Advertisment

G-7 ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗ; ନାଗରିକଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା

G7 ବୈଠକରେ ଆଫଗାନିସ୍ତାନ ସଙ୍କଟକୁ ନେଇ ଆଲୋଚନା। ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ବିଶ୍ୱ ନେତା।

author-image
Minati Mishra
ଅଦ୍ୟତନ ହୋଇଛି
undefined

Afghanistan crisis

ନୂଆଦିଲ୍ଲୀ:ଆଫଗାନିସ୍ତାନ ପ୍ରସଙ୍ଗରେ G7 ବୈଠକରେ ହୋଇଛି ଘନଘନ ଆଲୋଚନା । ଆଫଗାନିସ୍ତାନ ସଙ୍କଟକୁ ନେଇ G7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି । ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ ଦେଉ ବୋଲି ଦାବି ଉଠିଥିଲା। 

Advertisment

କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେ ସମ୍ଭବ ଆଫଗାନିସ୍ତାନ ନାଗରିକଙ୍କୁ ସୁରକ୍ଷା ଦେବାକୁ G 7 ନେତା ଆଗେଇ ଆସିବା ଉଚିତ । ତେବେ ଯଦି ସମ୍ଭବ ତେବେ ୩୧ ଅଗଷ୍ଟ ପରେ ବି ଆଫଗାନିସ୍ତାନରେ କାନାଡ଼ା ସେନା ରହିବ ବୋଲି ସେ ସୂଚନା ଦେଇଛନ୍ତି । ଆଫଗାନିସ୍ତାନ ବାସିନ୍ଦାଙ୍କର ସମ୍ମାନ ଓ ସୁରକ୍ଷିତ ଭାବେ ବଞ୍ଚିବାର ଅଧିକାର ଅଛି ବୋଲି G7 ବୈଠକରେ ମତ ପ୍ରକାଶ ପାଇଥିଲା  । କାବୁଲ ଏୟାରପୋର୍ଟକୁ ଯେତେ ଦିନ ପର୍ଯ୍ୟନ୍ତ ହେବ ଆମେରିକା ସେନା ସୁରକ୍ଷା ଦେଉ ବୋଲି କହିଛି ୟୁରୋପିଆନ ୟୁନିୟନ । ମହିଳାଙ୍କ ସୁରକ୍ଷା ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ମଧ୍ୟ ବୈଠକରେ ଚିନ୍ତା ବ୍ୟକ୍ତ କରିଥିଲେ  ।

 ତେଣେ ଜି-୭ ରାଷ୍ଟ୍ର, ନାଟୋ, ୟୁରୋପୀୟ ସଂଘ, ଜାତିସଂଘ ତାଲିବାନ ପ୍ରତି ସମାନ ଆଭିମୁଖ୍ୟ ରଖିବାକୁ ସହମତ ହୋଇଛନ୍ତି । ତାଲିବାନର କୌଣସି ପ୍ରକାର ପରବର୍ତ୍ତୀ ପଦକ୍ଷେପ ଉପରେ ଏସବୁ ଆନ୍ତର୍ଜାତିକ ସଂଗଠନ ନଜର ରଖିବା ସହ ପରସ୍ପର ମଧ୍ୟରେ ସହଯୋଗ ରଖିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୂଚନା ଦେଇଛନ୍ତି । ସେପଟେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବା ପରେ ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କ୍ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଉପରେ ରୋକ୍  ଲଗାଇଥିବା ସୂଚନା ମିଳିଛି। 

Advertisment

ଅନ୍ୟପକ୍ଷେ ତାଲିବାନ ସହ ଆମେରିକା ଗୁଇନ୍ଦା ସଂସ୍ଥା- ସିଆଇଏ ମୁଖ୍ୟ ଓ୍ୱିଲିୟମ ବର୍ଣ୍ଣସଙ୍କ ଗୁପ୍ତ ବୈଠକ ହୋଇଥିବା ନେଇ ସୂଚନା ମିଳୁଛି। ବାଇଡେନ୍ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ କରା ଯାଇନଥିଲେ ବି ଖବର ଛାପିଛି ଓ୍ୱାଶିଂଟନ ପୋଷ୍ଟ। ସୋମବାର କାବୁଲରେ ତାଲିବାନ କୋ-ଫାଉଣ୍ଟର ଅବଦ୍ଦୁଲ ଘନି ବରାଦାରଙ୍କ ସହ ହୋଇଥିଲା ସିଆଇଏ ମୁଖ୍ୟଙ୍କ ବୈଠକ । ଆତଙ୍କୀ ସଂଗଠନ ସହ ଆମେରିକାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କର ଏହା ପ୍ରଥମ ବୈଠକ ବୋଲି କୁହାଯାଉଛି । ତେବେ ତାଲିବାନ ସହ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସିଆଇଏ ମୁଖ୍ୟ ? କଥାବାର୍ତ୍ତାର ବିଷୟବସ୍ତୁ ସଂପର୍କରେ ଓ୍ୱାଶିଂଟନ ପୋଷ୍ଟ କୌଣସି ବିବରଣୀ ଦେଇନଥିଲେ ବି ଆଫଗାନିସ୍ତାନରୁ ବିଦେଶୀ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ସଂପର୍କରେ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି ।

ଅଗଷ୍ଟ ୩୧ ସୁଦ୍ଧା ସବୁ ଆମେରିକୀୟ ସୈନ୍ୟ କାବୁଲ ଛାଡିବାକୁ ଡେଡ୍ ଲାଇନ ଧାର୍ଯ୍ୟ ହୋଇଛି। ବହୁସଂଖ୍ୟାରେ ଆଫଗାନ୍ ନାଗରିକ ବି ଦେଶ ଛାଡିବାକୁ ଚାହୁଁଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହେବା ଆଶଙ୍କା ବଢିଯାଇଛି । ତେବେ ଅଗଷ୍ଟ ୩୧ ପରେ ଆମେରିକୀୟ ସୈନ୍ୟଙ୍କୁ ଆଫଗାନିସ୍ତାନରେ ରହିବାକୁ ଆଦୌ ଅନୁମତି ଦିଆଯିବ ନାହିଁ ଓ ଏହାକୁ ଆଫଗାନିସ୍ତାନ ଉପରେ କବ୍‌ଜା ଭାବେ ବିବେଚନା କରାଯିବ। ଯାହାର ଫଳ ଭଲ ହେବନି ବୋଲି ପୂର୍ବରୁ ଚେତାବନୀ ଶୁଣାଇଥିଲା ତାଲିବାନ।

 ବିଦେଶୀଙ୍କ ସମେତ ଦେଶ ଛାଡିବାକୁ ଚାହୁଁଥିବା ଆଫଗାନ୍ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ସାରିବା ଲାଗି ବର୍ଣ୍ଣସ ଆଉ କିଛି ଦିନ ମହଲତ ମାଗି ଥାଇପାରନ୍ତି । ଅନ୍ୟପକ୍ଷରେ ସିଆଇଏ ମୁଖ୍ୟଙ୍କ ସହ କୌଣସି ଆଲୋଚନା ହୋଇନଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଆଫଗାନିସ୍ତାନର ସଂଭ୍ରାନ୍ତ ଶ୍ରେଣୀ ଲୋକଙ୍କୁ ଆମେରିକା ବିଦେଶ ନନେଉ ବୋଲି କହିଛି ତାଲିବାନ୍।

ଅନ୍ୟପକ୍ଷେ କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ। ବିମାନ ବନ୍ଦରର ସମସ୍ତ ରାସ୍ତାକୁ ସିଲ୍ କରି ପଳାୟନ ରୋକୁଛି। ତାଲିବାନର କ୍ଷମତା ଦଖଲ ପରେ ଭୟରେ ବହୁ ସଂଖ୍ୟକ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଉଛନ୍ତି। ଏହା ଦେଖି ଚିନ୍ତାରେ ପଡ଼ିଛି ତାଲିବାନ। ନିଜ ନାଗରିକଙ୍କ ନିରବଛିନ୍ନ ପଳାୟନ ରୋକିବାକୁ ଅନ୍ୟ ଉପାୟ ନପାଇ ଶେଷରେ କାବୁଲ ବିମାନ ବନ୍ଦରର ସମସ୍ତ ପ୍ରବେଶ ପଥ ସିଲ୍ କରିଛି । କେବଳ ବିଦେଶୀ ନାଗରିକଙ୍କୁ ଏୟାରପୋର୍ଟ ପ୍ରବେଶ ପାଇଁ ଅନୁମତି ଦେଉଛି । ଲକ୍ଷ ଲକ୍ଷ ଅଫାଗାନୀ ଦେଶ ଛାଡ଼ିବା ପରେ, ଦେଶର ଅର୍ଥନୀତି ସଙ୍କଟରେ ପଡିବା ଆଶଙ୍କାରେ ଘାରି ହେଲାଣି ତାଲିବାନ୍ । ଏମିତିକି ନାଗରିକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା, ମହିଳାଙ୍କୁ ଅଧିକାର ଓ ନିଜ ଦେଶରେ ଥିବା ଆୟର ଉତ୍ସକୁ ସଠିକ୍ ବିନିଯୋଗ କରିବାର ପ୍ରତିଶ୍ରୁତି ଦେଉଥିଲେ ବି ଏହା ନାଗରିକଙ୍କ ପଳାୟନ ରୋକି ପାରୁନାହିଁ।

Afghanistan G7 Meeting
Advertisment
Advertisment