ଚା’ ନେଇ କଣିକିଆ ଝରକା ପାଖ ଟେବୁଲଟିରେ ବସିଲି । ଦୁଇ ତିନି ଢୋକ ଚା’ ପିଇ ମୋବାଇଲ୍ ଅନଲକ୍ କରି ମେସେଜ୍ ଆଉ ଅପଡେଟ୍ସ ଚେକ୍ କରୁଥାଏ ।

ପାଖ ଟେବୁଲଗୁଡ଼ାକରୁ ଗୁଣୁଗଣୁ-ଟୁପ୍‌ଟାପ୍ ଅସ୍ପଷ୍ଟ ଗପସବୁ କାନରେ ପଡୁଥା’ନ୍ତି । ପ୍ରାୟ ରୋଗୀମାନଙ୍କ ଆତ୍ମୀୟମାନେ ହିଁ ବସି ନିଜ ନିଜ ଭିତରେ କଥା ହେଉଥା’ନ୍ତି । କଥାସବୁ ବୋଳା ହୋଇଥା’ନ୍ତି ଦୁଃଖରେ, ଲୁହରେ, ଦୀର୍ଘଶ୍ୱାସରେ, ଅପକ୍ଷୋରେ ଆଉ କିଛି ହଜେଇବାର ଡରରେ । କିଛି ମୁହଁ ସେଥିରୁ ହାଲ୍କା ଚିହ୍ନା ହୋଇଯାଇଥା’ନ୍ତି, ଆଇସିୟୁ ରୋଗୀଙ୍କ ଆତ୍ମୀୟ ହିସାବରେ।

“ବସିବି ମ୍ୟାଡାମ୍?”, ଡାକରେ ନଜର ଉଠେଇ ଚାହିଁଲି । ସାମ୍ନାରେ ଚା’ କପ୍ ଧରି ଠିଆ ହୋଇଛନ୍ତି ସମିତା ଦିଦି ।

- ପଚାରୁଛନ୍ତି କ’ଣ? ବସୁନାହାନ୍ତି ।

ହସିହସି କହିଲି ମୁଁ । ମନେମନେ ଭଲ ଲାଗିଲା, ଯା ହେଉ ଚା’ ପିଇବାକୁ କେହି ଜଣେ ସାଙ୍ଗ ମିଳିଗଲା । ସନ୍ଧ୍ୟାବେଳେ ଏକାଏକା ଚା’ ପିଇବା ଭାରି ବୋରିଂ । ଗପ ନ ହେଲେ ନାଇଁ, ଖାଲି ପାଖରେ ବସି ଜଣେ ଚା’ ପିଇଲେ ବି ଭଲ ଲାଗେ । ଗପ ଯୋଡ଼ିବାକୁ ମୁଁ ଆରମ୍ଭ କଲି,

- କୁନି ପୁଅଟେ ନା ଆପଣଙ୍କର ଦିଦି?

ଉତ୍ତରରେ ହସି କି ମୁଣ୍ଡ ଟୁଙ୍ଗାରିଲେ ଦିଦି, ଚା’ ଢୋକୁଢୋକୁ ।

ମୁଁ ପୁଣି ପଚାରିଲି,

- ସ୍କୁଲ୍ ଗଲାଣି? କେଉଁ କ୍ଲାସ୍‌ରେ ପଢୁଛି?

- ଷ୍ଟାଣ୍ଡାର୍ଡ ୱାନ୍ ହେବ ଏଥର ତା’ର । ସେଇଥିପାଇଁ ତ ଚାକିରୀ ଛାଡୁଛି ।

ଆଶ୍ଚର୍ଯ୍ୟ ହୋଇ ଚାହିଁଲି ଦିଦିଙ୍କ ମୁହଁକୁ । ଆଉ ପଚାରିଲି,

- ତା’ ପାଠପଢ଼ା ସହ ଆପଣଙ୍କ ଚାକିରୀର କି ସମ୍ପର୍କ? ଚାକିରୀ ଛାଡ଼ିଦେବେ? କ’ଣ ପାଇଁ ହଠାତ୍ ଏମିତି ନିଷ୍ପତ୍ତି ନେଉଛନ୍ତି ଯେ?

- ହଠାତ୍ ନୁହେଁ ମ୍ୟାଡାମ୍ । ବହୁତ ଭାବିଚିନ୍ତି ଆଉ ବିଚାର କଲା ପରେ ଏ ନିଷ୍ପତ୍ତି ନେଇଛି ।

ପୁଣି ଦୋହରାଇଲି ପ୍ରଶ୍ନ,

- ପୁଅର ପାଠପଢ଼ା ସହ ଆପଣଙ୍କ ଚାକିରୀର କି ସମ୍ପର୍କ?

ଚା’ କପ୍‌ଟା ଟେବଲ୍ ଉପରେ ରଖି ଦେଇ ଖୁବ୍ ଜୋର୍‌ରେ ହସିବାକୁ ଲାଗିଲେ ଦିଦି । ଚାରି ପାଖରେ ବସିଥିବା କିଛି ଲୋକ ଆମକୁ ବୁଲି ବୁଲି ଚାହିଁଲେ। ଦିଦି ନିଜ ହସ ରୋକି କହିଲେ,

- ଆଉ କିଛି ବର୍ଷ ଯାଉ, କଂଟାକ୍ଟରେ ଥିଲେ ଆପଣ ମୋତେ ଏ ପ୍ରଶ୍ନର ଉତ୍ତର ଦେବେ।

ହଠାତ୍ କରି ପୁଣି କହିଲେ,

- ଆଜି ଟିକେ ବେଶି ଥଣ୍ଡା ଲାଗୁନି? ବର୍ଷାଟା ହୋଇଯାଇଛି ବୋଲି ବୋଧେ। ଆଉ ଗୋଟେ ଗୋଟେ କପ୍ ଚା’ ପିଇବା? ପି’ ଦିଅନ୍ତୁ ମୋ’ ସହ ଆଜିଟା ଗୋଟେ ଏକ୍‌ଷ୍ଟ୍ରା କପ୍ । ଲାଷ୍ଟ୍ ଦିନ ଆଜି ମୋ’ର ହସ୍ପିଟାଲ୍‌ରେ।

ବର୍ଷା ହୋଇ ଯେତେ ଅଧିକ ଥଣ୍ଡା ଲାଗୁଥିଲେ ବି ଆଉ ଏକ୍‌ଷ୍ଟ୍ରା ଚା’ ପିଇବାର ଇଚ୍ଛା ନ ଥିଲା। ହେଲେ ବୟସରେ ବଡ଼ ଜଣେ ଏମିତି ଇମୋସନାଲ୍ ହୋଇ କହିଲେ ହଠାତ୍ କରି କଥା କାଟିଦେବାକୁ ଭଲ ଲାଗେନି । ‘ହଉ’ କହି ଦିଦିଙ୍କୁ ଅପେକ୍ଷା କରିବାକୁ କହି ଆଉ ଦୁଇ କପ୍ ଚା’ର ବିଲ୍ କରିବାକୁ ଉଠିଗଲି। ଚା’ ନେଇ ଫେରିବା ବେଳକୁ ଦିଦି ଝରକା ବାହାର ପାର୍କିଂ ଆଡ଼କୁ ଏକ ଲୟରେ ଚାହିଁଥା’ନ୍ତି ।

ଗୋଟେ ଚା’ କପ୍ ଦିଦିଙ୍କ ଆଡ଼କୁ ବଢ଼ାଉ ବଢ଼ାଉ ପଚାରିଲି,

- ଦିଦି ଆପଣଙ୍କର କେତେ ବର୍ଷ ହେଲାଣି ଚାକିରୀ କରିବା?

- ଅଗଷ୍ଟରେ ଆଠ ବର୍ଷ ପୂରା ହେଲା।

- ଆଠ ବର୍ଷ!

ଗୋଟେ ପ୍ରକାର ଚିତ୍କାର କଲା ଭଳି ହିଁ କହିଲି ମୁଁ ।

- ଏତେ ବର୍ଷର ଆଇସିୟୁ ଏକ୍ସପେରିଏନ୍ସ । ଆଉ ଆପଣ ଏମିତି ଛାଡ଼ିଦେବେ? କେତେ କଷ୍ଟ ଭାବିଲେ, ପୁଣି ଆପଣଙ୍କ ପରି ଜଣେ ଏକ୍ସପେରିଏନ୍ସଡ୍ ସିଷ୍ଟର ତିଆରି ହେବା! ଘରୁ କାହାକୁ ଡାକୁ ନାହାନ୍ତି, ପୁଅ ପାଖରେ ରହିବାକୁ। ଆଉ କିଛି ବର୍ଷ ଜଗି ଦେଲେ ସେ ଏକା ବି ରହିପାରିବ ତା’ ପରେ । ଚାରି ବର୍ଷର ପାଠପଢ଼ା ଆଉ ଆଠ ବର୍ଷର ଏତେ ପରିଶ୍ରମ। ଏମିତି ନଷ୍ଟ କାହିଁକି କରିବେ ଯେ?”

ଝରକା ପଟୁ ନଜର ଫେରାଇ, ଗୋଟେ ଫିକା ହସ ହସି ଦିଦି କହିଲେ,

- ଗତ ଦୁଇ ବର୍ଷ ହେଲା ନଣନ୍ଦ ଥିଲେ। ହେଲେ ଏଇ ବର୍ଷ ପ୍ଲସ୍ ଟୁ ପରୀକ୍ଷା ଦେଇସାରି ଗାଁକୁ ପଳେଇଲେ। ଶାଶୂ କହିଲେ- ନା, ସେ ଆଉ ନ ଯାଉ । ପାଖରେ ରହି ଘର କାମଦାମ ଟିକେ ଶିଖିଲେ ତାକୁ ହାତକୁ ଦି’ ହାତ କରିଦେଲେ ମୋ’ ଦାୟିତ୍ୱ ସରିବ। ଏତେ ଜଲ୍‌ଦି କାଇଁ ବାହା ହେବେ, ସେ ଆଉ ଆଗକୁ ପଢ଼ନ୍ତୁ କହିଲେ ବି ସେ ଶୁଣୁ ନାହାନ୍ତି । ତାଙ୍କୁ ନିଜକୁ ଏଠି ଆସି ରହିବାକୁ କହିଲେ, ଘରଦ୍ୱାର, ଶ୍ୱଶୁର ଆଉ ଏତେ ବଡ଼ ବଢ଼ିଲା ଝିଅଟାକୁ ଏକୁଟିଆ ଛାଡ଼ି କେମିତି ଆସି ରହିବେ କହୁଛନ୍ତି । ଆଉ ଥରେରୁ ଦୁଇ ଥର କହିଲେ କହିବେ, ତୋ ନିଜ ମା’କୁ ଡାକି ଆଣୁନୁ । କ’ଣ କାମ କି ତା’ର? କାଇଁ ସେ ଗାଁ ଘରଟାରେ ବସି ରହିଛି? ତୋ ବାପା ଏତେ ବଡ଼ ମଣିଷଟା କ’ଣ ଏକା ଚଳି ପାରିବେନି ଯେ, ତାକୁ ଜଗିବାକୁ ଗୋଟାଏ ମଣିଷ ଦରକାର?

ପୁଅ ଜନ୍ମ ହେବାଠୁ ଚାରି ବର୍ଷ ଯାଏଁ ମୋ’ ବୋଉ ହିଁ ଆସି ରହିଥିଲା ମୋ’ ପାଖରେ । ସେତେବେଳେ ସାନ ଭଉଣୀ ଥିଲା ଘରେ। ହେଲେ ତା’ ବାହାଘର ପରେ ବାପା ବି ଏକୁଟିଆ ଗାଁ ଘରଟାରେ । ନଣନ୍ଦ ଆସି ଏଇଠି ପ୍ଲସ୍ ଟୁ ପଢ଼ିଲେ ତ ସେ ଦୁଇ ବର୍ଷ ଚଳିଗଲା କୌଣସି ପ୍ରକାରେ । ହେଲେ ଏଇ ପାଞ୍ଚ-ଛ’ ମାସ ହେବ ପୁଅକୁ ଡ୍ୟୁଟି ସମୟରେ ପଡ଼ିଶା ଘରେ ଛାଡ଼ି ଆସିବାକୁ ପଡୁଛି । ସେ ସ୍କୁଲ୍‌ରୁ ଫେରିବା ବେଳକୁ କେହି ତ ଜଣେ ଘରେ ଥିବା ଦରକାର ଗାଡ଼ି ପାଖରୁ ତାକୁ ଘରକୁ ଆଣିବାକୁ । ସବୁଦିନେ ଇଭିନିଂ ଡ୍ୟୁଟି ପାଇଁ ରିକ୍ୱେଷ୍ଟ୍ ରକିବାକୁ ପଡୁଛି । ଆଉ ନାଇଟ୍ ଡ୍ୟୁଟି ଥିଲେ ସକାଳୁ ଘରକୁ ଫେରିବା ବେଳକୁ ହଜ୍‌ବ୍ୟାଣ୍ଡ୍ ଏଡ଼େ ମୁହଁ କରି କବାଟ ଖୋଲନ୍ତି। କହିବେ- ତମେ ଏକା ଚାକିରୀ କରିଛ ଆଉ? ଛୁଆଟାକୁ କେମିତି ବଢ଼େଇଛ କେଜାଣି ନାକେଦମ୍ କରୁଛି ରାତି ସାରା । କୋଉ ଘର ଚଳୁଛି କହିଲ ତମ ଦରମାରେ?

Revile : A story by Dr. Ipsita Pradhanରିଭାଇଭ୍ : ଜଣେ ନର୍ସର କାହାଣୀ

କିଛି ନ କହି ସିଧା ଗାଧୋଇ ପାଧୋଇ ରୋଷେଇ ଘରକୁ ପଶେ ମୁଁ । ଆଉ ବେଳେବେଳେ ବିରକ୍ତ ଲାଗିଲେ କୁହେ, ଘର ନ ଚଳିଲେ କ’ଣ ହେଲା, ସେଇ ପଇସାରେ ତମ ଗାଁ ଘର ଆଉ ଭଉଣୀ ବାହାଘର ତ ହୋଇପାରୁଛି। ତା’ ପରେ ସେ ଦିନ ସାରାଟା ମୋର ସେମିତି ଅଖିଆ ଅପିଆ, ପୁଅକୁ ମାଡ଼ଗାଳିରେ କଟିଯାଏ।

- ବାପା ବୋଉ ଦୁଇ ଜଣଙ୍କୁ ଡାକି ଦେଉନାହାନ୍ତି ଏଠିକୁ?

- ଝିଅ ଘରେ କ’ଣ ବାପା ଆସି ରହିବେ ସବୁବେଳେ? ଆମ ଦୁଇ ଭଉଣୀଙ୍କ ବାହାଘର ବେଳର ଧାର ଟଙ୍କା ବି ପୂରା ଶୁଝା ହୋଇନି ଏଯାଏଁ । ଏ ବୟସରେ ଚାଷବାସ ବି ଛାଡ଼ି ପାରୁ ନାହାନ୍ତି ସେଥିପାଇଁ । ଗୋଡ଼ ଆଉ ଆଣ୍ଠୁର ଗଣ୍ଠିଗୁଡ଼ା ଫୁଲି କି ଦରଜ ହେଲେ ବି ସେଇଥିରେ ସେକ ଦେଇ, ତେଲ ଲଗେଇ ବିଲବାଡ଼ି କାମ ବୁଝନ୍ତି । ଦୁଇ ମାସ ତଳେ ଜବରଦସ୍ତି ଆଣି ହସ୍ପିଟାଲ୍‌ରେ ଟେଷ୍ଟ୍-ଏକ୍ସରେ କରେଇଥିଲି । ହେଲେ ଶେଷରେ ବାପାଙ୍କୁ ବିଦା କଲି ଗାଁକୁ । ମେଡିସିନ୍ କିଣି ଦେଇ ବାପାଙ୍କୁ ଅଟୋରେ ବସେଇଦେବା ବେଳେ ଇଚ୍ଛା ହେଉଥିଲା, ସବୁ ଛାଡ଼ିଛୁଡ଼ି ଦେଇ ବାପାଙ୍କ ସହ ପଳେଇବାକୁ । ସିଏ ଯେମିତି ଛୋଟ ବେଳେ ଆମକୁ କାନ୍ଧରେ ବସେଇ କୋଶ କୋଶ ବାଟ ନେଇ ଯାଉଥିଲେ, ମୁଁ ବି ଆଜି ତାଙ୍କୁ କାନ୍ଧରେ ବସେଇ ଘରକୁ ନେଇଯା’ନ୍ତି । ଛଳଛଳ ଆଖିରେ ମୁଣ୍ଡ ଆଉଁସି ଦେଇ କହିଲେ, ଭଲରେ ରହିବୁ । ଆଉ ଅଟୋ ଛାଡ଼ିବାର ଠିକ୍ ପୂର୍ବରୁ ମୋ’ ହାତରେ ୫୦୦ଟଙ୍କା ଗୁଞ୍ଜିଦେଇ କହିଲେ, ଆମ ଟୋକା ପାଇଁ କ’ଣ ଦି’ଟା ମିଠା ନେଇଯିବୁ।

ଦିଗ୍‌ବଳୟ ଆଡୁ କଳାମେଘ ମାଡ଼ି ଆସିବା ପରି ଦିଦିଙ୍କ ଆଖି ଭିତରକୁ ଲୁହଗୁଡ଼ା ମାଡ଼ି ଆସୁଥା’ନ୍ତି ।

- ବାହା ହେଲା ପରେ ବହୁତ କିଛି ବଦଳି ଯାଏ ମ୍ୟାଡାମ୍ । ସବୁ କାମ, ସବୁ ନିଷ୍ପତ୍ତି ନିଜ ଇଚ୍ଛାରେ କରିହୁଏନି କି ନେଇ ହୁଏନି । ସାଲାରି କ୍ରେଡିଟ୍ ହେଲାମାନେ ୟାଙ୍କ ଗାଁ ଘରର ଲୋନ୍ ପାଇଁ ଚାଲିଯାଏ ଅଧାରୁ ଅଧିକ । ପୁଣି ନଣନ୍ଦ, ଝିଆରୀ-ପୁତୁରାଙ୍କ ଗିଫ୍ଟ୍, ପୁଅର ପଢ଼ା ଖର୍ଚ୍ଚ କିଛି ନା କିଛି ଚାଲିଥାଏ ପ୍ରତି ମାସରେ । ବାହା ହେବାର ଦୁଇ ବର୍ଷ ପରେ ସାନ ଭଉଣୀ ପ୍ରଥମଥର ମୋ ପାଖକୁ ଭୁବନେଶ୍ୱର ଆସିଥିଲା । ହେଲେ ତାକୁ ଶାଢ଼ୀ ଖଣ୍ଡେ ବି କିଣି ଦେବାର ସ୍ୱାଧୀନତା ନଥିଲା ମୋର । ଷ୍ଟେସନ୍‌ରେ ତାକୁ ନେଇ ଛାଡ଼ିବା ବେଳେ ତା’ ଟିଫିନ୍ ଡବା ଭିତରେ ଲୁଚେଇ ୩୦୦୦ଟଙ୍କା ଦେଇଥିଲି ।

ଜାଣିଛନ୍ତି, ସେଥିପାଇଁ ସାଲାରି ଆକାଉଂଟ ଛଡ଼ା ଆଉ ଗୋଟାଏ ଅଲଗା ଆକାଉଂଟ ରଖିଛି କାହାକୁ ନ ଜଣେଇ । ଦରମା ଆସିଲେ କାହାକୁ ନ ଜଣେଇ ଆଗୁଆ ସେଥିରେ ୫-୬ ହଜାର ଟଙ୍କା ରଖିଦିଏ । ପାସ୍‌ବୁକ୍, ସାଲାରି ସ୍ଲିପ୍ ସବୁ ଏଇ ହସ୍ପିଟାଲ୍ ଚେଞ୍ଜିଂ ରୁମ୍ ଲକର୍‌ରେ ରଖିଯାଏ। ସେଇଥିରୁ ବେଳେବେଳେ ବାପା-ବୋଉଙ୍କ ପାଇଁ ହସ୍ପିଟାଲ୍ ଖର୍ଚ୍ଚ, ଔଷଧ ଆଉ ଗାଁକୁ ଗଲେ ଲୁଗାପଟା କିଣେ।

ବହୁତ ଗପ, ଫିଲ୍ମ୍ସ ଆଉ ଡକ୍ୟୁମେଂଟାରୀରେ ଏଇ କାହାଣୀ ପଢ଼ିଥିଲେ ଆଉ ଦେଖିଥିଲେ ବି ଏତେ ପାଖରୁ ଏସବୁ ଶୁଣି ଭାରୀ ଆଶ୍ଚର୍ଯ୍ୟ ଲାଗୁଥାଏ ମୋତେ । କ’ଣ ଉତ୍ତର ଦେବି ବି ଭାବୁଥାଏ ନିଜେ । କ’ଣ ଯୁକ୍ତି ଦେଖାଇ ଦିଦିଙ୍କୁ ଚାକିରୀ ଛାଡ଼ିବାକୁ ମନା କରିବି ଭାବୁଥାଏ ମନେମନେ।

- ଆଚ୍ଛା ଦିଦି; ମୋର ଗୋଟେ ସାଙ୍ଗ ରିସେଲଟିଂ ଛୁଆମାନଙ୍କ ପାଇଁ ଡେ କେୟାର/ଇଭିନିଂ କେୟାର ସେଂଟରଟେ ଖୋଲିଛି । ଟ୍ରେନ୍ଡ ଷ୍ଟାଫ୍ ସବୁ ତା’ର । ସ୍ପେସାଲି ଆପଣମାନଙ୍କ ଭଳି ୱାର୍କିଂ ୱିମେନ୍‌ଙ୍କ ପାଇଁ । ପୁଅ ସ୍କୁଲ୍ ଗଲେ ଆପଣଙ୍କ ଡ୍ୟୁଟି ଆୱାରରେ ସେଇଠି ରହି ପାରିବ । ତା’ର ଆର୍ଟ, ମ୍ୟୁଜିକ୍ ଆଉ ଡ୍ୟାନ୍ସ କ୍ଲାସ୍ ବି ଚାଲେ ସେଠି । ନମ୍ବର ଦେବି ତା’ର? କଥା ହେବେ ଆପଣ? ନା ମୋ ସହ ଯାଇ ଥରେ ଭେଟିବେ ତାକୁ?”

ଚା’ଟା ଢୋକି ଓଠ ଉପରେ ହାତ ବୁଲେଇ ଆଣି ଫିକା ହସଟେ ହସି ଦିଦି କହିଲେ,

- ଆପଣ ଏତେ ବ୍ୟସ୍ତ ହୁଅନ୍ତୁନି। ବହୁତ ଭାବିଲା ପରେ ଡିସିସନ୍ ନେଇଛି ମୁଁ।

କିଛି ସମୟ ଚୁପ୍‌ଚାପ୍ ରହିଲୁ ଦୁଇ ଜଣ । ବାହାରେ ତଥାପି ଝିପ୍ ଝିପ୍ ବର୍ଷା ହେଉଥାଏ । ମେଘୁଆ ପାଗ ପାଇଁ ସନ୍ଧ୍ୟା ପୂର୍ବରୁ ହିଁ ଅନ୍ଧାରୁଆ ଦିଶୁଥାଏ ଚାରିଆଡ଼ । ଚା’ କପ୍‌ଟା ଓଠ ପାଖକୁ ନେଲା ବେଳକୁ ମୋବାଇଲ୍‌ଟା ଭାଇବ୍ରେଟ୍ ହେଲା । ସ୍କ୍ରିନ୍ ଉପରେ ‘ଆଇସିୟୁ ମୋବାଇଲ୍ କଲିଂ’ ଆସୁଥାଏ । ରିସିଭ୍ କରୁକରୁ ସେପଟୁ ଟେକ୍ନିସିୟାନ୍ ବ୍ରଦର କହିଲେ ଯେ, ‘ଡାଇଲିସିସ୍ ଚାଲିଥିବା ପେସେଣ୍ଟା ଟିକେ ସିକ୍ ସିକ୍ ଲାଗୁଛି । ବିପି କମୁଛି ଆଉ ନିଶ୍ୱାସ ପ୍ରଶ୍ୱାସର ରେଟ୍ ବଢୁଛି । ଡାଇଲିସିସ୍ ବନ୍ଦ କରିବାକୁ କହି ଅଧାପିଆ ଚା’ କପ୍‌କୁ ସେଇଠି ଥୋଇ ଦୌଡିଲୁ ଦୁଇ ଜଣ ଯାକ । ଦେଖିଲା ବେଳକୁ କ୍ୟାଂଟିନ୍ ପାଖ ଲିଫ୍ଟଟା ପଂଚମ ମହଲାକୁ ଯାଉଛି ।

ମୁଁ ତରତର ହୋଇ ସିଡ଼ି ଆଡ଼କୁ ବାହାରିବା ବେଳକୁ ଦିଦି ମୋ’ ହାତଟାକୁ ଭିଡ଼ିଦେଇ କହିଲେ, ଚାଲନ୍ତୁ; ଏଇ ପଛପଟ ସିଡ଼ିରେ ଯିବା । ଦେଢ଼ ମିନିଟ୍ ଲାଗିବ, ଆଇସିୟୁରେ ପହଂଚିବାକୁ । ସାମ୍ନାପଟ ସିଡ଼ିରେ ଗଲେ ପାଂଚ ମିନିଟ୍ । ଦିଦିଙ୍କ ପଛେପଛେ ଦୌଡ଼ିବା ଆରମ୍ଭ କରିଦେଲି ମୁଁ ।

ସମିତା ସିଷ୍ଟର୍‌ । ଆଉ ଆମ ସମସ୍ତଙ୍କ ପ୍ରିୟ ସମିତା ଦିଦି । ଆଠ ବର୍ଷ । ପ୍ରାୟତଃ ଏଇ ହସ୍ପିଟାଲର ମୂଳଦୁଆ ପଡ଼ିବା ଦିନଠାରୁ ଏଇଠି ଅଛନ୍ତି । ହସ୍ପିଟାଲ୍‌ର ପ୍ରତି ଇଟା, ରଡ୍, ସିଡ଼ି, ଝରକା, ବେଡ୍ ଆଉ ଇକ୍ୱିପ୍‌ମେଣ୍ଟକୁ ଚିହ୍ନନ୍ତି ସେ । ଆଉ ସେମାନେ ତାଙ୍କୁ । ଏଇ ହସ୍ପିଟାଲ୍‌ରେ ଗଲା ତିନି ମାସର ଚାକିରୀ ଭିତରେ ଅନେକ ଥର ଏକାଠି ଡ୍ୟୁଟି କରିଥିଲେ ବି ଖୁବ୍ କମ କଥା ହୋଇଥିବି ତାଙ୍କ ସହ। ଆଉ ଯାହା ବି କଥା, ସବୁ ରୋଗୀମାନଙ୍କୁ ନେଇ ପୁଣି ଫର୍ମାଲ୍ କଥା। ହେଲେ ଆଜି ହଠାତ୍ ଚା’ କପ୍‌ଟେ ସେୟାର କରୁକରୁ କେତେ ଅନ୍ତରଙ୍ଗ ହୋଇଗଲେ ସେ।

ପେସେଣ୍ଟ୍ ବେଡ୍ ପାଖରେ ପହଂଚୁ ପହଂଚୁ ସମିତା ଦିଦି କହିଲେ,

- ମ୍ୟାଡାମ୍; ଆପଣ ଜଲ୍‌ଦି ଇଂଟୁବେଟ୍ କରନ୍ତୁ ।

କାର୍ଡିଆକ୍ ଆରେଷ୍ଟ୍ ହୋଇଯିବ ଅଳ୍ପ ସମୟରେ । ପେସେଣ୍ଟ୍ ଆଟେଣ୍ଡାଣ୍ଟକୁ ଆଇସିୟୁକୁ ଡକାଇବାକୁ କହିଲି ମୁଁ । ହେଲେ ସେମାନେ ଭିତରକୁ ଆସି ସିଗ୍ନେଚର ଦେବେ, ସେତିକି ଅପେକ୍ଷା କରିବାର ସମୟ ନ ଥାଏ ଆମ ପାଖରେ । ମୁଁ ଇଂଟୁବେଟ୍ କରି ଭେଂଟିଲେଟର ସେଟ୍ କରିବା ଭିତରେ ସମିତା ଦିଦି ଆଟ୍ରିଆଲ୍ ବ୍ଲଡ୍ ଗ୍ୟାସ୍ ଆନାଲିସିସ୍ ରିପୋର୍ଟ୍ ଓ ଡିଫିବ୍ରିଲେଟର୍ ଧରି ପହଂଚି ସାରିଥା’ନ୍ତି । ମୁଁ ରିପୋର୍ଟ ଦେଖିବା ଭିତରେ କେହି ଜଣେ ଷ୍ଟାଫ୍ କହିଲେ,

- ମ୍ୟାଡାମ୍ ପେସେଣ୍ଟ୍ ଲୋକଙ୍କ ସହ ଟିକେ କଥା ହୋଇଯା’ନ୍ତୁ ।

ମୋ’ ପାଟିରୁ ‘ହଁ’ ଶବ୍ଦଟା ପୂରା ହେବା ଆଗରୁ ମନିଟର୍‌ରେ ନାଲି ବତୀ ଜଳି ଆଲାର୍ମଟା ଜୋର୍ ଜୋର୍‌ରେ ବାଜିବାକୁ ଲାଗିଲା। ଇସିଜି ଗ୍ରାଫ୍‌ଟା ଷ୍ଟ୍ରେଟ୍ ଲାଇନ୍ ହୋଇ ଆସିଷ୍ଟୋଲ୍‌ରେ ଆଲାର୍ମ ବାଜୁଥାଏ। ରିପୋର୍ଟ ପେପରଟା ପକେଟ୍‌ରେ ପୂରେଇ ଦେଇ ସାଙ୍ଗେସାଙ୍ଗେ ଚେଷ୍ଟ୍ କମ୍ପ୍ରେସନ୍ ଦେବାକୁ ଲାଗିଲି ମୁଁ । ସେପଟୁ ସମିତା ଦିଦି କହୁଥା’ନ୍ତି,

- ଆଟ୍ରୋପିନ୍ ପଏଣ୍ଟ ସିକ୍ସ୍ ଏମ୍‌ଜି ଦେଲି ମ୍ୟାଡାମ୍‌।

- ହଁ, ଆଉ ଆଡ୍ରେନାଲିନ୍ ଗୋଟେ ଆମ୍ପୁଲ୍ ବି । କହି ମୁଁ ଚେଷ୍ଟ୍ କମ୍ପ୍ରେସନ୍ ଦେଇ ଚାଲିଥାଏ । ଦିଦି ଆଟ୍ରୋପିନ୍ ଦେବା ସହ ଆଉ ଜଣଙ୍କୁ ଆଡ୍ରେନାଲିନ୍ ଲୋଡ୍ କରିବାକୁ କହୁଥା’ନ୍ତି । ମୁଣ୍ଡରୁ ଝାଳବୁନ୍ଦାଟେ ଗଡ଼ି ଆସି ଚଷମା କାଚ ଉପରେ ପଡ଼ିଲା । ଗୋଟେ ଗଜ୍‌ରେ ମୋ’ ମଥାରୁ ଝାଳ ପୋଛୁ ପୋଛୁ ସମିତା ଦିଦି କହିଲେ,

- ଦଶ ମିନିଟ୍ ହେଲା ଆପଣ ଏକା କମ୍ପ୍ରେସନ୍ ଦେଉଛନ୍ତି । ଛାଡ଼ନ୍ତୁ, ମୁଁ ଦିଏ ଏଥର । ଆପଣ ଟିକେ ତାଙ୍କ ଲୋକଙ୍କ ସହ କଥା ହୋଇଯା’ନ୍ତୁ ।

ଦିଦିଙ୍କୁ ଚେଷ୍ଟ୍ କମ୍ପ୍ରେସନ୍ ଦେବାକୁ ଛାଡ଼ି ମୁଁ ପେସେଣ୍ଟ ଲୋକଙ୍କ ପାଖକୁ ଆସିଲି କଥା ହୋଇ ସବୁ ବୁଝେଇବା ପାଇଁ ।

ପଛରୁ ମଝି ମଝିରେ ସମିତା ଦିଦିଙ୍କ ଆୱାଜ୍ ଶୁଭୁଥାଏ, ଆଉ କ’ଣ ଇଂଜେକ୍ସନ୍ ଦିଆଯିବ, ମୋତେ ପଚାରିବା ପାଇଁ, ଜୁନିୟରମାନଙ୍କ ଉଦ୍ଦେଶ୍ୟରେ ଇଂଜେକ୍ସନ୍ ଲୋଡ୍ କରିବା ପାଇଁ, ଆଉଥରେ ଆଟ୍ରିଆଲ୍ ବ୍ଲଡ୍ ଗ୍ୟାସ୍ ଆନାଲିସିସ୍ କରିବା ପାଇଁ, ଡିଫ୍ରିବିଲେଟର୍‌ ପ୍ୟାଡଲ୍ ବାହାର କରି ଚାର୍ଜ କରିବା ପାଇଁ ଆଉ ପୁଣି ମନିଟରରେ ରିଦିମ୍ ଚେକ୍ କରିବା ପାଇଁ । ଊଣେଇଶ ଡିଗ୍ରୀ ତାପମାତ୍ରାରେ ବି ଗୋଟାପଣେ ଝାଳରେ ବୁଡ଼ି ଯାଇଥା’ନ୍ତି ଦିଦି ।

ଧଇଁସଇଁ ହୋଇଯାଉଥା’ନ୍ତି । ତଥାପି ଚେଷ୍ଟ୍ କମ୍ପ୍ରେସନ୍ କରୁଥା’ନ୍ତି, ମିନିଟ୍‌କୁ ୧୦୦-୧୨୦ ବେଗରେ। ପାଖାପାଖି ଅଧଘଣ୍ଟା ବିତି ଯାଇଥାଏ । ମନିଟର୍‌କୁ ଅନେଇ ଦେଇ ମୁଁ ଜୋର୍‌ରେ କହିଲି,

- ଦିଦି ଷ୍ଟପ୍ ।

ଆଶ୍ଚର୍ଯ୍ୟ ହୋଇ ମୁଣ୍ଡ ଟେକି ଦିଦି ଚାହିଁଲେ ମୋ’ ଆଡ଼କୁ ।

- ରିଦିମ୍ ଆସିଗଲାଣି । ପେସେଣ୍ଟର ଓନ୍ ହାର୍ଟବିଟ୍ ଆସିଲାଣି । ପେସେଣ୍ଟ ରିଭାଇଭ୍ ହୋଇଗଲା।

ଅଣ୍ଟା ସିଧାକରି, ଦୁଇ ହାତ ଯୋଡ଼ି ମନିଟର୍‌ ଆଡ଼କୁ ଅନେଇ ଠିଆ ହେଲେ ଦିଦି। ନିଜ କାନ୍ଧ ପାଖରେ ମଥାରୁ ଝାଳ ପୋଛୁ ପୋଛୁ, ପେସେଣ୍ଟର ଲୋକଙ୍କୁ କହିଲେ,

- ମା’ ଯାଅ, ଠାକୁରଙ୍କୁ ମୁଣ୍ଡିଆ ମାରିବ, ପୁଅର ଜୀବନ ରକ୍ଷା ହୋଇଗଲା।

କିଛି ସମୟ ପରେ ପୁଣି କହିଲେ,

- ଆରେ ଆସ ପାଖକୁ । ପୁଅକୁ ଦେଖାକରି ଯାଅ। ହେଲେ କନ୍ଦାକନ୍ଦି କରିବନି ଏଠି। ଅଲଗା ରୋଗୀ ଅଛନ୍ତି ସବୁ। ନ ହେଲେ ଜମା ପାଖକୁ ଛାଡ଼ିବିନି, କହି ଦେଉଛି।

ପେସେଣ୍ଟର ବାପା-ମା’ ଗଲା ପରେ ଷ୍ଟାଫ୍‌ମାନେ ଗୋଟି ଗୋଟି କରି ଭଙ୍ଗା ଆମ୍ପଲ୍, ସିରିଞ୍ଜ୍ ଆଉ ବ୍ୟବହାର ଗଜ୍ ସବୁ ଫୋପାଡୁଥା’ନ୍ତି ଡଷ୍ଟ୍ ବିନ୍‌ରେ । ସେଇ ବେଡ୍ ପାଖ ପ୍ଲଗ୍ ପଏଣ୍ଟର ଡିଫ୍ରିବିଲେଟର୍‌ଟାକୁ ଚାର୍ଜରେ ବସଉଥା’ନ୍ତି ସମିତା ଦିଦି । ମୁଁ ଟର୍ଚ୍ଚ ଧରି ପେସେଣ୍ଟର ପ୍ୟୁପିଲ୍ ଚେକ୍ କରିବା ଭିତରେ ସମିତା ଦିଦି କହିଲେ,

- କାଲି ଆପଣଙ୍କର ମର୍ଣ୍ଣିଂ ଡ୍ୟୁଟି ନା ମ୍ୟାଡାମ୍? ମୋର ବି।

ପେସେଣ୍ଟ ପାଖରୁ ନଜର ଉଠେଇ ଚାହିଁଲି ଦିଦିଙ୍କ ଆଡ଼କୁ। ସେ ପୁଣି ଯୋଡ଼ିଲେ,

- ହ୍ୟାଣ୍ଡୱାସ୍ କରିସାରି ଆପଣଙ୍କ ଡେ କେୟାର ସାଙ୍ଗର ନମ୍ବର ମୋତେ ଫର୍‌ୱାର୍ଡ କରିବେ ତ ।

ଆଶ୍ଚର୍ଯ୍ୟ, ଅବିଶ୍ୱାସ ଆଉ ଖୁସିମିଶା ଚାହାଣୀରେ ଅନେଇଲି ମୁଁ ସମିତା ଦିଦିଙ୍କ ଆଡ଼କୁ । ତାଙ୍କ ମୁହଁର ହସ ଆଉ ଆଖିର ଚିକ୍‌ଚିକ୍‌କୁ ଦେଖି ଲାଗିଲା, ସତେ ଯେମିତି ଦୁଇଟା ଜୀବନ ଆଜି ଏକାଥରେ ରିଭାଇଭ୍ ହୋଇଗଲେ!

ଭୁବନେଶ୍ୱର, ମୋ: ୮୦୧୮୦୫୩୩୯୫

Other Stories