Advertisment

‘ମାଟି ମଣିଷ’ରେ ମାଟିର ବାସ୍ନା

ମାଟିକୁ ନେଇ ଲେଖାଯାଇଛି ଅନେକ ଗପ ଓ କବିତା। କବି ମାଟିମନସ୍କ ହେବା ସ୍ୱାଭାବିକ। ତେବେ ଆସନ୍ତୁ ପଢିବା ଯୁବ କବି ସିପୁନ୍ ଜେନାଙ୍କ ମାଟିକୁ ନେଇ ଏକ କବିତା।

author-image
Pramod Behera
ଅଦ୍ୟତନ ହୋଇଛି
Poem Mati Manisa by Sipun Jena

Poem Mati Manisa by Sipun Jena

ଧୂ ଧୂ ଖରାବେଳଟାରେ

ହାଲିଆ ହେଇ ବସିଥିବା ମଣିଷ

ଆଉ କି ବୁଝିବ ଖରା କଥା

ତିନିପ୍ରାଣୀ କୁଟୁମ୍ବ ଚିନ୍ତାରେ

ଘଡିଏ ଖଟିବା ଜିଦ୍ ରେ

ଢାଳେ ପାଣିରେ ଜିଏଁ ଜୀବନ...!

ଲଙ୍ଗଳ କଣ୍ଟି ଧରି

ହଳଟା ବୁଲେଇ ବେଶ ଖୁସି

ସୁନାର ଫସଲ କ୍ଷେତରେ ହସିଲେ

ବର୍ଷକର ଅମଳରେ ପେଟ ପୂରେ

ଆଶା ସଞ୍ଚାରେ ଭବିଷ୍ୟତ...।

କୁଡରେ ଡେରିଥିବା ଜୁଆଳିରେ

ନିଜ ଭାଗ୍ୟ ଦେଖେ ବୋଲି

ଛପର ଫାଙ୍କରେ ସଜଫୁଟା ସ୍ୱପ୍ନ

ରାତିରେ ବେଳେବେଳେ ଉଏଁ ସୂର୍ଯ୍ୟ !

କଅଁଳା ବାଛୁରୀଟା ନାତ ମାରେ

ରଡିଛାଡି ବୋବାଏ

ଘରକୋଣରେ ସବୁ ଫିକର

ଅଗଣାଟା ମହକେ ମଲ୍ଲୀବାସ୍ନାରେ

ପିଣ୍ଡାରେ ଗଡିଲେ ସବୁ ଶାନ୍ତି

ବେଳ ଘଡିଏ ବିତିଯାଉ ପଛେ...।

ଏବେ ଆଉ ନାହିଁ

ମାଟି ପିଣ୍ଡା, ଲଙ୍ଗଳ କଣ୍ଟି

ଯନ୍ତ୍ରରେ ଯାନ୍ତ୍ରିକ ମଣିଷଟା

ଶିଖିଗଲାଣି ବିଜ୍ଞାନ ପାଠ।

ମୁଣ୍ଡରେ କଂକ୍ରିଟ୍ ଛାତ

ରଙ୍ଗୀନ୍ ମାର୍ବଲର ଗହଳି

ମାଟିର ବାସ୍ନା ସାତ ସ୍ୱପ୍ନ...।

ଆଉ ବର୍ଷାରେ ନାହିଁ ମାଦକତା

ପାଣି ବୋହିଯାଏ ନିଜ ବାଟରେ

କେବେ ଶୁଖିଲା ମରୁଭୂମି

ବଜାର ଭାଉରେ ପେଟଭର୍ତ୍ତି

ବିଲମୁଣ୍ଡକୁ ଭାତ ପହଞ୍ଚେ ନାହିଁ।

ଓଳିକର ପେଟପାଟଣା ପାଇଁ

ଆଉ ଛକିବାକୁ ପଡୁନି ମଞ୍ଚା

ଘରକୋଣରେ ସଂସାର ଚିନ୍ତା

ହାତମୁଠାରେ ପୃଥିବୀ ଭ୍ରମଣ

ମାଟିର ଛିଟା ଲାଗେ ଅସନା।

ସମ୍ପର୍କ ପଡିଛି ଫିକା

ପିଣ୍ଡାରେ ବସେନି ଖଟି

କ୍ଷେତରେ ଚରୁଛି ଘାସ

ପାଚିଲା ମୁଣ୍ଡରେ ମାଟିମୋହ

ଜୀବନ ଖୋଜି ନୟାନ୍ତ...!

ତର୍କାବେଡା, କଡଲା, ମେରାମଣ୍ଡଳୀ, ଢେଙ୍କାନାଳ

ମୋ- ୮୭୬୩୦୭୦୫୩୫

Email: [email protected]

Poem
Advertisment
Advertisment