Advertisment

ଅପହଞ୍ଚ ଗାଁ ସାରେଇ, ଯେଉଁଠି ମାଟି ଲେସରା ଚାଳଘର ଆଉ ଝରଣା ପାଣିରେ କଟେ ଜୀବନ

ଦୁର୍ଗମ ଗାଁ ସାରେଇ। ସବୁ ସୁବିଧା ସୁଯୋଗରୁ ବଞ୍ଚିତ ଏଠିକାର ଲୋକେ। ଏଠି ନା ଅଛି ସ୍କୁଲ, ନା ଅଛି ଡାକ୍ତରଖାନା, ନାଁ ବଞ୍ଚିବାର ସ୍ୱପ୍ନ। ପୋଡ଼ୁଚାଷରୁ ମିଳୁଥିବା ଶସ୍ୟ, ଝରଣା ପାଣିରେ ଏଠି ଲୋକଙ୍କର ଭୋକ ଆଉ ଶୋଷ ମେଣ୍ଟିଥାଏ। ଏମିତି ଗଡ଼ିଚାଲେ ଜୀବନ...

author-image
Minati Mishra
remote village sarei

remote village sarei

ତେଲକୋଇ (ଚିନ୍ମୟ ସାହୁ):ଏମିତି ଏକ ଗାଁ ଯେଉଁଠି କିଛି ନାହିଁ। ଖୋଲା ଆକାଶ, ମୁକ୍ତ ପବନ, ଝରଣାର ପାଣି ଆଉ ପୋଡ଼ୁ ଚାଷରୁ ମିଳୁଥିବା ଫସଲରେ କୌଣସି ପ୍ରକାରେ ବଞ୍ଚିଯାଏ ଜୀବନ। ପାଠ ପଢିବା, ରୋଗ ହେଲେ ଡାକ୍ତରଖାନା ଯିବା କିମ୍ବା ହାଟବଜାର ବୁଲିବା ଏଠିକା ଲୋକଙ୍କ ପାଇଁ ସ୍ୱପ୍ନ। ଜନ୍ମରୁ ମୃତ୍ୟୁ ଯାଏ ରାଜ୍ୟ ସରକାରଙ୍କ କାହିଁ କେତେ ଯୋଜନା ରହିଛି । ହେଲେ ପ୍ରାଶାସନିକ ଅବହେଳା ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ପରିବାର ତ ଦୂରର କଥା ଗାଁରେ ପହଞ୍ଚି ପାରୁନି ଏସବୁ ଯୋଜନା। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଏମିତି ଏକ ଗାଁ ଅଛି, ଯେଉଁଠି କି ଚାଉଳ ଛଡ଼ା ଆଉ କିଛି ପହଞ୍ଚି ପାରିନି । ଏମିତିକି ସେ ଚାଉଳ ନେବା ଲାଗି ଗାଁ ଲୋକେ ୫ରୁ ୬ କିଲୋମିଟର ଚାଲି ଚାଲି ଆସି ନେଉଛନ୍ତି । 

Advertisment

ଏହି ଦୁର୍ଗମ, ଅବହେଳିତ ଗାଁଟି ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତର ଉପାନ୍ତ ଗାଁ ସାରେଇ । ଗାଁ କହିଲେ ପାହାଡ଼ ଉପରେ ରହୁଥିବା ୫ଟି ଜୁଆଙ୍ଗ ଆଦିବାସୀ ପରିବାରକୁ ବୁଝାଏ । ଆଗରୁ ଏଠି ୨୦ରୁ ୨୫ଟି ପରିବାର ରହୁଥିଲେ । ହେଲେ ଜୀବନଜୀବୀକା ବିପନ୍ନ ହେବାରୁ ବହୁ ପରିବାର ପାହାଡ଼ ତଳକୁ ପଳାଇ ଆସିଲେ । ଉପାନ୍ତ ସାରେଇରେ ପହଞ୍ଚିବାକୁ ହେଲେ କେରାଙ୍ଗ ଗାଁ ପାଖରୁ ୫ରୁ ୬ କିଲୋମିଟର ପାହାଡ଼ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ହୋଇଥାଏ । ଦୀର୍ଘ ବର୍ଷ ଧରି ଜନବସତି ଥିଲେ ବି ଆଜିଯାଏ ସାରେଇରେ ସରକାରୀ ଯୋଜନା ପହଞ୍ଚି ପାରିଲା ନାହିଁ ।

Advertisment

ଆଦିବାସୀ ଓ ପାହାଡ଼ିଆ ଜନଜାତିଙ୍କ ପାଇଁ ସରକାରଙ୍କର ମାଳ ମାଳ ଯୋଜନା ଥିଲେ ବି ସେସବୁଠାରୁ ବହୁ ଦୂରରେ ଏ ୫ ପପରିବାର । ଗାଁକୁ ନା ରାସ୍ତା ଅଛି ନା ଗାଁରେ କାହାର ଭଲ ଘର ଅଛି । ମାଟି ଲେସରା ନୁଆଁଣିଆଁ ଚାଳଘରେ ବାସ କରୁଛନ୍ତି । ପାହାଡ଼ରୁ ଝରି ଆସୁଥିବା ଝରଣା ପାଣିରେ ଶୋଷ ମେଣ୍ଟୁଥିବାବେଳେ ପୋଡ଼ୁ ଚାଷରୁ ମିଳୁଥିବା ଶସ୍ୟରେ ଭୋକ ମରୁଛି । ଶିକ୍ଷା ସୁବିଧା ନଥିବାରୁ ଗାଁରେ ୧୫ ଜଣ ଅପାଠୁଆ ହୋଇ ରହିଛନ୍ତି ।ଅ

ସାରେଇ ଗାଁରେ ଥିବା ଶିଶୁଙ୍କ ମଧ୍ୟରୁ ଜଣେ କେବଳ ଖରାପ ସ୍ୱାସ୍ଥ୍ୟର ବୋଲି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କହିଛନ୍ତି । ତେବେ ସେଠାରେ ଅଙ୍ଗନବାଡ଼ି ନଥିବାରୁ ପିଲାଙ୍କ ପାଠପଢ଼ାରେ ସମସ୍ୟା ରହିଛି । ଅନ୍ୟପକ୍ଷରେ ଅରୁଣିମା କାର୍ଯ୍ୟକ୍ରମ ଚାଲୁଥିଲେ ବି ଘରର ମହିଳାମାନେ ଅଶିକ୍ଷିତ ହୋଇଥିବାରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି  କହିଛନ୍ତି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ।

ସେହିପରି ଗାଁଟି ଏତେ ଦୁର୍ଗମ ଅଞ୍ଚଳରେ ରହିଛି ଯେ, ସେଠାକୁ କୌଣସି ପ୍ରାଶସନିକ ଅଧିକାରୀ ଯିବାକୁ ଭୟ କରୁଥିବା କହିଛନ୍ତି ବିଡିଓ । ତେବେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ବିକାଶ କରିବା ଲାଗି ପ୍ରୟାସ ଜାରି ରହିଥିବା ସେ କହିଛନ୍ତି ।

ତେବେ ପାହାଡ଼ ଉପରେ ରହୁଥିବା ଏହି ୫ ପରିବାରକୁ ତଳକୁ ଆଣି ଥଇଥାନ କରା ଯାଇପାରିଲେ ଜୁଆଙ୍ଗ ଆଦିବାସୀ ବଞ୍ଚି ଯାଆନ୍ତେ। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଚିନ୍ମୟ ସାହୁ, ଓଟିଭି 

Remote Village Keonjhar
Advertisment
Advertisment