Advertisment

ତାଲିବାନୀ ଶାସନରେ ଭୟଙ୍କର ଅତ୍ୟାଚାରିତ ହେବେ ମହିଳା ଓ ଯୁବତୀ !

ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ଅନ୍ୟ ସବୁ ଦେଶ ଚୁପଚାପ୍‌ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ଜୀବନରେ କେବେ ସେମାନେ ନିଜକୁ ଏତେ ଅସହାୟ, ନିରାଶ, ଶୋଚନୀୟ ଓ ଦୟନୀୟ ସ୍ଥିତି ଅନୁଭବ କରି ନଥିଲେ ବୋଲି କହିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
ତାଲିବାନୀ ଶାସନରେ ଭୟଙ୍କର ଅତ୍ୟାଚାରିତ ହେବେ ମହିଳା ଓ ଯୁବତୀ !

Taliban rule

କାବୁଲ୍‌: ଆତଙ୍କ, ଆଶଙ୍କା, ଅସହାୟତା ଓ ଅନିଶ୍ଚିତତା। ଏସବୁ ଭିତରେ ନିଜ ଭବିଷ୍ୟତକୁ ନେଇ ଭାଳି ହେଉଛନ୍ତି ବିଦେଶରେ ରହୁଥିବା ଆଫଗାନ୍ ନାଗରିକ। କଣ ହେବ ସେମାନଙ୍କର ଭାଗ୍ୟ? ନିଜ ଦେଶରେ କେଉଁ ଅବସ୍ଥାରେ ଥିବେ ଆତ୍ମୀୟ ଓ ସମ୍ପର୍କୀୟ? ଏଭଳି ଅନେକ ଅସମାହିତ ପ୍ରଶ୍ନକୁ ନେଇ ସେମାନେ ଚିନ୍ତିତ। ଆଫଗାନିସ୍ତାନକୁ ତାଲିବାନ କବଜା କରିବାପରେ ଭାରତରେ ରହୁଥିବା ଅନେକ ଆଫଗାନ୍ ନାଗରିକ ଆଶଙ୍କା ଭିତରେ ରହିଛନ୍ତି। ଏପଟେ ଭିସା ଅବଧି ଅନେକଙ୍କ ସରି ଆସିଲାଣି କିନ୍ତୁ ସ୍ଥିତି ଦେଖି ଆଫଗାନିସ୍ତାନକୁ ଯିବାକୁ ଚାହୁଁନାହାନ୍ତି ଆଫଗାନୀମାନେ। ଭିସା ଅବଧି ବୃଦ୍ଧି ପାଇଁ ସେମାନେ ବିଭିନ୍ନ ଦେଶର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନେକ ଆଫଗାନ ନାଗରିକ ସେମାନଙ୍କ ଭାଗ୍ୟକୁ ନେଇ ଏବେ ବେଶ ଚିନ୍ତିତ ଅଛନ୍ତି। ଭାରତରେ ସେମାନେ ସୁରକ୍ଷିତ ଥିଲେ ମଧ୍ୟ ଆଫଗାନିସ୍ତାନରେ ଥିବା ପରିବାରକୁ ନେଇ ଚିନ୍ତା ଘାରୁଛି।

Advertisment

ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ଅନ୍ୟ ସବୁ ଦେଶ ଚୁପଚାପ୍‌ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ଜୀବନରେ କେବେ ସେମାନେ ନିଜକୁ ଏତେ ଅସହାୟ, ନିରାଶ, ଶୋଚନୀୟ ଓ ଦୟନୀୟ ସ୍ଥିତି ଅନୁଭବ କରି ନଥିଲେ ବୋଲି କହିଛନ୍ତି। ସେପଟେ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିବା ଆଫଗାନିସ୍ତାନର ପୂର୍ବତନ ସାଂସଦ ଜମିଲ କାରଜାଇ ମଧ୍ୟ ଅସରଫ ଘନିଙ୍କୁ ଦୋଷ ଦେଇଛନ୍ତି। ଏଭଳି ସଂଗୀନ ପରିସ୍ଥିତିରେ ସେ ଦେଶ ଛାଡି ଚାଲିଯିବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି।

ସେପଟେ, ଆମେରିକାର ହ୍ୱାଇଟ୍‌ ହାଉସ ସାମ୍ନାରେ ବିକ୍ଷୋଭର ଚିତ୍ର ଦେଖିବାକୁ ମିଳିଛି। ତାଲିବାନ ବିରୋଧରେ ସ୍ୱର ଉଠାଇ ଶହ ଶହ ଲୋକ ସେଠାରେ ପ୍ରତିବାଦ କରିଛନ୍ତି। ତାଲିବାନ ବିରୋଧୀ ନାରା ଦେବା ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିଛନ୍ତି। ବାଇଡେନ ଆଫଗାନ ନାଗରିକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Advertisment

ତାଲିବାନ୍ ରାଜରେ ଆଫଗାନିସ୍ତାନର ନୂଆ ନାଁ ହେବାକୁ ଯାଉଛି- ଇସ୍ଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ୍। ନୂଆ ରାଷ୍ଟ୍ରପତି ହୋଇପାରନ୍ତି ତାଲିବାନ୍ ଟପ୍ ନେତା ତଥା ସଂଗଠନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ୍ ଘନି ବରାଦର୍। ତାଲିବାନ ଶାସନଭାର ହାତେଇବା ପରେ ବଦଳିବାକୁ ଯାଉଛି ଦେଶର କାୟାକଳ୍ପ। ଆଶଙ୍କା କରାଯାଉଛି, ୨୦୦୧ ମସିହା ପରଠାରୁ ୨ ଦଶନ୍ଧି ଭିତରେ ଆଫଗାନିସ୍ତାନବାସୀଙ୍କ ଜୀବନରେ ଯେଉଁ ସୁଖଶାନ୍ତି, ସ୍ୱାଧୀନତା ଓ ଉନ୍ନତି ଆସିଥିଲା, ତାହା ପୁଣି ଅନ୍ଧାର ଭିତରକୁ ଠେଲି ହୋଇଯିବ। ଇତିହାସର କଳା ଅଧ୍ୟାୟ ପୁଣି ଦେଖିବାକୁ ପଡ଼ିପାରେ। ସେଥିପାଇଁ ଭୟରେ ହଜାର ହଜାର ସଂଖ୍ୟାରେ ଲୋକ ଦେଶ ଛାଡ଼ି ଚାଲିଯିବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି ତାଲିବାନ କ୍ଷମତାକୁ ଆସିବା ପରେ ପୁଣି ପୂର୍ବଭଳି କଠୋର ସରିୟା ଲ ଲାଗୁ କରିବା ଆଶଙ୍କା କରାଯାଉଛି। ଯେଉଁଥିରେ ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ିପାରେ ।

କୁହାଯାଉଛି, ତାଲିବାନ ଶାସନରେ ସବୁଠୁ ଅଧିକ ବିପଦକୁ ସାମ୍ନା କରିବେ ଯୁବତୀ ଓ ମହିଳା। କାରଣ ତାଲିବାନୀ କାନୁନରେ ଝିଅମାନଙ୍କୁ ସ୍କୁଲ ଯିବାକୁ ଦିଆଯାଏ ନାହିଁ। ମହିଳାମାନେ ପାଠ ପଢ଼ିପାରିବେ ନାହିଁ, ପଢ଼ାଇପାରିବେ ନାହିଁ, ଚାକିରୀ କରିପାରିବେ ନାହିଁ । ମହିଳାଙ୍କୁ ଶରୀରକୁ ପୂରା ଢାଙ୍କିଥିବା ପୋଷାକ ବିନା ଏବଂ କୌଣସି ପୁରୁଷଙ୍କୁ ସାଥିରେ ନନେଇ ଘରୁ ଗୋଡ଼ କାଢ଼ିବାର ଅଧିକାର ନାହିଁ। ନିୟମ ଭାଙ୍ଗିଲେ ସର୍ବସାଧାରଣ ସ୍ଥାନରେ ଚାବୁକ ମାଡ଼, ଟେକାପଥର ମାଡ଼, ଏମିତିକି ମୃତ୍ୟୁଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। କାବୁଲ୍ କବଜା କରିବା ପରେ ତାଲିବାନ ଆତଙ୍କୀ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଥିବା ବିଜ୍ଞାପନକୁ ଢାଙ୍କି ଦେଇଥିବା ଦେଖିବାକୁ ମିଳିଛି। ତେଣୁ ଆଗକୁ ଅତ୍ୟାଚାର ବଢ଼ିବା ନିଶ୍ଚିତ ବୋଲି ଆଶଙ୍କା କରାଯାଉଛି । ସେମାନଙ୍କୁ ଘରେ ରହି ମଧ୍ୟ ବନ୍ଦୀ ଜୀବନ କାଟିବାକୁ ପଡ଼ିପାରେ। ସେପଟେ ୧୩-୧୪ ବର୍ଷରୁ ଅଧିକ ଝିଅ ଓ ବିଧବା ମହିଳାଙ୍କୁ ତାଲିବାନ ଆତଙ୍କୀ ଜୋରଜବରଦସ୍ତ ଯୌନଦାସୀ ବନାଉଥିବା ଅଭିଯୋଗ ହେଉଛି। ବିଭିନ୍ନ ଜେଲରୁ କୁଖ୍ୟାତ ଅପରାଧିଙ୍କୁ ମୁକ୍ତ କରିଦିଆଯାଇଥିବାରୁ ସେମାନେ ମଧ୍ୟ ମହିଳା ଓ ଶିଶୁଙ୍କ ପ୍ରତି ବିପଦ ସୃଷ୍ଟି କରିପାରନ୍ତି।

୨୦୦୧ ବେଳକୁ ଆଫଗାନିସ୍ତାନରେ ୯ ଲକ୍ଷ ଛାତ୍ର ପାଠ ପଢ଼ୁଥିବା ବେଳେ, ଜଣେ ବି ଛାତ୍ରୀ ନଥିଲେ। କେବଳ ପୁରୁଷଙ୍କୁ ଶିକ୍ଷା ଗ୍ରହଣର ଅଧିକାର ଥିଲା। ତେବେ ତାଲିବାନ ହାତରୁ କ୍ଷମତା ଯିବା ପରେ ଗତ ୨୦ ବର୍ଷ ଭିତରେ ସ୍ଥିତି ବଦଳିଥିଲା। ଶିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୩୯ ପ୍ରତିଶତ ଛାତ୍ରୀ ଥିଲେ। ଏବେ ତାଲିବାନ ଗାଦି ଅକ୍ତିଆର କରିବା ପରେ ପୁଣି ପୂର୍ବ ସ୍ଥିତି ଫେରିପାରେ ବୋଲି ଆଶଙ୍କା କରାଯାଉଛି। ତେବେ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଏଥର ଶାସନରେ ମହିଳାମାନେ ଯେପରି ଜନଜୀବନରେ ଅଂଶଗ୍ରହଣ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଆଇନ ଲେଖାଯିବ। ଆମେ ମହିଳାଙ୍କ ଅଧିକାରକୁ ସମ୍ମାନ ଦେବୁ। ସେମାନେ ପାଠ ପଢ଼ିପାରିବେ ଓ ଚାକିରି କରିପାରିବେ। ତେବେ ସେମାନଙ୍କୁ ହିଜାବ୍ ପିନ୍ଧିବାକୁ ପଡ଼ିବ ।

Taliban Afghanistan Taliban Attack Afghanistan
Advertisment
Advertisment